ଉତ୍ସର୍ଗୀକୃତ ସେବା ପାଇଁ କେନ୍ଦ୍ରାପଡ଼ାର ୪ ପୁରସ୍କୃତ

ଭୁବନେଶ୍ବର : ହେଲ୍‌ଥ ଆଣ୍ଡ ୱେଲ‌ନେସ୍‌ ସେଣ୍ଟର୍‌ରେ ଉତ୍ସର୍ଗୀକୃତ ସେବା ପ୍ରଦାନ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାର ୪ଜଣ ପୁରସ୍କୃତ ହୋଇଛନ୍ତି। ସାର୍ବଜନୀନ ସ୍ବାସ୍ଥ୍ୟ ସେବା ଦିବସ ଅବସରରେ ନୂଆଦିଲ୍ଲୀଠାରେ ଆୟୋଜିତ ଏହି ଉତ୍ସବରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ପୁରସ୍କାର ପାଇଥିବା ବ୍ୟକ୍ତିମାନେ ହେଲେ, କେନ୍ଦ୍ରାପଡ଼ା ଜିଲ୍ଲା ଓଳାଭର ହେଲ୍‌ଥ ଆଣ୍ଡ ୱେଲନେସ୍‌ ସେଣ୍ଟର୍‌ର ମେଡିକାଲ ଅଧିକାରୀ ଡା. ସୌମ୍ୟରଂଜନ ନାୟକ, ମହାକାଳପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନ ଜମ୍ବୁ ସ୍ବାସ୍ଥ୍ୟ ଉପକେନ୍ଦ୍ରର ଗୋଷ୍ଠୀ ଅଧିକାରୀ ରଶ୍ମିତା ସାମଲ, ଏଏନ୍‌ଏମ୍‌ ସଚ୍ଚି ମିଶ୍ର ଓ ଆଶାକର୍ମୀ ରଂଜିତା ମଣ୍ଡଳ।

ରାଜ୍ୟରେ ସ୍ବାସ୍ଥ୍ୟସେବାରେ ଉନ୍ନତି ଲାଗି ବିଭାଗ ପକ୍ଷରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି। ଅଣସଂକ୍ରମିତ ରୋଗ ବିଶେଷକରି ମଧୁମେହ, ଉଚ୍ଚ ରକ୍ତଚାପ, ମୁଖ ଗହ୍ବର କର୍କଟ, ସ୍ତନ କର୍କଟ ଓ ଜରାୟୁ କର୍କଟ ପାଇଁ ୩୦ ବର୍ଷ ବୟସରୁ ଅଧିକ ବ୍ୟକ୍ତିଙ୍କ ରୋଗ ଚିହ୍ନଟ ଲାଗି ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ୨୦୧୮/୧୯ବର୍ଷରେ ରାଜ୍ୟରେ ୨୫ ଲକ୍ଷରୁ ଅଧିକ ଲୋକଙ୍କ ପରୀକ୍ଷା କରାଯାଇଥିଲା। ୨୦୧୯/୨୦ ବର୍ଷରେ ୪୫ଲକ୍ଷରୁ ଅଧିକ ଲୋକଙ୍କ ପରୀକ୍ଷା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏ କ୍ଷେତ୍ରରେ ପ୍ରତିଷ୍ଠା ହୋଇଥିବା ହେଲ୍‌ଥ ଆଣ୍ଡ ୱେଲନେ୍‌ସ କେନ୍ଦ୍ରଗୁଡ଼ିକ ବିଶେଷ ସହାୟକ ହୋଇପାରିଛି। ଚଳିତବର୍ଷ ରାଜ୍ୟର ବିଭିନ୍ନ ଜିଲ୍ଲାରେ ରୋଗ ନିରୂପଣ କାର୍ଯ୍ୟକୁ ବ୍ୟାପକ କରାଯିବା ସହ ୫୦ ପ୍ରତିଶତରୁ ଅଧିକ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଲାଗି ଉଦ୍ୟମ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ନୂଆଦିଲ୍ଲୀରେ ଅନୁଷ୍ଠିତ ଏହି ଉତ୍ସବରେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ (ରାଷ୍ଟ୍ର) ମନ୍ତ୍ରୀ ଅଶ୍ବିନୀ କୁମାର ଚୌବେ, ମନ୍ତ୍ରଣାଳୟର ସଚିବ ପ୍ରୀତି ସୁଦାନ, ଜାତୀୟ ସ୍ବାସ୍ଥ୍ୟ ମିସନ୍‌ ନିର୍ଦ୍ଦେଶକ ବନ୍ଦନା ଗୁର୍‌ନାନୀ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର