ଡଙ୍ଗାରୁ ଖସି ଜଳଭଣ୍ଡାର ମଝିରେ ୮ ଘଣ୍ଟା, ଦମକଳ ବାହିନୀ ଉଦ୍ୟମରେ ଗଛ ଉପରୁ ୪ ଉଦ୍ଧାର

ପାତ୍ରପୁର : ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକରେ ବାଘଲଟି ଜଳଭଣ୍ଡାରରେ ଫସିଥିବା ବଣିଆବସା ଓ ବେହେରାପୁଟୁ ଚ‌ାରିଜଣଙ୍କୁ ଆଜି ଦମଳବାହିନୀ ଉଦ୍ଧାର କରିବାରେ ସମର୍ଥ ହୋଇଛି। ସେମାନେ ହେଲେ ଏଲଗଲ ଓ ବେହେରାପୁଟୁ ଗ୍ରାମର ଅଙ୍ଗନବାଡି କର୍ମୀ ମଞ୍ଜୁଳା କାର୍ଜୀ (୧୯), ଦଣ୍ତପାଣି କାର୍ଜୀ (୧୬), ପ୍ରଫୁଲ୍ଲ କାର୍ଜୀ (୨୦) ଓ ନାଉରିଆ ନରସିଂହ କାର୍ଜୀ (୪୫)।

ଆଜି ସକାଳେ ଏମାନେ ବାଘଲଟି ଜଳଭଣ୍ଡାର ପାର ହୋଇ ତୁରୁବୁଡ଼ି ବଜାରକୁ ସାମଗ୍ରୀ ନେବାକୁ ଆସିଥିଲେ। କିନ୍ତୁ ଫେରୁଥିବାବେଳେ ପ୍ରବଳ ବର୍ଷା ଓ ପବନ ହେବାରୁ ଜଳଭଣ୍ଡାର ମଧ୍ୟରେ ଡଙ୍ଗା ଭାରସାମ୍ୟ ହରାଇ ଦୋହଲିବା ଆରମ୍ଭ ହେବାରୁ ସମସ୍ତେ ଆତଙ୍କିତ ହୋଇ ଉଠିଥିଲେ। କିନ୍ତୁ ନାଉରିଆ ନରସିଂହ ବିଚଳିତ ନ ହୋଇ ମଧ୍ୟଭାଗରେ ରହିଥିବା ଡଙ୍ଗାକୁ କଷ୍ଟେମଷ୍ଟେ ନେଇ ଗଛ ନିକଟରେ ଲଗାଇଥିଲେ। ସକାଳ ୧୦ଟାରୁ ସନ୍ଧ୍ୟା ସାଢେ ୬ଟା ପର୍ଯ୍ୟନ୍ତ ସେମାନେ ଗଛରେ ରହିଥିଲେ। ମୋବାଇଲ ଯୋଗେ ଯୋଗାଯୋଗ କରିବା ବି ସମ୍ଭବପର ହୋଇପାରି ନଥିଲା। ପରେ ଆତ୍ମୀୟ ଓ ଗ୍ରାମବାସୀ ଜାଣିବା ପରେ ତହସିଲଦାର ଶ୍ରୀନିବାସ ବେହେରାଙ୍କୁ ଅବଗତ କରିଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ପହଞ୍ଚି ଗଛ ଉପରେ ଥିବା ୪ଜଣଙ୍କୁ ଉଦ୍ଧାର କରିଥିଲେ। ତେବେ ନାଉରିଆ ନରସିଂହଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ସମସ୍ତଙ୍କ ଜୀବନ ବଞ୍ଚିଯାଇଥିବାରୁ ତାଙ୍କୁ ପ୍ରଶଂସା କରାଯାଇଛି।

ସମ୍ବନ୍ଧିତ ଖବର