ଗ୍ୟାସ୍‌ ଟାଙ୍କି ଫାଟି ୪ ଗୁରୁତର

ଓଡ଼ାପଡ଼ା/ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ବାଙ୍ଗୁରସି˚ହ ପଞ୍ଚାୟତ ଅନ୍ତର୍ଗତ ଜରଡ଼ା ସଅର ସାହିରେ ଆଜି ସକାଳେ ଜଣେ ବ୍ୟକ୍ତିଙ୍କ ଘରେ ରୋଷେଇ ଚାଲିଥିବା ବେଳେ ଗ୍ୟାସ୍ ଟାଙ୍କି ଫାଟି ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଏଥିସହ ଅଗ୍ନିକାଣ୍ଡ ଘଟି ୧୧ଟି ପରିବାରର ୧୧ ବଖରା ଘର ପୋଡ଼ିଯାଇଛି।

ସୂଚନା ଅନୁଯାୟୀ, ସଅର ସାହିର ବଗା ପଧାନଙ୍କ ବୋହୂ ମୀନା(୨୦) ଆଜି ପୂର୍ବାହ୍ଣ ପ୍ରାୟ ୯ଟା ବେଳେ ତାଙ୍କ ଘରେ ରୋଷେଇ କରୁଥିଲେ । ରୋଷେଇ ଘରେ ମୀନାଙ୍କ ସ୍ୱାମୀ ବିନୋଦ ପଧାନ (୨୨), ପୁଅ ଆୟୁଷ (୭)ଏବଂ ଶାଶୂ ହେମା ପଧାନ (୪୫) ମଧ୍ୟ ଥିଲେ । ଏହି ସମୟରେ ହଠାତ୍ ରୋଷେଇ ଗ୍ୟାସ୍ ଟାଙ୍କିଟି ଫାଟି ଯାଇଥିଲା। ଫଳରେ ସେଠାରେ ଥିବା ବିନୋଦ, ମୀନା, ହେମା ଓ ଆୟୁଷ ଆହତ ହୋଇଥିଲେ । ଏକ ଅଟୋରେ ସେମାନଙ୍କୁ ସଙ୍ଗେ ସଙ୍ଗେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିିତ୍ସାଳୟକୁ ଅଣାଯାଇଥିଲା । ସେଠାରେ ପ୍ରାଥମିକ ଚିକିିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ଆୟୁଷକୁ ଛାଡ଼ି ଅନ୍ୟ ୩ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ନିଆଁ ଲାଗି ମୀନାଙ୍କ ଶରୀରର ୯୦ ଭାଗ ଅଂଶ ପୋଡ଼ି ଯାଇଥିବା ବେଳେ ବିନୋଦ ଏବଂ ତାଙ୍କ ମା’ଙ୍କ ଶରୀରର ଏକାଧିକ ସ୍ଥାନ ପୋଡ଼ିଯାଇଛି । ଅନ୍ୟପକ୍ଷରେ ଗ୍ୟାସ୍ ଟାଙ୍କି ଫାଟି ନିଆଁ ଲାଗିଯିବା ଫଳରେ ବଗା ପଧାନଙ୍କ ଘର ସମେତ ଆଖପାଖର ୧୦ଟି ପରିବାରର ମୋଟ ୧୧ ବଖରା ଘର ପୋଡ଼ି ଯାଇଥିଲା। ହିନ୍ଦୋଳ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ସମ୍ବନ୍ଧିତ ଖବର