ଲଘୁଚାପ ବର୍ଷାରେ ୪ ଜିଲ୍ଲା ପ୍ରଭାବିତ

ମାଲକାନଗିରିରେ ଅଧିକ ବର୍ଷା, ୨ ଜଣଙ୍କ ପ୍ରାଣହାନୀ; ୧୯ରେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ

ଭୁବନେଶ୍ୱର, : ଲଘୁଚାପ ଜନିତ ବର୍ଷାରେ ଦକ୍ଷିଣ ଓଡ଼ିଶା ବେଶି ପ୍ରଭାବିତ ହୋଇଛି। ମାଲକାନଗିରି, କୋରାପୁଟ, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରେ ଲୋକଙ୍କ ଧନଜୀବନ କ୍ଷତିଗ୍ରସ୍ତ ହୋଇଛି। ଦୁଇ ଜଣଙ୍କ ପ୍ରାଣହାନୀ ଘଟିଥିବା ବେଳେ ପ୍ରାୟ ହଜାର ଲୋକଙ୍କୁ ବନ୍ୟାରୁ ଉଦ୍ଧାର କରାଯାଇଛି। ବର୍ଷା କମିଥିଲେ ମଧ୍ୟ ପାଣି ଛାଡ଼ି ନ ଥିବାରୁ ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସମସ୍ତ ନଦୀର ଜଳସ୍ତର ବିପଦ ସଙ୍କେତ ତଳେ ରହିଛି। ତେଣୁ କୌଣସି ଜିଲ୍ଲା ପ୍ରତି ବିପଦ ନଥିବା ଏସ୍‌ଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି ଜିଲ୍ଲାରେ ସର୍ବାଧିକ ୧୬୫.୩ ମିମି ବର୍ଷା ହୋଇଛି। ଜିଲ୍ଲାର ଖଇରପୁଟ ଓ ମାଥିଲି ବ୍ଲକରେ ୨୦୦ ମିମିରୁ ଅଧିକ ବର୍ଷା ରେକର୍ଡ କରାଯାଇଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ରାସ୍ତା ଧୋଇଯିବା ଯୋଗୁଁ ଯାତାୟତ ବ୍ୟାହତ ହୋଇଛି। କଳାହାଣ୍ଡି ଓ କୋରାପୁଟ ଜିଲ୍ଲା ମଧ୍ୟ ବହୁ ପରିମାଣରେ ପ୍ରଭାବିତ ହୋଇଛି। ବର୍ଷା ପାଣିରେ ଫସି ରହିଥିବା କଳାହାଣ୍ଡି ଜିଲ୍ଲାର ୭୦୪ ଜଣ ଗ୍ରାମବାସୀଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। କୋରାପୁଟ ଜିଲ୍ଲାର ୧୨୬ ଗ୍ରାମବାସୀ ମଧ୍ୟ ଉଦ୍ଧାର ହୋଇଛନ୍ତି। ଇନ୍ଦ୍ରାବତୀ ରିଜର୍ଭରରୁ ଜଳ ନିସ୍କାସନ ଦ୍ୱାରା ୧୦ ଜଣ ଲୋକ ଫସି ଯାଇଥିଲେ। ସେମାନଙ୍କୁ ସୁରକ୍ଷିତଭାବେ ସ୍ଥାନାନ୍ତର କରାଯାଇଛି। ପ୍ରଭାବିତ ଲୋକଙ୍କୁ ରିଲିଫ୍‌ ଦିଆଯାଉଛି। ଏନ୍‌ଡିଆରଏଫ୍‌ର ଗୋଟିଏ ଟିମ୍‌ ଓ ୪ଟି ବୋର୍ଟ ଏବେବି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଚଳିତ ବର୍ଷାରେ କୋରାପୁଟ ଜିଲ୍ଲାର ସିମିଳିଗୁଡ଼ା ଓ କଳାହାଣ୍ଡି ଜିଲ୍ଲାର ନର୍ଲାରେ ଦୁଇ ଜଣଙ୍କ ପ୍ରାଣହାନୀ ହୋଇଥିବା ନେଇ ଏସ୍‌ଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।

ଅନ୍ୟପକ୍ଷରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗତକାଲି ଅବପାତର ରୂପ ନେଇଥିଲା। ଆଜି ତାହା ଓଡ଼ିଶା ଅତିକ୍ରମ କରିଛି। ଫଳରେ ଗତ ୨୪ ଘଣ୍ଟାରେ ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇଛି। ଆସନ୍ତା ଦୁଇ ଦିନ ପାଇଁ ସେଭଳି ବର୍ଷା ହେବା ନାହିଁ। ହେଲେ ୧୮ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଏହି ଘୂର୍ଣ୍ଣିବଳୟ ୧୯ ତାରିଖରେ ଲଘୁଚାପର ରୂପ ନେବ। ପ୍ରଭାବରେ ସେହିଦିନ ରାତିଠାରୁ ଉତ୍ତର ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ମାଲକାନଗିରିର ଖଇରପୁଟ ବ୍ଲକରେ ସର୍ବାଧିକ ୨୨୫.୪ ମିମି ବର୍ଷା ହୋଇଥିବା ବେଳେ ମାଥିଲିରେ ୨୦୪, କୋରୁକୋଣ୍ଡାରେ ୧୯୫, କୁଡ଼ୁମୁଲଗୁମାରେ ୧୬୮, ମାଲକାନଗିରିରେ ୧୪୭, ପଡ଼ିଆ ବ୍ଲକରେ ୧୨୫, ନୂଆପଡ଼ା ଜିଲ୍ଲାର ସିନାପଲ୍ଲିରେ ୧୪୬, ବୋଡେନ୍‌ରେ ୧୧୮, ନୂଆପଡ଼ାରେ ୧୧୪, କୋରାପୁଟ ଜିଲ୍ଲାର ନନ୍ଦପୁରରେ ୧୪୦.୬, ବୈପାରିଗୁଡ଼ାରେ ୧୨୪.୮, କଳାହାଣ୍ଡିର ଗୋଲାମୁଣ୍ଡରେ ୧୨୬.୨, ଜୁନାଗଡ଼ରେ ୧୨୪, ନର୍ଲାରେ ୧୦୪, ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ରେ ୧୧୬.୨, ଗୁଡ଼ଭେଲ୍ଲା ବ୍ଲକରେ ୧୦୪ ମିମି ବର୍ଷର୍ା ହୋଇଥିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର