ସାପ କାମୁଡ଼ାରେ ୪ ମୃତ

ନବରଙ୍ଗପୁର/ପାପଡାହାଣ୍ଡି/ଉମରକୋଟ/ରାଇଘର : ଗତକାଲି ରାତିରେ ନବରଙ୍ଗପୁର ଜିଲ୍ଲାର ତିନୋଟି ପୃଥକ ପୃଥକ୍ ଘଟଣାରେ ବିଷାକ୍ତ ସାପ କାମୁଡାରେ ୪ ଜଣଙ୍କ ମୃତ୍ୟୁ ଘଟିଛି । ପାପଡାହାଣ୍ଡି ବ୍ଲକ କନାରିଚୁଆ ଗ୍ରାମରେ ବିଷାକ୍ତ ସାପ କାମୁଡାରେ ମା ଓ ଝିଅର ମୃତ୍ୟୁ ହୋଇଥିବା ବେଳେ ଉମରକୋଟ ବ୍ଲକ ବଡ଼ମାସିନୀ ଗ୍ରାମରେ ଜଣେ ଏବଂ ରାଇଘର ବ୍ଲକର କଚରପାରା-୧ ଗ୍ରାମରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି ।

ପାପଡାହାଣ୍ଡି ବ୍ଲକ ଚେରଚଟା ପଞ୍ଚାୟତ ଅନ୍ତର୍ଗତ କନାରିଚୁଆ ଗ୍ରାମର ଭଗତ ଜାନିଙ୍କ ପରିବାରର ୮ ଜଣ ସଦସ୍ୟ ଗୋଟିଏ କୋଠରୀରେ ଶୋଇଥିଲେ। ମଧ୍ୟ ରାତିରେ ଏକ ବିଷଧର ସାପ ପ୍ରଥମେ ବୁଦାଇ ଜାନି(୩୨)ଙ୍କ ହାତକୁ କାମୁଡି ଦେଇଥିଲା। ବୁଦାଇ ଚିତ୍କାର କରି ହାତକୁ କଚାଡି ଦେବାରୁ ସାପଟି ତାଙ୍କ ଝିଅ ଅସ୍ତୁ ଜାନି(୧୨) ଉପରେ ପଡି ଅସ୍ତୁକୁ ବି କାମୁଡି ଦେଇଥିଲା। ପରିବାର ଲୋକେ ଗୁରୁତର ଅବସ୍ଥାରେ ମା ଓ ଝିଅଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ଭର୍ତ୍ତି କରିଥିଲେ। ଚିକିତ୍ସାଧିନ ଅବସ୍ଥାରେ ଆଜି ଉଭୟ ମା ଓ ଝିଅଙ୍କ ମୃତ୍ୟୁ ଘଟିଥିଲା। ସେଭଳି ଉମରକୋଟ ବ୍ଲକ ସେମଳା ପଞ୍ଚାୟତ ଅନ୍ତର୍ଗତ ବଡବାସିନୀ ଗ୍ରାମର ଭସମନ ଗଣ୍ଡଙ୍କ ପୁଅ ନୀଲମ ଗଣ୍ଡ ଗତକାଲି ରାତିରେ ଖାଇ ସାରିବା ପରେ ନିଜ ଘରେ ଶୋଇ ପଡିଥିଲେ। ତେବେ ରାତି ପ୍ରାୟ ୧୧ଟାରେ ଏକ ବିଷାକ୍ତ ସାପ ତାଙ୍କୁ କାମୁଡି ଦେବାରୁ ପରିବାର ଲୋକ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଇଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା। ସେହିପରି ରାଇଘର ବ୍ଲକ କଚରାପାରା-୧ ଗ୍ରାମର ଦୈତାରୀ ହନ୍ତାଳଙ୍କ ଝିଅ ଆରତି ହନ୍ତାଳଙ୍କୁ ଗତକାଲି ରାତିରେ ଏକ ସାପ କାମୁଡି ଦେଇଥିଲା। ପରେ ପରିବାର ଲୋକ ତାଙ୍କୁ ଉମରକୋଟ ମେଡିକାଲରେ ଭର୍ତି କରାଇଥିଲେ ହେଁ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର