ବ୍ରହ୍ମପୁର : ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଖୋଲାଯାଇଥିବା କରୋନା ୱାର୍ଡ଼ରେ ଆଜି ପୁଣିଥରେ ୪ଜଣ ସନ୍ଦିଗ୍ଧଙ୍କୁ ଭର୍ତ୍ତି କରାଯାଇଛି। ସମସ୍ତ ୪ଜଣ ସନ୍ଦିଗ୍ଧ ସୁରତରୁ ଫେରିଥିବା ବଡ଼ ଡାକ୍ତରଖାନା ଅଧୀକ୍ଷକ ପ୍ରଫେସର ସନ୍ତୋଷ କୁମାର ମିଶ୍ର ସୂଚନା ଦେଇଛନ୍ତି। ଆସନ୍ତାକାଲି ସ୍ବାବ ସଂଗ୍ରହ କରି ପରୀକ୍ଷା ନିମନ୍ତେ ଭୁବନେଶ୍ବର ପଠାଯିବ।
ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକ୍ର ଯୁବକମାନେ ସୁରତରେ ଦାଦନ ଶ୍ରମିକ ଭାବେ କାମ କରୁଛନ୍ତି। କରୋନା ଭୟରେ ହଜାର ହଜାର ସଂଖ୍ୟାରେ ଯୁବକ ଘରକୁ ଫେରିଛନ୍ତି। ସୁରତରୁ ଫେରିଥିବା ୪ଜଣ ଯୁବକଙ୍କୁ ଗତ କିଛିଦିନ ହେଲା ଜ୍ବର ଓ କାଶ ହେଉଥିଲା। ଜ୍ବର ନଛାଡ଼ିବାରୁ ଆଜି ସକାଳେ ୩ଜଣଙ୍କୁ ଭର୍ତ୍ତି କରା ଯାଇଥିଲା। ସଂଧ୍ୟାରେ ପୁଣି ଜଣେ ସନ୍ଦିଗ୍ଧଙ୍କୁ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କୋଭିଡ୍-୧୯ ଗୃହରେ ସେମାନଙ୍କ କାଉନସେଲିଂ ପରେ ସଙ୍ଗରୋଧ କକ୍ଷରେ ଭର୍ତ୍ତି କରାଯାଇଥିଲା। ଏମାନଙ୍କ ଘର କୋଦଳା ଓ ରମ୍ଭା ଅଞ୍ଚଳରେ ବୋଲି ବଡ଼ ଡାକ୍ତରଖାନା ସୂତ୍ରରୁ ପ୍ରକାଶ। ଗତକାଲି କବିସୂର୍ଯ୍ୟନଗର ଅଞ୍ଚଳର ଜଣେ ବୃଦ୍ଧଙ୍କୁ ସଙ୍ଗରୋଧ କକ୍ଷରେ ଭର୍ତ୍ତି କରାଯାଇଥିଲା। ଆସନ୍ତାକାଲି ତାଙ୍କର ରିପୋର୍ଟ ଆସିବ ବୋଲି ପ୍ରଫେସର ମିଶ୍ର କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/mkcg.jpg)