ସୁବର୍ଣ୍ଣରେଖା ମୁହାଣରେ ଡଙ୍ଗାବୁଡ଼ି ଘଟଣାଆଉ ୪ ମତ୍ସ୍ୟଜୀବୀଙ୍କ ମୃତଦେହ

ଭୋଗରାଇ/ବାଲିଆପାଳ : ସୁବର୍ଣ୍ଣରେଖା ମୁହାଣରେ ଗତକାଲିଠାରୁ ନିଖୋଜ ଥିବା ଆଉ ୪ ଜଣ ମତ୍ସ୍ୟଜୀବୀଙ୍କ ଶବ ଉଦ୍ଧାର କରାଯାଇଛି। ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିବାବେଳେ ଟାପୁରେ ଡଙ୍ଗା ସହିତ ଫସି ରହିଥିବା ୭ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କୁ ଠାବ କରିବାକୁ ଯାଇଥିବା ୩୦ ଜଣ ମତ୍ସ୍ୟଜୀବୀ ବି ସୁରକ୍ଷିତ ଅବସ୍ଥାରେ ଫେରି ଆସିଛନ୍ତି।

ଗତକାଲି ଭୋର୍‌ ସମୟରେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍‌ ସୁବର୍ଣ୍ଣରେଖା ମୁହାଣରେ ୩ଟି ଡଙ୍ଗା ବୁଡ଼ିଯାଇଥିଲା। ଏହି ଦୁର୍ଘଟଣା ପରେ ଅଧିକାଂଶ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଥିଲେ ମଧ୍ୟ ୫ ଜଣ ନିଖୋଜ ହୋଇ ଯାଇଥିଲେ। ସେମାନଙ୍କ ମଧ୍ୟରୁ ଭୋଗରାଇ ଥାନା ଅନ୍ତର୍ଗତ ନାରାୟଣ ମହାନ୍ତି ପଡ଼ିଆ ଗାଁର ଝାଡ଼େଶ୍ୱର ପାଳଙ୍କ ଶବ ଉଦ୍ଧାର କରାଯାଇଥିଲା। ଅନ୍ୟ ୪ ଜଣ ନିଖୋଜ ଥିବାବେଳେ ଆଜି ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେମାନେ ହେଲେ, ଅଜୟ ବେହେରା, କୁଶକାନ୍ତ ବେହେରା, ସଞ୍ଜୟ ବେହେରା ଓ ରାଜେନ୍ଦ୍ର ମାଝୀ।

ସେହିପରି ଦୁର୍ଘଟଣାର ଶିକାର ୭ ଜଣ ମତ୍ସ୍ୟଜୀବୀ ସମୁଦ୍ର ମଧ୍ୟରେ ଥିବା ଏକ ଟାପୁରେ ଆଶ୍ରୟ ନେଇଥିବା ସୂଚନା ମିଳିଥିଲା। ଫଳରେ ସେମାନଙ୍କୁ ଉଦ୍ଧାର କରିବାକୁ ଏକ ଡଙ୍ଗାରେ ୩୦ ଜଣ ସ୍ଥାନୀୟ ମତ୍ସ୍ୟଜୀବୀ ସମୁଦ୍ର ମଧ୍ୟକୁ ଯାଇଥିବା ବେଳେ ଆଜି ସକାଳେ ସମସ୍ତେ ଫେରି ଆସିଛନ୍ତି।

ସମ୍ବନ୍ଧିତ ଖବର