ବାମରା/ଗଡ଼ପୋଷ/ସୁନ୍ଦରଗଡ଼ : ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ସୀମାନ୍ତବର୍ତ୍ତୀ ଧାରୁଆଡିହି ଥାନା ଅଞ୍ଚଳରେ ଏକ ୪ ବର୍ଷର ଶିଶୁ କନ୍ୟା ପୁନମ ସାକୁ ଗୁଣି ଗାରେଡ଼ି ପାଇଁ ବଳି ଦେବା ଘଟଣା ରବିବାର ମଧ୍ୟ ଚର୍ଚ୍ଚିତ ରହିଥିଲା। ଆଜି ପୂର୍ବାହ୍ନରେ ବ୍ୟବଚ୍ଛେଦ ପରେ ପୁନମର ମୃତଦେହ ଗାଁରେ ପହଞ୍ଚିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ବ୍ୟବଚ୍ଛେଦ ସମୟରେ ମେଡିକାଲ୍‌ରେ ଗଣ୍ଡଗୋଳ ଆଶଙ୍କା କରି ସେଠାରେ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା। ଏକ ଶୋକାକୁଳ ପରିବେଶରେ ପୁନମର ଅନ୍ତିମ ସଂସ୍କାର କରାଯାଇଥିଲା। ଏହି ଘଟଣାରେ ପୁଲିସ ୨ ମହିଳାଙ୍କୁ ଗିରଫ କରିଛି। ସେମାନେ ହେଲେ ନବୀନା ସା ଓ ସନ୍ଧ୍ୟା ନାଗ। ଅନ୍ୟପକ୍ଷରେ ନବୀନାର ୩ ଝିଅ କହିଛନ୍ତି ଯେ ଯଦି ଏହି ଘଟଣାରେ ଯଦି ମା ଲିପ୍ତ ଅଛି, ତେବେ ତାକୁ ଫାଶୀ ଦଣ୍ଡ ଦିଆଯାଉ। ଆଜି ଅତିରିକ୍ତ ଏସ୍‌ପି ରବି ନାରାୟଣ ବାରିକ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ୍‌ ଟିମ୍‌ ସହିତ ତଦନ୍ତ କରିଥିଲେ। ପୁନମକୁ ରଖାଯାଇଥିବା ବାକ୍ସକୁ ପୁଲିସ ଜବତ କରିଛି।

Advertisment

ଘଟଣା ଅନୁଯାୟୀ ପୁନମ ଆଙ୍ଗନଵାଡ଼ି କେନ୍ଦ୍ରରୁ ଫେରି ଅପରାହ୍‌ଣ ୨ଟାରେ ଖେଳିବାକୁ ଘରୁ ବାହାରିଥିଲା। ସାଙ୍ଗରେ ଲକ୍ଷ୍ମୀ କୁମୁରା ମଧ୍ୟ ଖେଳୁଥିଲା। ଇନ୍ଦ୍ରମଣିଙ୍କ ଇନ୍ଦିରା ଆବାସର ଛାତ ପକା କାମ ଚାଲିଥିବାରୁ ପରିବାର ଲୋକ ବ୍ୟସ୍ତ ଥିଲେ। ଉଭୟଙ୍କୁ ଏକୁଟିଆ ଖେଳୁଥିବାର ଦେଖି ଇନ୍ଦ୍ରମଣିଙ୍କ ଖୁଡ଼ି ନବୀନା ସା ସେମାନଙ୍କୁ ଡାକିଥିଲା। ଲକ୍ଷ୍ମୀ ଯିବାକୁ ମନା କରିଦେବାରୁ ପୁନମ ଏକୁଟିଆ ଯାଇଥିଲା। ଏହା ପରଠାରୁ ପୁନମର ପତ୍ତା ମିଳି ନ ଥିଲା। ପଚରାଉଚରା କରିବାରୁ ସେ ନବୀନା ସହିତ ଯାଇଥିବା ଜଣାପଡ଼ିଥିଲା। ପରେ ଗ୍ରାମବାସୀ ନବୀନାକୁ ଧରି ପଚାରିବାରୁ ପୁନମ୍‌ ସନ୍ଧ୍ୟା ଘରପଟେ ଖେଳୁଥିବା କହିଥିଲା। ଅନ୍ୟପକ୍ଷରେ ଗୁଣିଗାରେଡ଼ି କାମ କରୁଥିବାରୁ ଗ୍ରାମବାସୀ ସନ୍ଧ୍ୟାର ଘରେ ଚଢ଼ଉ କରିବାକୁ ଉଦ୍ୟମ କରିଥିଲେ। ମାତ୍ର ସେ ବିରୋଧ କରିବାରୁ ଲୋକଙ୍କ ସନ୍ଦେହ ବଢ଼ିଥିଲା। ବିରୋଧ ସତ୍ତ୍ବେ ଲୋକ ସନ୍ଧ୍ୟାର ଘରେ ପଶି ଖୋଜାଖୋଜି କରିବାରୁ ଏହି ନରାକୀୟ କାଣ୍ଡ ଲୋକଲୋଚନକୁ ଆସିଥିଲା। ପୁନମକୁ ଏକ ଟିଣ ବାକ୍ସରେ ଭର୍ତି କରି ରଖାଯାଇଥିବା ଦେଖିବାକୁ ମିଳିଥିଲା। ତା’ ଶରୀରର ବିଭିନ୍ନ ଅଂଶରେ କାମୁଡ଼ା ଦାଗ ଥିବା ଦେଖିବାକୁ ମିଳିଥିଲା। ତୁରନ୍ତ ତାକୁ ସେଠାରୁ ଉଦ୍ଧାର କରି ଗୋବିନ୍ଦପୁର ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ପୁନମକୁ ମୃତ ଘୋଷଣା କରିଥିଲେ। ମୃତ୍ୟୁ ଖବର ପ୍ରଚାରିତ ହେବା ମାତ୍ରେ ଉଭୟ ମେଡିକାଲ ଓ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା। ଗ୍ରାମବାସୀ ସନ୍ଧ୍ୟା ଓ ନବୀନାକୁ କାବୁ କରି ମାଡ଼ ମାରିଥିଲେ। ଖବରପାଇ ଧାରୁଆଡିହି ପୁଲିସ ରାତି ପ୍ରାୟ ୮ଟାରେ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ ପହଞ୍ଚିବା ପରେ ଲୋକେ ଅଧିକ ଉତ୍ତେଜିତ ହୋଇ ପଡ଼ିଥିଲେ। ଅଭିଯୁକ୍ତ ମହିଳା ଦ୍ବୟଙ୍କ ଘର ପୋଡ଼ି ଦେବା ପାଇଁ ଉଦ୍ୟମ କରିଥିଲେ। ପୁଲିସ ଲୋକଙ୍କୁ ବଝାସୁଝା କରି ନବୀନା ଓ ସନ୍ଧ୍ୟାକୁ କବ୍‌ଜାକୁ ନେଇଥିଲା। ତେବେ ମିଳିଥିବା ସୂଚନା ଅନୁଯାୟୀ ପୁନମର ମୃତ୍ୟୁ ପାଇଁ ନବୀନା ଓ ସନ୍ଧ୍ୟା ପରସ୍ପରକୁ ଦାୟୀ କରୁଛନ୍ତି। ପୁଲିସ ଉଭୟଙ୍କୁ ଅଧିକ ପଚରାଉଚରା ଜାରି ରଖିଛି।