ବଜ୍ରପାତ ନେଲା ୪ ଜୀବନ

ମାହାଙ୍ଗା/ସାଲେପୁର : ଆଜି ବଜ୍ରପାତରେ କଟକ ଜିଲ୍ଲାର ଚାରି ଜଣଙ୍କ ମୃତ୍ୟୁ ଘଟିଛି। ମାହାଙ୍ଗା ଅଂଚଳର ୱାର୍ଡସଭ୍ୟ ନିରଞ୍ଜନ ମଲ୍ଲିକ (୫୫), ବାବୁଲି ଜେନା(୪୯) ଓ ସାଲେପୁର ଅଂଚଳର କୃଷି ଶ୍ରମିକ ରଂଜନ ବେହେରା(୪୧)ଙ୍କ ମୃତ୍ୟୁ ନେଇ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସେହିଭଳି, ମହାକାଳପଡ଼ା ବ୍ଲକ୍ ବରକନ୍ଧା ଗ୍ରାମର କୃପାସିନ୍ଧୁ ରାଉତ(୫୬)ଙ୍କ ମୃତ୍ୟୁ ଘଟିଛି।

ସୂଚନାଯୋଗ୍ୟ ଯେ ଆଜି ପୂର୍ବାହ୍ନରେ ମାହାଙ୍ଗା ଥାନା ଅଞ୍ଚଳରେ ବଜ୍ରପାତ ସହ ବର୍ଷା ଲାଗି ରହିଥିଲା। ଭେଡା ପଞ୍ଚାୟତ ଭେଡା ସାଲେପୁର ଗ୍ରାମର ୱାର୍ଡସଭ୍ୟ ନିରଞ୍ଜନ ମଲିକ ଆଜି ପୂର୍ବାହ୍ନରେ ଧାନକ୍ଷେତକୁ ଚାଷ କରିବା ପାଇଁ ଯାଇଥିବା ବେଳେ ବଜ୍ରପାତ ହେବାରୁ ସେ ଗୁରୁତର ଅବସ୍ଥାରେ ସେଠାରେ ପଡି ଯାଇଥିଲେ। ପରେ ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ଚିକିତ୍ସା ନିମନ୍ତେ ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଲଳିତଗିରି ଗ୍ରାମର ବାବୁଲି ଯେନା ଆଜି ପୂର୍ବାହ୍ନରେ ଛେଳି ଚରାଇବାକୁ ଲଳିତଗିରି ପାହାଡକୁ ଯାଇଥିଲେ । ଦୀର୍ଘ ସମୟ ଧରି ବାବୁଲି ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ । କିନ୍ତୁ ସ୍ଥାନୀୟ ଲୋକେ ଲଳିତଗିରି ପାହାଡ ଉପରେ ତାଙ୍କୁ ଗୁରୁତର ଅବସ୍ଥାରେ ପଡ଼ିଥିବା ଦେଖି ତୁରନ୍ତ ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସାଲେପୁର ବ୍ଲକ ମାଳଶାସନ ପଂଚାୟତ ଅନ୍ତର୍ଗତ ଲେଖନପୁର ଗ୍ରାମର କୃଷି ଶ୍ରମିକ ରଂଜନ ବେହେରା ଆଜି ପଟ୍ଟାମୁଣ୍ଡାଇ କେନାଲ ପାର୍ଶ୍ବ ଲେଖନପୁର ଚକରେ ଥିବା ଜମିରେ ଧାନ ତଳି ରୋଉଥିବା ବେଳେ ବଜ୍ରପାତରେ ପ୍ରାଣ ହରାଇଛନ୍ତି। ଦିନ ପ୍ରାୟ ଗୋଟାଏ ବେଳେ ହଠାତ ବଜ୍ରପାତରେ ରଂଜନ ଅଚେତ ହୋଇ ତଳେ ପଡିଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ସେଠାରୁ ଉଦ୍ଧାର କରି ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଅନ୍ୟପକ୍ଷରେ, ବଜ୍ରପାତରେ କେନ୍ଦ୍ରାପଡ଼ା ମହାକାଳପଡ଼ା ବ୍ଲକ୍ ବରକନ୍ଧା ଗ୍ରାମର କୃପାସିନ୍ଧୁ ରାଉତ(୫୬)ଙ୍କ ମୃତ୍ୟୁ ଘଟିଛି। ଆଜି ଆଜି ପୂର୍ବାହ୍ନରେ ସେ ବିଲରେ କାମ କରୁଥିବା ସେଠା‌ରେ ବଜ୍ରପାତ ହୋଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା ଗାଁରେ ଶୋକର ଛାୟା ଖେଳାଇ ଦେଇଛି। କୃପାସିନ୍ଧୁଙ୍କ ମୃତଦେହକୁ କେନ୍ଦ୍ରାପଡ଼ା ମେଡିକାଲରେ ବ୍ୟବଚ୍ଛେଦ କରାଯାଇଛି l

ସମ୍ବନ୍ଧିତ ଖବର