ବ୍ରାହ୍ମଣୀରେ ବୁଡ଼ିଲା ଡଙ୍ଗା : ରାତିରେ ଯାଉଥିଲେ ପ୍ରାୟ ୯ ଜଣ, ନାଉରିଆ ସହ ପାଞ୍ଚ ଉଦ୍ଧାର, ୪ ନିଖୋଜ

ଢେଙ୍କାନାଳ/ଓଡ଼ାପଡ଼ା/ପର୍ଜଙ୍ଗ : ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ୍‌ ଖଡ଼ଗପ୍ରସାଦ ବ୍ରାହ୍ମଣୀ ନଦୀ ଘାଟରେ ଆଜି ଘଟିଛି ବଡ଼ ଅଘଟଣ। ବିଳମ୍ବିତ ରାତିରେ ଏକ ଡଙ୍ଗାରେ ପ୍ରାୟ ୯ଜଣ ଯାତ୍ରୀ ଖଡ଼୍ଗପ୍ରସାଦ ପଟୁ ପର୍ଜଙ୍ଗ ବ୍ଲକ ରୋଡ଼ ଘାଟ ଆଡ଼କୁ ପାର୍‌ ହେଉଥିବା ବେଳେ ବନ୍ୟା ପାଣିରେ ବୁଡ଼ି ଯାଇଛନ୍ତି। ରିପୋର୍ଟ ଲେଖାଯିବା ସୁଦ୍ଧା ପର୍ଜଙ୍ଗ ବ୍ଲକ୍‌ କୁନ୍ଦନଦେଇପୁର ଗାଁର ବିଶ୍ବଜିିତ୍‌ ଆଚାର୍ଯ୍ୟ, ରୋଡ଼ ଗାଁର ସୁଶାନ୍ତ ସାହୁ, ଲୁଲୁ ନାୟକ ଓ ରମେଶ ସାହୁଙ୍କୁ ମିଶାଇ ମୋଟ୍‌ ଚାରି ଜଣ ଯୁବକ ନିଖୋଜ ଥିବା ବେଳେ ଖଡ଼ଗପ୍ରସାଦ ଗାଁର ନାଉରିଆ ଘନିଆ ସାହୁ, ପର୍ଜଙ୍ଗ ବ୍ଲକ୍‌ ଗଇଲୋ ଗାଁର ଅଜୟ ନାୟକ, ପ୍ରତାପ ସାହୁ ଓ ରୋଡ଼ ଗାଁରଲିପୁ ସାହୁ ଉଦ୍ଧାର ହୋଇଛନ୍ତି। ଘଟଣା ପ୍ରଘଟ ହେବା ପରେ ନଦୀର ଉଭୟ କୂଳ ଲୋକାରଣ୍ୟ ହୋଇପଡ଼ିଛି। ରାତି ପ୍ରାୟ ୯ଟା ସମୟରେ ଏହି ଅଘଟଣ ଘଟିଛି। ଭୂଷଣ ପ୍ଲାଣ୍ଟ୍‌ରେ କାମ କରିବା ପାଇଁ ପ୍ରାୟ ପ୍ରତିଦିନ ପର୍ଜଙ୍ଗ ପଟୁ ଲୋକେ ଖଡ଼୍‌ଗପ୍ରସାଦ ଘାଟରେ ନଦୀ ପାର୍‌ ହୋଇ ଆସନ୍ତି। କାମ ସାରି ରାତିରେ ଫେରିଥାନ୍ତି। ଆଜି ମଧ୍ୟ ରାତିରେ ଲୋକେ ଫେରୁଥିଲେ। ଡଙ୍ଗାରେ ନଦୀ ପାର୍‌ ହେଉଥିଲେ। ନାଉରିଆ ଏବଂ ତାଙ୍କ ପୁଅକୁ ମିଶାଇ ପ୍ରାୟ ୯ଜଣ ଡଙ୍ଗାରେ ଥିଲେ। ପ୍ରାୟ ଅଧା ନଦୀ ଡଙ୍ଗା ଅତିକ୍ରମ କରି ସାରିଥିଲା। ପର୍ଜଙ୍ଗ ବ୍ଲକ୍‌ ରୋଡ଼ ଘାଟ ପାଖାପାଖି ହେଲା ବେଳକୁ ଡଙ୍ଗା ପାଣିରେ ବୁଡ଼ି ଯାଇଥିଲା। କେଉଁ କାରଣରୁ ଡଙ୍ଗା ବୁଡ଼ିଲା ତାହା ସ୍ପଷ୍ଟ ହୋଇନାହିଁ। ରିପୋର୍ଟ ଲେଖାଯିବା ସୁଦ୍ଧା ନାଉରିଆ ସମେତ ମୋଟ୍‌ ୫ଜଣ ଉଦ୍ଧାର ହୋଇଛନ୍ତି। ସେଥିରୁ ଜଣକୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଅବଶିଷ୍ଟ ପ୍ରାୟ ୪ଜଣ ନିଖୋଜ ଥିବା ଅନୁମାନ କରାଯାଉଛି। ଯେଉଁ ଅଞ୍ଚଳରେ ଅଘଟଣ ଘଟିଛି, ସେଠାରେ ବଣୁଆ ହାତୀଙ୍କ ଉପଦ୍ରବ ଯୋଗୁଁ ଭୟର ବାତାବରଣ ଦ୍ବିଗୁଣିତ ହୋଇଛି। ଲୋକେ ଡରରେ ସେଠାକୁ ଯାଉ ନାହାନ୍ତି। ସୂଚନା ପାଇ ରାତିରେ ଜିଲ୍ଲା ପ୍ରଶାସନର ପଦାଧିକାରୀ ଘଟଣାସ୍ଥଳରେ ପହଞ୍ଚିଛି।

ସମ୍ବନ୍ଧିତ ଖବର