ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡ଼ିଲା

୪ ବିଦେଶୀଙ୍କୁ ଜେରା, କ୍ୟାମେରା ଜବତ,ବ୍ୟକ୍ତିଗତ ମୁଚାଲିକାରେ ମୁକୁଳିଲେ

ପୁରୀ :ସମସ୍ତ କଟକଣାକୁ ବେଖାତିର କରି ପୁଣି ଥରେ ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡ଼ିଛି। ଡ୍ରୋନ୍‌ରେ ଖଞ୍ଜା ଯାଇଥିବା କ୍ୟାମେରାରେ ମନ୍ଦିର ଭିତର ସମସ୍ତ ଗୁପ୍ତ ସ୍ଥାନର ଫଟୋ କଏଦ୍‌ ହୋଇଛି। ଆଜି ମଧ୍ୟାହ୍ନରେ ରାଧାବଲ୍ଲଭ ମଠ ଉପରେ ଛିଡ଼ା ହୋଇ ୪ ଜଣ ଋଷୀୟ ପର୍ଯ୍ୟଟକ ଏହି କାଣ୍ଡ ଭିଆଇଛନ୍ତିି। ୩ ଦିନ ତଳେ ଜଣେ ଋଷୀୟ ପର୍ଯ୍ୟଟକ ସିଂହଦ୍ଵାର ସମ୍ମୁଖରେ ବସି ଖଂଜଣି ବଜାଉଥିବା ବେଳେ ନଜରକୁ ଆସିଥିଲେ। ତାଙ୍କୁ ଏବେ ପୌରସଂସ୍ଥାର ରାତ୍ରି ଆଶ୍ରୟସ୍ଥଳରେ ରଖି ଯାଂଚ ଚାଲିଛି। ଏଭଳି ପରିସ୍ଥିତିରେ ଏବେ ସେହି ଋଷ୍‌ର ଆଉ ୪ ଜଣ ପର୍ଯ୍ୟଟକ ଶ୍ରୀମନ୍ଦିର ଗୁପ୍ତ ସ୍ଥାନର ଏଭଳି ସୁଟିଂ କରିବା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି। ପୁଲିସ ଚାରି ବିଦେଶୀ ପର୍ଯ୍ୟଟକଙ୍କୁ ଥାନାକୁ ନେଇ ପଚରାଉଚରା କରିବା ପରେ ସଂଧ୍ୟାରେ ବ୍ୟକ୍ତିଗତ ମୁଚାଲିକାରେ ଛାଡ଼ି ଦେଇଛି। ସେମାନଙ୍କ ଠାରୁ ଡ୍ରୋନ୍‌ କ୍ୟାମେରା ଜବତ କରାଯିବା ସହ ମୋବାଇଲ୍‌ରେ ଥିବା ଶ୍ରୀମନ୍ଦିରର ଭିଡିଓ ରେକର୍ଡିଂ ଡିଲିଟ୍‌ କରି ଦିଆଯାଇଛି।

ଆଜି ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟା ବେଳେ ରାଧାବଲ୍ଲଭ ମଠ ଉପରେ ଚଢି ୪ ଋଷୀୟ ପର୍ଯ୍ୟଟକ ମାକ୍ସିମ୍‌ ଭେକ୍କୋତୁର୍ଭ, ୟୁଲିଆ ସାଭାଲକୋଭା, ଦିମା ଜିଓବିନ୍‌ ଓ ଏଲିନା ସେଲୋଡ଼୍ୟୁକ୍‌ ଡ୍ରୋନ୍‌ କ୍ୟାମେରା ଉଡ଼ାଇ ଶ୍ରୀମନ୍ଦିର ସ୍ନାନ ମଣ୍ଡପ, ନୀଳଚକ୍ର, କୋଇଲି ବୈକୁଣ୍ଠ, କୀର୍ତ୍ତନ ଚକଡ଼ା ଓ ଅନ୍ୟାନ୍ୟ ଗୁପ୍ତ ସ୍ଥାନର ସୁଟିଂ କରୁଥିଲେ। ଜେଟିପି ଶାନ୍ତନୁ ପ୍ରଧାନ ଏହା ଦେଖି ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକଙ୍କୁ ଖବର ଦେଇଥିଲେ। ପରେ ସିଂହଦ୍ଵାର ପୁଲିସ୍‌କୁ ଖବର ଯାଇଥିଲା। ପୁଲିସ୍‌ ସେମାନଙ୍କୁ ସିଂହଦ୍ୱାର ଥାନାକୁ ନେଇ ପଚରାଉଚରା କରିଥିଲା। ସେମାନେ ବିଭିନ୍ନ ତୀର୍ଥ ସ୍ଥାନ ବୁଲିବା ବେଳେ ସେଗୁଡ଼ିକ ସୁଟିଂ କରିଛନ୍ତି ଓ ପୁରୀ ଜଗନ୍ନାଥ ମନ୍ଦିରର ମଧ୍ୟ ସୁଟିଂ କରି ରଖିବାକୁ ଡ୍ରୋନ୍‌ କ୍ୟାମେରା ବ୍ୟବହାର କରିଥିବା ସିଂହଦ୍ଵାର ଥାନା ଭାରପ୍ରାପ୍ତ ଅଧିକାରୀ କହିଛନ୍ତି। ଡ୍ରୋନ୍‌ କ୍ୟାମେରା ଉଡ଼ାଇବା ପାଇଁ ନିଷିଦ୍ଧାଜ୍ଞା ନଥିବାରୁ ଏହି ବିଦେଶୀ ପର୍ଯ୍ୟଟକଙ୍କୁ ବାନ୍ଧିବା ସମ୍ଭବ ନୁହେଁ ବୋଲି ଏସ୍‌ପି ଡା. ସାର୍ଥକ ଷଡ଼ଙ୍ଗୀ କହିଛନ୍ତି। ତେବେ ସେମାନଙ୍କ ଠାରୁ କ୍ୟାମେରା ଜବତ କରି ସମସ୍ତଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ଛଡ଼ାଯାଇଛି ବୋଲି ସେ କହିଛନ୍ତି।

ତେବେ ବିଦେଶୀଙ୍କ ଦ୍ୱାରା ଡ୍ରୋନ୍‌ କ୍ୟାମେରାରେ ଶ୍ରୀମନ୍ଦିରର ଭିଡିଓ ରେକର୍ଡିଂ ଏହି ପ୍ରଥମ ଘଟଣା ନୁହେଁ। ପୂର୍ବରୁ ୨୦୧୪ ଅଗଷ୍ଟ ମାସରେ ଜଣେ ଋଷିଆ ପର୍ଯ୍ୟଟକ ଅର୍ଟିମ ଆମିନୋଭ୍‌ ଏଭଳି ଭିଡିଓ ସୁଟିଂ କରିଥିଲେ।

ସମ୍ବନ୍ଧିତ ଖବର