ବାଲେଶ୍ୱରରେ ସିଏଏର ୪ଜଣିଆ ଟିମ୍‌

ଆଜାଦ୍‌ ପରଭେଜ୍‌ଙ୍କ ବାଜ୍ୟାପ୍ତ ସମ୍ପତ୍ତି ନିଲାମ ପାଇଁ ପଦକ୍ଷେପ

ବାଲେଶ୍ୱର : ଆନ୍ତର୍ଜାତିକ ନିଶା ମାଫିଆ ଆଜାଦ ପରଭେଜ ଓ ତାଙ୍କ ପରିବାରର ବାଜ୍ୟାପ୍ତ ସମ୍ପତ୍ତିକୁ ତୁରନ୍ତ ନିଲାମ କରିବା ପାଇଁ କମ୍ପିଟେଣ୍ଟ ଅଥରିଟି ଆଣ୍ଡ୍‌ ଆଡ୍‌ମିନିଷ୍ଟ୍ରେଟର (ସିଏଏ) କୋଲକାତାର ୪ ଜଣିଆ ଟିମ୍‌ ଆଜି ବାଲେଶ୍ୱରରେ ପହଞ୍ଚିଛନ୍ତି। ସିଏଏର ଯୁଗ୍ମ କମିଶନର ପ୍ରଫୁଲ୍ଲ କୁମାର ପୃଷ୍ଟିଙ୍କ ନେତୃତ୍ୱରେ ଏହି ଟିମ୍‌ ଦୁଇଦିନିଆ ଗସ୍ତରେ ବାଲେଶ୍ୱର ଆସିଥିବା ଜଣାପଡ଼ିଛି। ଏନ୍‌ଡିପିଏସ୍‌ ଆକ୍ଟ୍‌ ଅନୁସାରେ ସୁପ୍ରିମକୋର୍ଟଙ୍କ ନିର୍ଦେଶରେ କୁଖ୍ୟାତ ନିଶା ମାଫିଆ ଆଜାଦ ପରଭେଜ ଓ ତାଙ୍କ ଭାଇ ଜାଭେଦ ପରଭେଜର ସମ୍ପତ୍ତି ଜବତ ହୋଇଥିଲା। ସିଏଏ ଟିମ୍‌ ଆଜି ବାଲେଶ୍ୱରର ବିଭିନ୍ନ ସ୍ଥାନରେ ଥିବା ସେସବୁ ସମ୍ପତ୍ତିର ବର୍ତ୍ତମାନର ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହି ସମ୍ପତ୍ତି ରେମୁଣା ଓ ବାଲେଶ୍ୱର ସଦର ତହସିଲ ଅଧୀନରେ ୧୧ଟି ଅଞ୍ଚଳରେ ରହିଥିବା ଜଣାପଡ଼ିଛି। ଜିଲ୍ଲାପାଳଙ୍କ ନିର୍ଦେଶରେ ସଦର ତହସିଲଦାର ରଶ୍ମିରେଖା ପ୍ରଧାନ, ରେମୁଣା ତହସିଲଦାର ଅମୀୟ କୁମାର ରାଉତ ଓ ବାଲେଶ୍ୱର ପୌରସଂସ୍ଥାର ନିର୍ବାହୀ ଅଧିକାରୀ କାହ୍ନଚରଣ ମଲ୍ଲିକ ଏହି ଟିମ୍‌ ସହ ଯାଇ ଉକ୍ତ ସ୍ଥାନଗୁଡ଼ିକୁ ଦେଖାଇଥିଲେ। ଅପରାହ୍ନରେ ଏହି ଟିମ୍‌ ବାଲେଶ୍ୱର ଜିଲ୍ଲାପାଳ ପ୍ରମୋଦ କୁମାର ଦାସଙ୍କ ସହ ଆଲୋଚନା କରିଛନ୍ତି। ଆସନ୍ତା ଜାନୁଆରି ସୁଦ୍ଧା ଏହି ସମ୍ପତ୍ତିଗୁଡ଼ିକ ନିଲାମ କରିବା ପାଇଁ ନୋଟିସ୍‌ ଜାରି କରିବାକୁ ବୈଠକରେ ଆଲୋଚନା ହୋଇଛି।

ସମ୍ବନ୍ଧିତ ଖବର