ପାଚେରି ଭୁଶୁଡ଼ି ୪ ବେପାରୀ ମୃତ

ଢେଙ୍କାନାଳ : ଆଜି ଢେଙ୍କାନାଳ ଉପକଣ୍ଠ ସାପ୍ତାହିକ ରବିବାର ହାଟରେ ଏକ ଦରଭଂଗା ପାଚେରି କାନ୍ଥ ତଳେ ଚାପି ହୋଇ ଅକାଳରେ ଚାଲିଯାଇଛି ଚାରିଜଣ ପରିବା ବିକାଳୀଙ୍କ ଜୀବନ। ଅନ୍ୟ ୩ଜଣ ଗୁରୁତର ଆହତ ହୋଇ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଛନ୍ତି। ଏଥିସହ ପାଚେରି ତଳେ ଚାପି ହୋଇ ଅନ୍ୟୂନ ୧୫ଟି ବାଇକ୍‌ ଓ ୫ଟି ସାଇକଲ ଭାଂଗିରୁଜି ନଷ୍ଟ ହୋଇ ଯାଇଥିବା ଜଣାପଡ଼ିଛି।

ଢ଼େଙ୍କାନାଳ ଉପକଣ୍ଠ ଷ୍ଟେସନ ବଜାର ହାଟରୋଡ୍ ଠାରେ ଆଜି ମଧ୍ୟ ସାପ୍ତାହିକ ଅଳସୁଆ ହାଟ ବସିଥିଲା। ବିଭିନ୍ନ ଅଂଚଳରୁ ବ୍ୟବସାୟୀମାନେ ଆସି ନିଜର ପସରା ମେଲାଇ ବ୍ୟବସାୟ ଆରମ୍ଭ କରିଦେଇଥିଲେ। ଗ୍ରାହକଙ୍କ ଭିଡ଼ ମଧ୍ୟ ବଢି ଚାଲିଥିଲା। ହାଟ ବିକ୍ରିବଟା ଭିଡ଼ଜମି ଆସିବା ବେଳକୁ ସକାଳ ପ୍ରାୟ ସାଢ଼େ ୮ଟାରେ ହାଟ ପାଖରେ ଥିବା ଡି. ସୁନ୍ଦର ହଂସରାଜଙ୍କ ପରିତ୍ୟକ୍ତ ରାଇସ୍ ମିଲ୍‌ର ବହୁ ପୁରୁଣା ପାଚେରିଟି ହଠାତ୍ ଭୁଶୁଡି ପଡ଼ିଥିଲା। ପ୍ରାୟ ୧୨ ଫୁଟ ଉଚ୍ଚ ଏବଂ ୫୦ ଫୁଟ ଲମ୍ବାର ପାଚେରିଟି ଭୁଶୁଡ଼ି ପଡ଼ିବାରୁ ତା’ କଡ଼ରେ ବସି ପରିବା ବିକ୍ରି କରୁଥିବା ୭ ଜଣ ବ୍ୟବସାୟୀ ଗୁରୁତର ଆହତ ହେବା ସହ ଅନ୍ୟ କେତେକ ଖଣ୍ଡିଆଖାବରା ହୋଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗ, ପୁଲିସ୍ ଓ ଓଡ୍ରାଫ୍ ଟିମ୍ ଘଟଣା ସ୍ଥଳରେ ପହଂଚି କାନ୍ଥ ତଳେ ଚାପି ହୋଇଥିବା ଲୋକମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ମେଡିକାଲ୍‌ରେ ପହଂଚିବା ବେଳକୁ ୪ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ଡାକ୍ତର ଘୋଷଣା କରିଥିଲେ। ଅନ୍ୟ ୩ ଜଣ ଗୁରୁତର ଆହତଙ୍କୁ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ଡାକ୍ତରଖାନାକୁ ପଠାଇ ଦିଆଯାଇଥିଲା। ମୃତ୍ୟୁବରଣ କରିଥିବା ପରିବା ବେପାରିମାନେ ହେଲେ ଓଡ଼ାପଡ଼ା ବ୍ଲକ ଚାଇଁପୁର ପାଟଣାର ବେପାରୀ ସଂଗ୍ରାମ ସାହୁ (୨୫), ସଦର ବ୍ଲକ ଗେଙ୍ଗୁଟିଆ ଗ୍ରାମର ରାମଚନ୍ଦ୍ର ସାହୁ(୫୬) ଓ ଗୁରୁଜଙ୍ଗ ଗ୍ରାମର ଅଭିମନ୍ୟୁ ବିଶ୍ୱାଳ(୫୫) ଏବଂ କାମାକ୍ଷାନଗର ବ୍ଲକ କମଗରା ସିଦ୍ଧପାଳ ଗ୍ରାମର ମାୟାଧର ମଲ୍ଲିକ(୩୬)।

ପରେ ଜିଲ୍ଲାପାଳ ଶ୍ରୀ କଲ୍ୟାଣ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମିଶ୍ର ଏବଂ ଏସ୍‌ପି ଶ୍ରୀମତୀ ଜେମ୍ସ ପ୍ରମୁଖ ମୁଖ୍ୟ ଚିକିତ୍ସାଳୟକୁ ଆସି ମୃତକଙ୍କ ପରିବାରବର୍ଗ ଏବଂ ଆହତ ଓ ସେମାନଙ୍କ ପରିବାରକୁ ଭେଟି ସମବେଦନା ଜ୍ଞାପନ କରିଥିଲେ। ପ୍ରତ୍ୟେକ ମୃତକଙ୍କ ପରିବାରକୁ ସଙ୍ଗେସଙ୍ଗେ ରେଡକ୍ରସ୍‌ ପାଣ୍ଠିରୁ ୨୫ ହଜାର ଲେଖାଏଁ ଟଙ୍କା ପ୍ରଦାନ କରିଥିଲେ। କଟକ ସ୍ଥାନାନ୍ତର ହୋଇଥିବା ଗୁରୁତର ଆହତମାନଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ପ୍ରଶାସନ ପକ୍ଷରୁ ବହନ କରାଯିବା ସହ ବିଭିନ୍ନ ସରକାରୀ ସୁବିଧା ଯୋଗାଇ ଦିଆଯିବ ବୋଲି ଘୋଷଣା କରାଯାଇଛି। ଅନ୍ୟପକ୍ଷରେ ଲିଜ୍‌ରେ ଜମି ନେଇଥିବା ସଂପୃକ୍ତ ଡି. ସୁନ୍ଦର ହଂସରାଜ ରାଇସ୍ ମିଲ୍‌ ମାଲିକଙ୍କୁ ନୋଟିସ୍ ଦିଆଯିବା ସହ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ କଲ୍ୟାଣ ସୂଚନା ଦେଇଛନ୍ତି।

ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ପ୍ରାଣ ହରାଇଥିବା ୪ ଜଣଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରିବାକୁ ସେ ଘୋଷଣା କରିଛନ୍ତି। ଏହାସହିତ ଆହତଙ୍କୁ ମାଗଣା ଚିକିତ୍ସା ସେବା ଯୋଗାଇ ଦିଆଯିବ।

ସମ୍ବନ୍ଧିତ ଖବର