ଛତିଶଗଡ଼ରେ ଲ୍ୟାଣ୍ଡ୍‌ମାଇନ୍‌ ବିସ୍ଫୋରଣ : ୪ ଯବାନଙ୍କ ସମେତ ୬ ଗୁରୁତର

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ରକ୍ତମୁଖା ନକ୍ସଲ ଲଗାତାର ଭାବେ ହିଂସାକାଣ୍ଡ ଘଟାଇ ଚାଲିଛନ୍ତି। ବିଜାପୁର ଜିଲ୍ଲାରେ ଆଜି ପୁଣି ଯବାନଙ୍କୁ ନେଇ ଯାଉଥିବା ଗୋଟିଏ ଟ୍ରକକୁ ଟାର୍ଗେଟ କରି ଲ୍ୟାଣ୍ଡ୍‌ମାଇନ୍‌ ବିସ୍ଫୋରଣ କରିଛନ୍ତି। ଟ୍ରକ୍‌ଟି ଖଣ୍ଡ ଖଣ୍ଡ ହୋଇ ଉଡ଼ି ଯାଇଥିବା ବେଳେ ୪ ବିଏସଏଫ ଯବାନଙ୍କ ସହ ମୋଟ ୬ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ପରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି।

ସୂଚନା ଅନୁଯାୟୀ, ନିର୍ବାଚନ ଦାୟିତ୍ବରେ ଥିବା ବିଏସ୍‌ଏଫ୍‌ ଯବାନ ସୁରକ୍ଷା ବ୍ୟବସ୍ଥାର ତଦାରଖ କରି ଗୋଟିଏ ଟ୍ରକ୍‌ ଯୋଗେ ନିଜ କ୍ୟାମ୍ପକୁ ଫେରୁଥିଲେ। ସକାଳ ପ୍ରାୟ ୯ଟାରେ କୋଡେପାଲ ନିକଟସ୍ଥ ମହାଦେବ ଘାଟରେ ଟ୍ରକ୍‌କୁ ଟାର୍ଗେଟ କରି ନକ୍ସଲ ଲ୍ୟାଣ୍ଡମାଇନ ବିସ୍ଫୋରଣ କରିଥିଲେ। ବିସ୍ଫୋରଣର ଏତେ ତୀବ୍ର ଥିଲା ଯେ ଟ୍ରକ୍‌ଟି ଖଣ୍ଡ ଖଣ୍ଡ ହୋଇ ଯାଇଥିଲା। ବିଏସ୍‌ଏଫ୍‌ ୪୧୪ ବାଟାଲିୟନର ଏଏସଆଇ ନରେଶ ସିଂହ, କନେଷ୍ଟବଳ ଭଗବାନ ସିଂହ, ନିରଂଜନ ସିଂହ, ଆଲୋକ ସିଂହ, ଗଣପତି ବସନଙ୍କ ସହ ଟ୍ରକ ଡ୍ରାଇଭର ଏବଂ ଅନ୍ୟ ଜଣେ ଡିଆରଜି ଯବାନ ଗୁରୁତର ଆହତ ହୋଇଥିଲେ। ବିସ୍ଫୋରଣ ସଂପର୍କରେ ସୂଚନା ପାଇ ନିକଟସ୍ଥ କ୍ୟାମ୍ପରୁ ଯବାନ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଆହତଙ୍କୁ ଉଦ୍ଧାର କରିବା ପରେ ନିକଟସ୍ଥ ହସ୍ପିଟାଲରେ ଭର୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ରାୟପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ବୋଲି ଏସ୍‌ପି ମୋହିତ ଗର୍ଗ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର