ପିତୃହତ୍ୟାର ୪ ବର୍ଷ ପରେ ପ୍ରତିଶୋଧ ନେଲେ ଚାରି ପୁଅ, ହାତଗୋଡ଼ ହାଣି ପକାଇଲେ

ମନମୁଣ୍ଡା/ପଲସାଗୋରା : ବୌଦ୍ଧ ଜିଲ୍ଲା ଲମ୍ବସରୀ ପଞ୍ଚାୟତ ଅନ୍ତର୍ଗତ ଖମାର ଗ୍ରାମ ନିକଟ ଗୁହିରାପାଲି ଛକଠାରେ ଜଘନ୍ୟ କାଣ୍ଡ ଘଟିଛି। ପିତୃହତ୍ୟାର ପ୍ରତିଶୋଧ ନେବାକୁ ଯାଇ ୪ ଜଣ ଯୁବକ ହତ୍ୟାକାରୀଙ୍କ ଦୁଇ ହାତ ପାପୁଲି ଓ ଡାହାଣ ଗୋଡ଼କୁ ହାଣି ଦେଇଛନ୍ତି। ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଜମିଜମା ବିବାଦକୁ କେନ୍ଦ୍ରକରି ଖମାର ଗାଁର ସୁରେନ୍ଦ୍ର କ୍ଷେତି ସେହି ଗାଁର ଲକ୍ଷ୍ମଣ ଖମାରୀଙ୍କୁ ଗତ ୨୦.୨.୨୦୧୫ରେ ଡିଗେରପଦର ଜଙ୍ଗଲରେ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ। କଣ୍ଟାମାଳ ପୁଲିସ ହତ୍ୟା ମାମଲାରେ ଗିରଫ କରି ସୁରେନ୍ଦ୍ରଙ୍କୁ ଜେଲକୁ ପଠାଇଥିଲା। ସୁରେନ୍ଦ୍ର ହାଇକୋର୍ଟରୁ ଜାମିନରେ ୮.୫.୨୦୧୯ରେ ଘରକୁ ଆସିଥିଲେ। ପିତୃହତ୍ୟାର ପ୍ରତିଶୋଧ ନେବାକୁ ଗତ ୧୪ ଦିନହେଲା ମୃତ ଲକ୍ଷ୍ମଣଙ୍କ ପୁଅ ଅଶୋକ ଖମାରୀ ସୁଯୋଗ ଅପେକ୍ଷାରେ ଥିଲେ। ବୁଧବାର ଝିଅ ପ୍ରମିଳା କ୍ଷେତି (୧୮)ଙ୍କ ସହିତ କୌଣସି କାମରେ ସୁରେନ୍ଦ୍ର ଗୁହିରାପାଲି ଛକ ନିକଟକୁ ଆସିଥିଲେ। ଅଶୋକ ପୂର୍ବରୁ ଖବର ପାଇ ତାଙ୍କ ତିନି ଭାଇ ଓ ଦୁଇ ସହଯୋଗୀମାନଙ୍କ ସହିତ ସେଠାରେ ଛକି ବସିଥିଲେ। ସୁରେନ୍ଦ୍ରଙ୍କୁ ଦେଖିବା ମାତ୍ରେ ଅଶୋକ ଓ ଅନ୍ୟମାନେ ଏକ କୁକୁଡ଼ା କଟା କଟୁରିରେ ସୁରେନ୍ଦ୍ରଙ୍କ ହାତ ଓ ଗୋଡ଼କୁ ହାଣିବାକୁ ଲାଗିଲେ। ଫଳରେ ତାଙ୍କ ଦୁଇ ହାତର ପାପୁଲି କଟି ଯାଇଥିବା ବେଳେ ଡାହାଣ ଗୋଡ଼ରେ ଗଭୀର ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ପରିବାର ଲୋକ ସୁରେନ୍ଦ୍ରଙ୍କୁ ଚିକିତ୍ସା ପାଇଁ ସୋନପୁର ଡାକ୍ତରଖାନାକୁ ନେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ଅପରାହ୍ନ ୪ଟାରେ ସୁରେନ୍ଦ୍ରଙ୍କ ଝିଅ ପ୍ରମିଳା କ୍ଷେତି କଣ୍ଟାମାଳ ଥାନାକୁ ଯାଇ ଲିଖିତ ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ କରୁଛି। ଖୁବ ଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ତଦନ୍ତକାରୀ ଅଧିକାରୀ ପୂର୍ଣ୍ଣଚନ୍ଦ୍ର କିଷାନ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର