ଦୁର୍ଘଟଣାରେ ଗଲା ୪ ଜୀବନ

ବଡ଼ମ୍ବା/ସାଲେପୁର/ରାଇସୁଙ୍ଗୁଡା : କଟକ ଜିଲ୍ଲାର ବଡ଼ମ୍ବା ଓ ସାଲେପୁରରେ ସଂଘଟିତ ଦୁଇଟି ଭିନ୍ନ ଭିନ୍ନ ଦୁର୍ଘଟଣାରେ ଚାରି ଜଣଙ୍କ ଦୁଃଖଦ ମୃତ୍ୟୁ ଘଟିଛି। ବଡମ୍ବା ଥାନା ଅନ୍ତର୍ଗତ ସାନବାରସିଂହଠାରେ ବାଇକ୍‌ ଦୁର୍ଘଟଣାରେ ଶ୍ୱଶୁର-ଜ୍ୱାଇଁଙ୍କ ମୃତ୍ୟୁ ଘଟିଥିବା ବେଳେ ସାଲେପୁରରେ ଦୁର୍ଘଟଣା ନେଇଛି ଦୁଇ ଭାଇଙ୍କ ଜୀବନ।

ପ୍ରକାଶ ଯେ ବଡମ୍ବା ଥାନା ଅନ୍ତର୍ଗତ ସାନବାରସିଂହଠାରେ ଆଜି ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଶ୍ୱଶୁର-ଜ୍ୱାଇଁଙ୍କ ମୃତ୍ୟୁ ଘଟିଛି। ମୃତ ଶ୍ୱଶୁର ସୁଦର୍ଶନ ସାହୁ (୫୦)ଙ୍କ ଘର କାନପୁର ଥାନା ଅନ୍ତର୍ଗତ ଅଢେଇଗୁଣ୍ଡି ଗ୍ରାମରେ ହୋଇଥିବା ବେଳେ ମୃତ ଜ୍ୱାଇଁ ଅକ୍ଷୟ ଓରଫ ଅଖିଳ କୁମାର ସାହୁ(୩୦)ଙ୍କ ଘର ନରସିଂହପୁର ଥାନା ଅନ୍ତର୍ଗତ ବରଡିହ ଗ୍ରାମରେ ବୋଲି ଜଣାପଡିଛି। ଆଜି ସକାଳେ ଅଖିଳ କୁମାର ତାଙ୍କ ସ୍ତ୍ରୀଙ୍କୁ ଶ୍ୱଶୁର ଘରେ ଛାଡିବାପରେ କୁମାର ପୂର୍ଣ୍ଣିମା ପାଇଁ କିଣାକିଣି ପାଇଁ ଶ୍ୱଶୁର-ଜ୍ୱାଇଁ ବାଇକ୍‌ରେ ଘରୁ ବାହାରିଥିଲେ। ଉଭୟ ନୂଆପାଟଣାରୁ ବଜାର କରି ଫେରୁଥିବା ବେଳେ ଦିନ ପ୍ରାୟ ୨ଟା ବେଳେ ବଡ଼ମ୍ବା-ନରସିଂହପୁର ମୁଖ୍ୟ ସଡ଼କପଥର ସାନବାରସିଂହଠାରେ ଅନ୍ୟ ଏକ ବାଇକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଗାଡ଼ିରୁ ଛିଟିକି ରାସ୍ତାରେ ପଡ଼ିଥିଲେ ଶ୍ୱଶୁର-ଜ୍ୱାଇଁ। ସଂଜ୍ଞାହୀନ ଅବସ୍ଥାରେ ଉଭୟ ଶ୍ୱଶୁର-ଜ୍ୱାଇଁଙ୍କୁ ଉଦ୍ଧାର କରାଯାଇ ବଡ଼ମ୍ବା ଡାକ୍ତରଖାନାରେ ଭର୍ତି କରାଯାଇଥଲା। କିନ୍ତୁ ଡାକ୍ତର ଦୁହିଙ୍କୁ ମୃତ ଘୋଷଣା କରିଥିଲେ । ଅପରପକ୍ଷରେ ବିପରୀତ ଦିଗରୁ ବାଇକରେ ଆସି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଅନ୍ୟ ୨ ଜଣ ମଧ୍ୟ ଆହତ ହୋଇଛନ୍ତି।

ସେହିପରି ସାଲେପୁର-କୁଅାଁପାଳ ରାସ୍ତାର ବୋଦାମୁଣ୍ଡେଇ ଶନିଛକଠାରେ ଦୁଇ ବାଇକ ମଧ୍ୟରେ ଦୁର୍ଘଟଣା ଘଟିବା ଫଳରେ ସ୍ଥାନୀୟ ଗୋଠଦା ଗ୍ରାମର ଦୁଇ ଭାଇ ରାକେଶ ନାୟକ (୩୫) ଓ ରାଜେଶ ନାୟକ (୩୨ଙ୍କ ମୃତ୍ୟୁ ଘଟିଛି। ରାକେଶ ଓ ରାଜେଶ ହୁଣ୍ଡା ଡ଼୍ରିମ୍‌ ବାଇକରେ କୁଆଁପାଳ ଆଡ଼କୁ ଯାଉଥିଲେ। ଏହି ସମୟରେ ରାଇସୁଙ୍ଗୁଡ଼ା ପଞ୍ଚାୟତର କୁସମ୍ଭୀ ଗ୍ରାମର ସନ୍ତୋଷ କବାଟ (୨୪) ଓ ବାପି କବାଟ (୨୩) ଏକ ହୁଣ୍ଡା ଷ୍ଟନ ବାଇକରେ ସାଲେପୁର ଆଡ଼କୁ ଦ୍ରୃତ ଗତିରେ ଆସୁଥିବା ବେଳେ ବୋଦାମୁଣ୍ଡାଇ ଠାରେ ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ସ୍ଥଳରେ ବଡ ଭାଇ ରାକେଶଙ୍କର ମୃତ୍ୟୁ ଘଟିଥିବା ବେଳେ ମେଡିକାଲକୁ ନେବା ବାଟରେ ସାନଭାଇର ମୃତ୍ୟୁ ଘଟିଥିଲା। ଅନ୍ୟ ବାଇକ୍‌ରେ ଥିବା ସନ୍ତୋଷ ଓ ବାପିଙ୍କୁ ଗୁରୁତର ଅବସ୍ଥାରେ କଟକ ବଡମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଦୁଇ ଭାଇ ବୁଲିବା ପାଇଁ ସାଲେପୁର ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ସାଲେପୁର ଥାନା ଅଧିକାରୀ ପ୍ରଶାନ୍ତ ମାଝି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର