‘ଯଶୋଦା’ମାରିଲା ମଣିଷ, ବାଘୁଣୀକୁ ଧରିବା ପାଇଁ ୨ ତାରିଖରେ ଆସିଥିଲା ହାତୀ

ମୃତକଙ୍କ ପରିବାରକୁ ୪ ଲକ୍ଷର ସହାୟତା ଘୋଷଣା

ବନ୍ତଳା/ପାଇକସାହି: ନରହନ୍ତା ବାଘୁଣୀ ‘ସୁନ୍ଦରୀ’ ଦାଉରୁ ଅଂଚଳବାସୀଙ୍କୁ ମୁକୁଳାଇବାକୁ ଆସି ନିଜେ ଆତଙ୍କର କାରଣ ସାଜିଛି ହାତୀ ‘ଯଶୋଦା’। ଆଜି ମଧ୍ୟାହ୍ନରେ ଚନ୍ଦକାର ଏହି ପୋଷା ମାଈ ହାତୀ ପୁରୁଣା‌େକାଟ ଗାଁରେ ଜଣେ ଯୁବକଙ୍କୁ ଶୁଣ୍ଢରେ କଚାଡ଼ି ଜୀବନ ନେଇଛି। ଆଜି ସକାଳେ ’ଯଶୋଦା’କୁ ପୁରୁଣାକୋଟ ବନ ବିଭାଗ ରେଞ୍ଜ କାର୍ଯ୍ୟାଳୟଠାରୁ ମାତ୍ର ୨୦୦ ମିଟର ଦୂର ନାଳ ପାଖରେ ଏକ ବାଉଁଶ ବୁଦାରେ ବନ୍ଧା ଯାଇଥିଲା। ସେଠାରେ ତାକୁ ଖାଇବା ପାଇଁ ମଧ୍ୟ ଦିଆଯାଇଥିଲା। ପୁରୁଣାକୋଟ ମାଟିଆ ସାହିର ସୁଦର୍ଶନ ପ୍ରଧାନ (୪୦) ମାଛ ମାରିବା ପାଇଁ ଏହି ନାଳରେ ଜାଲ ବସାଇଥିଲେ। ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ସେ ନାଳକୁ ଜାଲ ଖୋଲିବା ପାଇଁ ଯାଇଥିଲେ। ପାଖରେ ହାତୀ ବନ୍ଧା ହୋଇଥିବାରୁ ତାକୁ ଖାଇବାକୁ ଦେବା ପାଇଁ ଶ୍ରଦ୍ଧାରେ ଏକ କଦଳୀ ଗଛ ମଧ୍ୟ ସାଥୀରେ ନେଇଥିଲେ। ବନ୍ଧା ଯାଇଥିବା ‘ଯଶୋଦା’କୁ ସେ କଦଳୀ ଗଛ ଦେବା ବେଳେ ହାତୀଟି ଶୁଣ୍ଢରେ ତାଙ୍କୁ ଭିଡ଼ି ନେଇ କଚାଡ଼ି ଦେବା ସହ ଗୋଡ଼ରେ ଦଳି ଦେଇଥିଲା। ଏଥିରେ ସୁଦର୍ଶନଙ୍କ ଅନ୍ତଃବୁଜୁଳା ବାହାରିପଡ଼ି ଘଟଣାସ୍ଥଳରେ ହିଁ ପ୍ରାଣବାୟୁ ଉଡ଼ି ଯାଇଥିଲା। ଏହି ଘଟଣା ପ୍ରଚାର ହେବା ପରେ ସେଠାକୁ ସ୍ଥ‌ାନୀୟ ଲୋକଙ୍କ ସୁଅ ଛୁଟିଥିଲା। ପୁରୁଣାକୋଟ ଥାନା ଅଧିକାରୀ ବିଜୟ ହାଇବ୍ରୁ ଓ ରେଞ୍ଜର ଗଜେନ୍ଦ୍ର ବେହେରା ଓ କର୍ମଚାରୀମାନେ ସେଠାରେ ପହଞ୍ଚିଥିଲେ। ସୁଦର୍ଶନଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ଅନୁଗୁଳ ମୁଖ୍ୟ ଚିକତ୍ସାଳୟକୁ ନିଆଯାଇଥିଲା। ଏ ସଂପର୍କରେ ରେଞ୍ଜର ଗଜେନ୍ଦ୍ର ବେହେରାଙ୍କୁ ପଚାରିବାରୁ ସେ କହିଥିଲେ, ‘ଯଶୋଦା’ ହିଂସ୍ର ପ୍ରାଣୀ ନୁହେଁ। ସେ ପୂର୍ବରୁ ମଧ୍ୟ ସାତକୋଶିଆରେ ଥିଲା। ‌େତବେ‌ ସେ ଆଜି ହଠାତ୍ କାହିଁକି ହିଂସ୍ର ହେଲା ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ସେ କହିଥିଲେ। ଅନ୍ୟପକ୍ଷରେ ମୃତ ସୁଦର୍ଶନଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୪ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର