ମହାବଳକୁ ହିଁ ମାରିଥିଲେ : ପଞ୍ଝା, ନିଶ ଜବତ, ୪ ଶିକାରୀ ଗିରଫ

ବରଗଡ଼ : ଗତ ରବିବାର ବରଗଡ଼ ରେଂଜ ଅନ୍ତର୍ଗତ ଖଜୁରିଆ-ଦାମୋଦରପଡ଼ା ମଧ୍ୟସ୍ଥ ଜଂଗଲରୁ ଉଦ୍ଧାର ହୋଇଥିଲା ବାଘର ଗଳିତ ଶବ। ଶବଟି ନିକଟରେ ଡେବ୍ରିଗଡ଼ରେ ଦେଖା ଯାଇଥିବା ଏକମାତ୍ର ମହାବଳ ବାଘର ବୋଲି ସନ୍ଦେହ ସୃଷ୍ଟି ହୋଇଥିଲା। ବିଭାଗୀୟ ମନ୍ତ୍ରୀ ଏପରିକି ବନ ବିଭାଗ ମଧ୍ୟ ଶବଟି ମହାବଳର ବୋଲି ମାନିବାକୁ ପ୍ରସ୍ତୁତ ନଥିଲେ। କିନ୍ତୁ ଶନିବାର ବାଘକୁ ପୋତା ଯାଇଥିବା ସ୍ଥାନରୁ କିଛି ଦୂରରୁ ପଞ୍ଝା ଏବଂ ନିଶ ମିଳିବା ପରେ ତାହା ମହାବଳ ବାଘର ବୋଲି ସ୍ପଷ୍ଟ ହୋଇଛି। ଖୋଦ୍‌ ଆରସିସିଏଫ୍ ଓ.ପି ସିଂହ ଏହା ସ୍ପଷ୍ଟ କରିଛନ୍ତି। ବନ ବିଭାଗ ଜବତ କରିଥିବା ପଞ୍ଝା ଏବଂ ନିଶକୁ ଦେଖି ଶବଟି ମହାବଳ ଏବଂ ଏଥିରେ କୌଣସି ସନ୍ଦେହ ନାହିଁ ବୋଲି ଶ୍ରୀ ସିଂହ କହିଛନ୍ତି। ବାଘ ଶିକାର କରିଥିବା ୩ ଜଣଙ୍କୁ ମଧ୍ୟ ଗିରଫ କରାଯାଇଥିବା ଶ୍ରୀ ସିଂହ ସୂଚନା ଦେଇଛନ୍ତି। ସେମାନେ ହେଲେ ଭଟଲି ଖଜରିଆ ଗାଁର ତହସିଲ ଭୋଇ, ସୁଶୀଳ ଭୋଇ, ସତ୍ୟ ପ୍ରଧାନ ଓ ଅନ୍ୟ ଜଣେ।

ବନ ବିଭାଗ ଗତକାଲି ସେମାନଙ୍କୁ ଅଟକ ରଖି ସ୍ଥାନୀୟ ବରାହଗୋଡ଼ା କାର୍ଯ୍ୟାଳୟରେ ଅତି ସତର୍କତା ଏବଂ ଗୋପନୀୟ ଭାବେ ପଚରାଉଚରା କରିଥି‌ଲା। ଏହି ଶିକାରୀମାନେ ହିଁ ମହାବଳକୁ ମାରି ଅଙ୍ଗପ୍ରତ୍ୟଙ୍ଗ କାଟି ନେଇଥିବା ସ୍ବୀକାର କରିଥିଲେ। ଠୋସ୍ ତଥ୍ୟ ମିିଳିବା ପରେ ବରଗଡ଼ ଡିଏଫ୍ଓ ଅଭୟ ଦଳେଇଙ୍କ ନେତୃତ୍ବରେ ଚଢ଼ଉ ହୋଇଥିଲା। ବାଘକୁ ପୋତା ଯାଇଥିବା ଅନତିଦୂରରେ ଜଂଗଲ ଭିତରେ ଗୋଟିଏ ବ୍ୟାଗ ଭିତରେ ପଞ୍ଝା ଏବଂ ନିଶ ମିଳିଥିଲା। ଏଥିସହିତ ଡେବ୍ରିଗଡ଼ରେ ଥିବା ଏକମାତ୍ର ମହାବଳ ବାଘର ମୃତ୍ୟୁ ନେଇ ଲାଗି ରହିଥିବା ଛକାପଞ୍ଝାର ଅବସାନ ଘଟିଛି। ଅନ୍ୟପକ୍ଷରେ ବନ ବିଭାଗ ଡେରାଡୁନ ଏବଂ ବେଂଗାଲୁରୁକୁ ଯେଉଁ ନମୁନା ପଠାଇଥିଲା, ତାହାର ରିପୋର୍ଟ ଏଯାଏଁ ପହଂଚି ନାହିଁ। କିନ୍ତୁ ରିପୋର୍ଟର ଆଉ ବିଶେଷ ଆବଶ୍ୟକତା ନାହିଁ ବୋଲି ଆରସିସିଏଫ୍ ଶ୍ରୀ ସିଂହ କହିଛନ୍ତି। ଦିନେ ଦୁଇ ଦିନ ଭିତରେ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନ୍‌ଟିସିଏ)ର ଦୁଇ ଜଣିଆ ଟିମ୍ ବାଘ ହତ୍ୟା ମାମଲାର ସରଜମିନ ତଦନ୍ତ ପାଇଁ ବରଗଡ଼ ପହଞ୍ଚିବେ। କିନ୍ତୁ ଟିମ୍‌ର ଗସ୍ତସୂଚୀ ଏଯାଏଁ ଚୂଡ଼ାନ୍ତ ହୋଇନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର