ପିକଅପ୍ ଧକ୍କାରେ ବାପା-ପୁଅ ମୃତ, ମା’ ଓ ସାନ ପୁଅ ଗୁରୁତର
ବସ୍ ମାଡ଼ିଯିବାରୁ ୨ ଭଉଣୀ ମୃତ, ଏସ୍ପି ଅଫିସ୍ ଆଗରେ ଆତ୍ମହତ୍ୟା ଉଦ୍ୟମ କରିଥିବା ପରୀକ୍ଷିତଙ୍କ ମୃତ୍ୟୁ
ପାଟପୁର : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଦିଗପହଣ୍ଡି-ଆସିକା ମୁଖ୍ୟ ରାସ୍ତାରେ ଆଜି ସକାଳେ ଏକ ବାଇକକୁ ପଛପଟୁ ବୋଲେରୋ ପିକଅପ୍ ଭ୍ୟାନ୍ ଧକ୍କା ଦେବାରୁ ବାପା ଓ ପୁଅଙ୍କ ମୃତ୍ୟୁ ହୋଇଛି। ମା’ ଓ ସାନପୁଅ ଗୁରୁତର ହୋଇଛନ୍ତି। ମୃତକ ମାନେ ହେଲେ ଏରେଣ୍ଡ୍ରା ଗ୍ରାମର ସନ୍ତୋଷ କୁମାର ପ୍ରଧାନ (୩୧) ଓ ତାଙ୍କ ୮ ବର୍ଷର ପୁଅ ଆୟୁଷ୍ମାନ। ଦୁର୍ଘଟଣାରେ ଗୁରୁତର ପତ୍ନୀ ରୁଚିତା ଓ ୩ ବର୍ଷର ପୁଅ ବ୍ରହ୍ମପୁର ବଡ଼ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଆଜି ସକାଳ ପ୍ରାୟ ସାଢେ ୯ଟାରେ ସନ୍ତୋଷ ଓ ରୁଚିତା ଦୁଇ ପୁଅଙ୍କୁ ନେଇ ବାଇକରେ କବିସୂର୍ଯ୍ୟନଗର ବ୍ଲକ ନନ୍ଦିଆଗଡ଼ ଗ୍ରାମର ସଂପର୍କୀୟଙ୍କ ଘରକୁ ଯାଉଥିଲେ। ଏହି ସମୟରେ ଜଗନ୍ନାଥପୁର ଛକ ରାସ୍ତାରେ ଏକ ପିକଅପ୍ ଭ୍ୟାନ୍ ଦ୍ରୁତ ଗତିରେ ଆସି ପଛପଟୁ ବାଇକକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ସନ୍ତୋଷଙ୍କ ମୃତ୍ୟୁ ହୋଇଥିଲା। ରୁଚିତା, ବଡ଼ପୁଅ ଆୟୁଷ୍ମାନ ଓ ସାନ ପୁଅକୁ ବ୍ରହ୍ମପୁର ବଡ଼ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆୟୁଷ୍ମାନ୍ ପ୍ରାଣ ହରାଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ବସ୍ ମାଡ଼ିଯିବାରୁ ୨ ଭଉଣୀ ମୃତ
କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ସହର ଉପକଣ୍ଠ ୫ ନମ୍ବର ଜାତୀୟ ରାଜପଥର ଛଘରିଆ ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍ ମାଡ଼ିଯିବାରୁ ୨ ଭଉଣୀଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ସେମାନଙ୍କ ସମ୍ପର୍କୀୟ ଭାଇ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।
ମିଳିଥିବା ସୂଚନା ଅନୁସାରେ, ମାର୍ଶାଘାଇ ଥାନା ଅନ୍ତେଇ ପଞ୍ଚାୟତ ଅଧୀନ ମନ୍ତେଇ ଗ୍ରାମର ଅଶୋକ ପାଲ୍ଙ୍କ ଦୁଇ ଝିଅ ପ୍ରଜ୍ଞା ପରିମିତା ଓ ସୋନାଲି ଆଜି ମାର୍ଶାଘାଇର ପିକରାଳୀ ଗ୍ରାମକୁ ଆସି ଏକ ସ୍କୁଟିରେ କେନ୍ଦ୍ରାପଡ଼ା ଆଡ଼କୁ ଆସୁଥିଲେ। ଦୁଇ ଭଉଣୀ ପଛରେ ବସିଥିବା ବେଳେ ମାମୁଁ ପୁଅ ଭାଇ ରଶ୍ମୀରଂଜନ ସାମନ୍ତରାୟ ସ୍କୁଟି ଚଲାଉଥିଲେ। ୫ ନଂ. ଜାତୀୟ ରାଜପଥରେ କେନ୍ଦ୍ରାପଡ଼ାରୁ ପାରାଦୀପ ଯାଉଥିବା ‘ଡଲଫିନ୍’ ବସ୍ଟି ଭୁଲ ରାସ୍ତାରେ(ଡାହାଣପାର୍ଶ୍ବ) ପାର୍ଶ୍ବରେ ଅତିକ୍ରମ କରୁଥିଲା। ସ୍କୁଟିଟି ଠିକ୍ ଛଘରିଆ ଛକ ଅତିକ୍ରମ କରିବା ପରେ ବସ୍ଟି ସେମାନଙ୍କ ଉପରକୁ ମାଡ଼ି ଯାଇଥିଲା । ପ୍ରଜ୍ଞା ବିଏସ୍ସି ନର୍ସିଂ ପାଠ୍ୟକ୍ରମ ଶେଷ କରିଥିବା ବେଳେ ସୋନାଲି ମହାକାଳପଡ଼ା କଲେଜରେ ବିଏସ୍ସି ପ୍ରଥମ ବର୍ଷର ଛାତ୍ରୀ। ବାପା ଅଶୋକ ତାଙ୍କ ଶାଶୂଙ୍କ ଚିକିତ୍ସା ପାଇଁ ପତ୍ନୀଙ୍କ ସହ ମୁମ୍ବାଇ ଯାଇଥିବା ବେଳେ ଏହି ମର୍ମନ୍ତୁଦ ଘଟଣା ଗାଁରେ ଶୋକର ଛାୟା ଖେଳାଇ ଦେଇଛି।
ଏସ୍ପି ଅଫିସ୍ ଆଗରେ ଆତ୍ମହତ୍ୟା ଉଦ୍ୟମ କରିଥିବା ପରୀକ୍ଷିତଙ୍କ ମୃତ୍ୟୁ
କେନ୍ଦ୍ରାପଡ଼ା :ଗତ ୧୫ ତାରିଖରେ କେନ୍ଦ୍ରାପଡ଼ା ଏସ୍ପିଙ୍କ ଅଫିସ ଆଗରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଡେରାବିଶ ବ୍ଲକ୍ ବିଭୂତିପଡ଼ା ଗ୍ରାମର ପରୀକ୍ଷିତ ବେହେରାଙ୍କର ଆଜି ମୃତ୍ୟୁ ଘଟିଛି। ଜମିବାଡ଼ି ବିବାଦ ନେଇ ଅର୍ଜି ଧରି ସେ ଏସ୍ପି ଅଫିସକୁ ଯାଇଥିବା ବେଳେ ପୁଲିସ୍ ତାଙ୍କ କଥା ବୁଝି ନ ଥିଲା। ତେଣୁ ସେ ବାହାରକୁ ଆସି ଅଫିସ୍ ଆଗରେ ବିଷ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଆଜି ରାତିରେ ତାଙ୍କର ମୃତ୍ୟୁ ଘଟିଛି।