ଚାରିି ବିଜେପି ନେତା ଗିରଫ, ୧୬ଙ୍କୁ ଖୋଜୁଛି ପୁଲିସ

ଅଣ୍ଡା ମାଡ଼ ଘଟଣାରେ ଲାଗିଲା ଦଫା ୩୦୭

କଟକ : ବିଜେପି ପକ୍ଷରୁ କଟକ ମହାନଗର ନିଗମ କାର୍ଯ୍ୟାଳୟ ଘେରାଉ ସମୟରେ ହୋଇଥିବା ଗଣ୍ଡଗୋଳ ଘଟଣାରେ ପୁଲିସ୍‌ ୪ ଜଣ ବରିଷ୍ଠ ନେତାଙ୍କୁ ଗିରଫ କରିଛି। ଏ ନେଇ ଗତକାଲି ନଗର ଯୁବ ବିଜେପି ସଭାପତି ଜ୍ୟୋତିରଂଜନ ପଲାଇଙ୍କୁ ଗିରଫ କରାଯାଇଥିବା ବେଳେ ଆଜି କଟକ ନଗର ବିଜେପି ସଭାପତି ଲକ୍ଷ୍ମୀଧର ପ୍ରଧାନ, ଯୁବ ବିଜେପି ନେତା ଦେବାଶିଷ ଘୋଷ ଏବଂ ବିଜେପି ଯୁବ ମୋର୍ଚ୍ଚାର ରାଜ୍ୟ ଉପସଭାପତି ସିକନ୍ଦର ଅଲ୍ଲୀଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଚୌଦ୍ୱାର ଜେଲ୍‌କୁ ପଠାଇ ଦିଆଯାଇଛି । ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ବିଶ୍ୱଜିତ ବରାଳ ମାମଲା ପରିଚାଳନା କରିଥିଲେ। ବିଜେପିର ବିକ୍ଷୋଭ ସମୟରେ ଅଣ୍ଡା ଓ ଢେଲା ମାଡ଼ରେ ଜଣେ ଏଡିସିପି ଓ ଜଣେ କନଷ୍ଟେବଲ୍‌ ଆହତ ହୋଇଥିଲେ। ଏହି ଘଟଣାରେ ପ୍ରାୟ ୨୦ ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିବା ବେଳେ ସେମାନଙ୍କୁ ଧରିବା ପାଇଁ ପୁଲିସ୍‌ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛି।

ବିକ୍ଷୋଭ ସମୟରେ ପୁଲିସ ସହ ଠେଲାପେଲାରେ ସିକନ୍ଦର ଅଲ୍ଲୀ ଓ ଜ୍ୟୋତିରଂଜନ ପଲେଇ ଆହତ ହୋଇଥିବା ଅଭିଯୋଗ ହୋଇଥିଲା। କିନ୍ତୁ ପୁଲିସ ଅଧିକାରୀ ଓ କର୍ମଚାରୀ ଆହତ ହେବା ଘଟଣାକୁ ନେଇ ଜଣେ ଯୁବ ପୁଲିସ ନିଜ ଆଡ଼ୁ ପୁରୀଘାଟ ଥାନାରେ ଦୁଇଟି ମାମଲା ରୁଜୁ କରିଥିଲେ। ପୁଲିସ ଦଫା ୧୪୭, ୧୪୮, ୨୯୪, ୫୦୬, ୩୪୧, ୩୨୩, ୩୩୨, ୩୦୭, ୧୪୯ ଏବଂ ୭ ଦି କ୍ରିମିନାଲ୍‌ ଲ’ ଆମେଣ୍ଡମେଣ୍ଟ ଆକ୍ଟରେ ୨୦ ଜଣଙ୍କ ନାମରେ ମାମଲା ପଞ୍ଜୀକରଣ କରିଥିଲା। ଗତକାଲି ଜଣକୁ ଗିରଫ କରାଯାଇଥିବା ବେଳେ ତାହାର ପ୍ରତିବାଦରେ ବିଜେପିର ବରିଷ୍ଠ ନେତାମାନେ ପୁରୀଘାଟ ଥାନାରେ ବିଳମ୍ବିତ ରାତିଯାଏ ଧାରଣାରେ ବସିଥିଲେ। କିନ୍ତୁ ପୁଲିସ କିଛି ନ ଶୁଣିବାରୁ ଆଜି ଭୁବନେଶ୍ୱରରେ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏ ସଂପର୍କରେ ଦଳର ବରିଷ୍ଠ ନେତା ସମୀର ଦେ କହିଛନ୍ତି ଯେ ପୁଲିସ ଅଧିକାରୀମାନେ ଉପରୁ ନିର୍ଦ୍ଦେଶ ଅଛି ବୋଲି କହି ଦଳର ନେତା ଓ କର୍ମୀଙ୍କ ଘରେ ଚଢଉ କରୁଛନ୍ତି। ପୁଲିସ କାହା ନିର୍ଦ୍ଦେଶରେ ଏଭଳି ଦମନ ନୀତି ଚଳାଇଛି ବୋଲି ଶ୍ରୀ ଦେ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର