ଋଷିକୁଲ୍ୟା ଗଣ୍ଡରେ ଫସିଲେ ୫ ଯୁବତୀ : ୪ ଉଦ୍ଧାର, ଜଣେ ନିଖୋଜ

ଶେରଗଡ଼/ହିଞ୍ଜିଳିକାଟୁ : ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଓ ହିଞ୍ଜିଳିକାଟୁ ଥାନା କାଞ୍ଜିଆମ୍ମା ଗ୍ରାମରେ ଅଘଟଣ। ଖୁଦୁରୁକୁଣୀ ଓଷା ପାଇଁ ଋଷିକୁଲ୍ୟା ନଦୀକୁ ଯାଇଥିବାବେଳେ ୫ଜଣ ଯୁବତୀ ଗଣ୍ଡରେ ଫସିଯାଇଥିଲେ। ସେମାନଙ୍କ ମଧ୍ୟରୁ ୪ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ଜଣଙ୍କୁ ବର୍ତ୍ତମାନ ସୁଦ୍ଧା ଠାବ କରାଯାଇପାରିନି।

ଆଜି ସକାଳ ୯ଟାରେ କାଞ୍ଜିଆମ୍ମା ଗ୍ରାମର ଲିଜା ବେହେରା, ରୁପାଲି ବେହେରା, ଟିକି ବେହେରା ଓ ପୂଜା ଜେନା ଓ ସିଲି ଓଷା କରିବାକୁ ଗାଁରେ ଥିବା ଋଷିକୁଲ୍ୟା ନଦୀକୁ ଯାଇଥିଲେ। ଗତ ସପ୍ତାହରେ ଲଗାଣ ବର୍ଷା ଯୋଗୁଁ ପାଣି ସ୍ରୋତ ପ୍ରଖର ଥିଲା। ଫଳରେ, ସମସ୍ତେ ଏକ ଗଣ୍ଡରେ ଫସିଯାଇଥିଲେ। ଚିତ୍କାର ଶୁଣି ଗାଧୋଉଥିବା ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରି ହିଞ୍ଜିଳିକାଟୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। କିନ୍ତୁ ସିଲିଙ୍କ ପତ୍ତା ମିଳି ନଥିଲା।

ଖବର ମିଳିବା ସୁଦ୍ଧା, ହିଞ୍ଜିଳି ଦମକଳ ବାହିନୀ ସ୍ବତନ୍ତ୍ର ବୋଟ୍ ଦ୍ବାରା ନିଖୋଜ ସିଲିଙ୍କୁ ଉଦ୍ଧାର କରିବାକୁ ସକାଳ ୧୦ଟାରୁ ଉଦ୍ୟମ ଆରମ୍ଭ କରିଛନ୍ତି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କର ପତ୍ତା ମିଳିପାରି ନଥିବାରୁ ପରିବାର ଲୋକେ ଚିନ୍ତାରେ ରହିଛନ୍ତି ।

ସମ୍ବନ୍ଧିତ ଖବର