ଜଳିଗଲା ୪ଧାନ, ଗୋଟିଏ ମାଣ୍ଡିଆ ଗଦା

ପଟାଙ୍ଗି : କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକର ଅମ୍ପାବାଲି ଗ୍ରାମର ଏକ ଖଳାରେ ଅଗ୍ନିକାଣ୍ଡ ଘଟି ୪ଟି ଧାନ ଗଦା ଓ ଗୋଟିଏ ମାଣ୍ଡିଆ ଗଦା ପୋଡି ପାଉଁଶ ହୋଇଯାଇଛି। ସୂଚନା ଅନୁଯାୟୀ, ଅମ୍ପାବାଲି ଗ୍ରାମର ଜାନୀ ଆପାନ୍ନା ମାଣ୍ଡିଆ ଅମଳ କରି ଗାଁର ଏକ ଖଳାରେ ଗଦା କରି ରଖିଥିଲେ। ସେହିପରି ଗ୍ରାମର ସେମ୍ବି ତାଉଡୁ, ସେମ୍ବି ସନ୍ୟାସୀ ଓ ସେମ୍ବି ତାମିୟା ଧାନ ଅମଳ କରି ଏହି ଖଳାରେ ରଖିଥିଲେ। ତେବେ ଗତକାଲି ଅପରାହ୍ନ ପ୍ରାୟ ୩ଟାରେ ଏହି ଖଳାରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା। ଧୀରେ ଧୀରେ ନିଆଁ ଧାନ ଓ ମାଣ୍ଡିଆ ଗଦାରେ ଲାଗି ଯାଇଥିଲା। ଏହା ଦେଖିବା ପରେ ଗ୍ରାମବାସୀ ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ନିଆଁ ଲାଗି ୪ଟି ଧାନ ଗଦା ଓ ଗୋଟିଏ ମାଣ୍ଡିଆ ଗଦା ପୋଡି ଯାଇଥିଲା। ଏହି ଅଗ୍ନିକାଣ୍ଡରେ ଆପାନ୍ନାଙ୍କ ୭ରୁ ୧୦ବସ୍ତା ମାଣ୍ଡିଆ, ତାଉଡୁଙ୍କ ୨୦ବସ୍ତା ଧାନ, ସନ୍ୟାସୀଙ୍କ ୧୦ବସ୍ତା ଧାନ, ତାମାୟାଙ୍କ ୧୦ବସ୍ତା ଧାନ ପୋଡି ପାଉଁଶ ହୋଇଯାଇଥିବା ଜଣାପଡିଛି। ଅନ୍ୟପଟେ ଅଗ୍ନିକାଣ୍ଡରେ ଫସଲ ନଷ୍ଟ ହେବା ପରେ ପରିବାର କିଭଳି ଚଳିବ ବୋଲି କ୍ଷତିଗ୍ରସ୍ତ ଚାଷୀ କହିଛନ୍ତି। ଶୀଘ୍ର କ୍ଷତିଗ୍ରସ୍ତ ଚାଷୀଙ୍କୁ ପ୍ରଶାସନ ପକ୍ଷରୁ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି ହୋଇଛି।

ଧାନ ଗଦାରେ ନିଆଁ ଲାଗିଲା

ଚନ୍ଦାହାଣ୍ଡି : ଚନ୍ଦାହାଣ୍ଡି ବ୍ଲକ ଅନକାବେଡା ପଞ୍ଚାୟତ ଅନ୍ତର୍ଗତ ନୂଆପଡାର ଗୋଟିଏ ଧାନ ଖଳାରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ, ନୂଆପଡା ଗ୍ରାମର ଛୋଟେଲାଲ ପାଣ୍ଡେ ଚାଷ ଜମିରୁ ଧାନ କାଟିବା ପରେ ଅମଳ ନିମନ୍ତେ ଘର ନିକଟ ଖଳାରେ ଗଦା କରି ରଖିଥିଲେ। ତେବେ ହଠାତ ଆଜି ସକାଳେ ପାଳ ଗଦାରେ ନିଆଁ ଲାଗି ଚାରିଆଡେ ବ୍ୟାପୀ ଯାଇଥିଲା। ନିଆଁ ଲାଗିବା ଦେଖି ଗ୍ରାମବାସୀ ତୁରନ୍ତ ଚନ୍ଦାହାଣ୍ଡି ଦମକଳ କେନ୍ଦ୍ରକୁ ଖବର ଦେବାପରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ ୫୦ ହଜାରରୁ ଊର୍ଧ୍ୱ ଟଙ୍କାର ଧାନ ପୋଡି ପାଉଁଶ ହୋଇଯାଇଥିବା ଜଣାପଡିଛି। ଦମକଳ ବାହିନୀ ଠିକ୍‌ ସମୟରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବାରୁ ନିକଟରେ ଥିବା ଘର ବର୍ତି ଯାଇଛି।

ସମ୍ବନ୍ଧିତ ଖବର