ପୁଲିସ କ୍ବାର୍ଟର୍ସରେ ଗଣଦୁଷ୍କର୍ମ ଘଟଣା : ତୃତୀୟ ଅଭିଯୁକ୍ତ ରାମଚନ୍ଦ୍ର ଗିରଫ

ପୁରୀ : ପୁରୀର ପୁଲିସ କ୍ବାର୍ଟର୍ସରେ ଗଣଦୁଷ୍କର୍ମ ଘଟଣାରେ ଆଜି ପୁଲିସ ତୃତୀୟ ଅଭିଯୁକ୍ତ ତଥା ବ୍ରହ୍ମଗିରି ଥାନା ଆଳିଆପୁଟୁ ଅଞ୍ଚଳର ରାମଚନ୍ଦ୍ର ପ୍ରଧାନ(୩୨)କୁ ଗିରଫ କରିଛି। ତାକୁ ସ୍ପେସାଲ୍‌ ସ୍କ୍ବାଡ୍‌ ଟାଙ୍ଗୀ ଅଞ୍ଚଳରୁ ଗିରଫ କରିବାରେ ସକ୍ଷମ ହୋଇଛି। ରାମ ନାଁ’ରେ ପୂର୍ବରୁ ବ୍ରହ୍ମଗିରି ଥାନାରେ ୪ରୁ ଅଧିକ ମାମଲା ରହିଛି। ତେବେ ଜିତୁ ଘରକୁ ମଦ ପିଇବା ପାଇଁ ଯାଇ ସେ ଏହି ଗଣଦୁଷ୍କର୍ମ ମାମଲାରେ ଫସିଯାଇଥିବା କହିଛି। ଅନ୍ୟ ପକ୍ଷରେ ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ସିଆର୍‌ପିଏଫ୍ ଯବାନ ରେଣ୍ଢା ଗାଁ’ର ବୁଲୁ ବାରିକକୁ ଆଜି ପର୍ଯ୍ୟନ୍ତ ପୁଲିସ ଗିରଫ କରିପାରିନାହିଁ। ସେ ରାଜ୍ୟ ବାହାରକୁ ଚାଲିଯାଇଥିବା ପୁଲିସ ଅନୁମାନ କରୁଛି। ଗତ ଦୁଇ ତାରିଖ ଦିନ ପୀଡ଼ିତାଙ୍କ ପ୍ରତି ହୋଇଥିବା ଗଣଦୁଷ୍କର୍ମ ମାମଲାର ପ୍ରଥମ ଅଭିଯୁକ୍ତ କିଏ ସେ ନେଇ ପୁଲିସ ‌ତଦନ୍ତ କରୁଛି।

ଅନ୍ୟପଟେ ଗତକାଲି କୁମ୍ଭାରପଡ଼ା ଥାନା ଆଇଆଇସି କୁଳମଣି ସେଠୀ ନିମାପଡ଼ା ଯାଇ ସେଠାରେ କ୍ଲୋଜ୍‌ସର୍କିଟ୍ କ୍ୟାମେରାର ଫୁଟେଜ୍‌କୁ ସଂଗ୍ରହ କରୁଛି। ସେହିପରି ପୀଡ଼ିତା ଯେଉଁ ସ୍କୁଲରେ ପଢ଼ିଥିଲେ, ସେଠାକୁ ଯାଇ ତାଙ୍କର ଜନ୍ମ ତାରିଖ ଓ ତାଙ୍କର ଶିକ୍ଷାଗତ ଯୋଗ୍ୟତା ସହିତ ଅନ୍ୟାନ୍ୟ ତଥ୍ୟ ପୁଲିସ ସଂଗ୍ରହ କରିଛି। ଜିତୁର ଦ୍ବିତୀୟ ପତ୍ନୀଙ୍କ ଅଭିଯୋଗ ହେଲା, ଜିତୁ ଏହିଭଳି ଭାବେ ଅନେକଙ୍କ ଜୀବନ ସହିତ ଖେଳ‌ ଖେଳିଛି। ତେବେ ଏହି ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଗଲେ ଅନେକ ତଥ୍ୟ ପଦାକୁ ଆସିବ ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର