ଜୀବନ ହାରିଲେ ୪ ଚାଷୀ

ତୁମୁଡ଼ିବନ୍ଧ/ଖଡ଼ିଆଳ/ବୁର୍ଲା/ ତିହିଡି: ଚକଡ଼ା ପୋକ ଓ ତା’ପରେ ଅଦିନିଆ ବର୍ଷା କ୍ଷତି ସହି ନପାରି କନ୍ଧମାଳ ଜିଲ୍ଲା ସାଲାପାଟା ଗ୍ରାମର ବଣ୍ଡୁ ନାୟକ, ନୂଆପଡ଼ା ଜିଲ୍ଲା ଲାଞ୍ଜି ଗାଁର ମକରଧ୍ୱଜ ବେହେରା, ବରଗଡ଼ ଜିଲ୍ଲା ତୁକୁର୍ଲା ଗାଁର ଗରିବ ଆଚାର୍ଯ୍ୟ ଓ ଭଦ୍ରକ ଜିଲ୍ଲା କେଳାସାହି ଗାଁର ଭାବଗ୍ରାହୀ ଦାସ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ ଗୁମ୍ମା ପଞ୍ଚାୟତର ଦୁର୍ଗମ ଗ୍ରାମ ସାଲାପାଟା ଗ୍ରାମର ବଣ୍ଡୁ ନାୟକ ନିଜ ଜମିରେ ଧାରକରଜ ଆଣି ଧାନ ଚାଷ କରିଥିଲେ। ହେଲେ ପ୍ରଥମେ ଚକଡ଼ା ପୋକ ଯୋଗୁଁ ଫସଲ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏହା ପରେ ବର୍ଷା ପୁଣି ଦାଉ ସାଧିଲା। ସେପଟେ କ୍ଷତିପୂରଣ ମିଳିବାରେ ବି ବିଳମ୍ବ ହେବାରୁ ସେ ଚିନ୍ତିତ ଥିଲେ। ଆଜି ସକାଳୁ ସକାଳୁ ସେ ବିଷ ପିଇଥିଲେ। ଗୁୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବେଲଘର ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଂକଟାପନ୍ନ ହେବାରୁ ତୁମୁଡ଼ିବନ୍ଧ ମେଡିକାଲ ଅଣାଯାଉଥିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା। ସେହିଭଳି ନୂଆପଡ଼ା ଜିଲ୍ଲା ଲାଞ୍ଜି ଗାଁର ମକରଧ୍ୱଜ ବେହେରା ସୋମବାର ରାତିରେ ଆତ୍ମହତ୍ୟା କରିଛନ୍ତି। ଖବର ପାଇ ଖଡିଆଳ ପୁଲିସ ଘଟଣାସ୍ଥଳରୁ ମକରଧ୍ୱଜଙ୍କ ଝୁଲନ୍ତା ଶବ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି। ଚଳିତ ବର୍ଷ ନୂଆପଡ଼ା ଜିଲ୍ଲାରେ ୬ ଜଣ ଚାଷୀ ଆତ୍ମହତ୍ୟା କରି ସାରିଲେଣି। ବରଗଡ଼ ଜିଲ୍ଲା ଭଟଲି ଥାନା ତୁକୁର୍ଲା ଗାଁର ଚାଷୀ ଗରିବ ଆଚାର୍ଯ୍ୟ(୫୨) ମଧ୍ୟ ଆତ୍ମହତ୍ୟା କରିଛନ୍ତି। ଭାଇ ବିଶ୍ୱକେଶନ ଆଚାର୍ଯ୍ୟଙ୍କ କହିବା ଅନୁସାରେ ଗରିବ ନିଜର ୫ଏକର ଓ ଭାଗରେ ଦେଢ ଏକର ମିଶାଇ ମୋଟ ସାଢେ ୬ଏକର ଜମିରେ ଧାନ କରିଥିଲେ। ଏଥିପାଇଁ ସେ ଦେଢ ଲକ୍ଷ ଟଙ୍କା ଋଣ କରିଥିଲେ। ଗତ ସୋମବାର ହାତଉଧାରି ଦେଇଥିବା କିଛି ଲୋକ ଘରକୁ ଟଙ୍କା ମାଗିବାକୁ ଆସିଥିଲେ। ଉକ୍ତ ଘଟଣାକୁ ନେଇ ରାତିରେ ଘରେ ଝଗଡା ହୋଇଥିଲା। ସେ କୀଟନାଶକ ପିଇବା ପରେ ତାଙ୍କୁ ସ୍ଥାନୀୟ ଡାକ୍ତରଖାନା ଓ ପରେ ବୁର୍ଲାମେଡିକାଲ୍‍କୁ ଅଣାଯାଇଥିଲା। ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା। ଫସଲହାନି ଯୋଗୁଁ ଭଦ୍ରକ ଜିଲ୍ଲା ତିହିଡିି ବ୍ଲକ୍‌ ବାରସର ପଞ୍ଚାୟତର କେଳାସାହି ଗାଁର ଭାବଗ୍ରାହୀ ଦାସ (୫୮) ନାମକ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପରିବାର ଲୋକଙ୍କ କହିବାନୁଯାୟୀ ଫସଲହାନିକୁ ନେଇ ସେ କିଛିଦିନ ହେଲା ଚିନ୍ତାରେ ଥିଲେ। ଗତକାଲି ସଂଧ୍ୟା ୮ଟାରୁ ସେ ନିଖୋଜ ହୋଇଯାଇଥିଲେ। ବିଳମ୍ବିତ ରାତିରେ ସେ ବିଲରେ ଥିବା ଏକ ଗଛରେ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର