ଗୋଟିଏ ଘରେ ଅଧା ଗାଁ : ପରିତ୍ୟକ୍ତ କୋଠାରେ ରହୁଛନ୍ତି ୪୦ ପରିବାର

କୋରାପୁଟ : ଗୋଟିଏ ଘରେ ରହୁଛନ୍ତି ଗାଁର ଅଧେ ଲୋକ। ପୁଣି ଘର କହିଲେ, ଏକ ଭଙ୍ଗା, ଦଦରା ପୁରୁଣା କୋଠା। ଏହି ଘରେ ୪୦ଟି ପରିବାରର ପାଖାପାଖି ୨ ଶହ ଲୋକ ରହୁଛନ୍ତି। ଏଇ ଭଙ୍ଗା ଛାତ ତଳେ ଏମାନଙ୍କର ଭଲମନ୍ଦ, ଦୁଃଖସୁଖ। ଏହି ଲୋକଙ୍କ ସମସ୍ୟା ପ୍ରତି ସରକାର ଏକ ପ୍ରକାର ଆଖିବୁଜି ଦେଇଥିଲା ବେଳେ ଏମାନଙ୍କ ତମାମ ଜୀବନର ପରିଧି ଏହି ପରିତ୍ୟକ୍ତ କୋଠା ଭିତରେ ଅଟକି ଯାଇଛି।

ଏମିତି ଏକ ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି କୋରାପୁଟ ସହରରେ। ଜାତୀୟ ରାଜପଥ କଡ଼ରେ ଥିବା ମୃତ୍ତିକା ସଂରକ୍ଷଣ ବିଭାଗର ପୁରୁଣା କୋଠାରେ ଏପରି ଦୟନୀୟ ଜୀବନ କାଟୁଛନ୍ତି ନାରାୟଣପାଟଣା ବ୍ଲକ ପୋଡାପଦର ଗ୍ରାମର ୪୦ ପରିବାର। ପୁଣି ମାସେ ନୁହେଁ କି ବର୍ଷେ ନୁହେଁ, ଦୀର୍ଘ ୧୦ ବର୍ଷ ହେଲା ଏମାନେ ଏମିତି ଯନ୍ତ୍ରଣା ଭିତରେ ବଂଚି ଆସୁଛନ୍ତି। ସରକାର ସେମାନଙ୍କୁ ଥଇଥାନ କରିବାକୁ କୌଣସି ଠୋସ ପଦକ୍ଷେପ ଗ୍ରହଣ କରୁ ନ ଥିବାରୁ ଏହି ଲୋକଙ୍କ ଭବିଷ୍ୟତ ଆଶଙ୍କା ଭିତରକୁ ଚାଲି ଆସିଛି।

ନାରାୟଣପାଟଣା ବ୍ଲକରେ ଚାଷୀ ମୂଲିଆ ଆଦିବାସୀ ସଂଘର ଉତ୍ପାତ ପରେ ପୋଡାପଦର ଗ୍ରାମବାସୀ ୨୦୦୯ ମସିହାରେ ଗାଁ ଛାଡି ଚାଲି ଆସିଥିଲେ। ମୃତ୍ତିକା ସଂରକ୍ଷଣ ବିଭାଗର ଏହି ପୁରୁଣା କୋଠାରେ ରହି ଯାଇଥିଲେ ପାଖାପାଖି ୪୦ପରିବାର। ଆଉ ସେହିଦିନଠୁ ଏତେ ଲୋକଙ୍କର ଠିକଣା ଗୋଟିଏ ହୋଇ ଯାଇଛି। ଲୋକମାନେ ରହୁଥିବା ଏହି କୋଠାରେ ପାଖାପାଖି ୬ଟି ବଖରା ଥିଲା ବେଳେ ଗୋଟିଏ ବଡ଼ ହଲ ରହିଛି। ଗୋଟିଏ ବଖରାରେ ୪ରୁ ୫ ପରିବାର ରହୁଥିଲା ବେଳେ ହଲରେ ରହୁଛନ୍ତି ୮ ପରିବାର। ଘର ମଝିରେ ପାଲ ଟାଣି କିମ୍ବା ପଲିଥିନ ପକାଇ ବଖରେ ଘରକୁ ୪ ଭାଗ କରିଛନ୍ତି। ଏହା ଭିତରେ ସେମାନଙ୍କ ରୋଷେଇ, ଖାଇବା ପିଇବା, ଶୋଇବା ଆଉ ବସାଉଠା। ଜୀବନ କହିଲେ ଏହି ଚାରି ହାତର ବଖୁରା ଘର। ପୁଣି ଉପରେ ଛାତ ବି ଭାଙ୍ଗିରୁଜି ଯାଇଛି। କେତେବେଳେ ଗଳି ପଡ଼ିବ ତାହାର ହିସାବ ନାହିଁ। ଏପଟେ ଘର ଭିତରେ ରହିବାକୁ ଜାଗା ନିଅଁଣ୍ଟ ହେବାରୁ ଛାତ ଉପରେ ପଲିଥିନ ଟାଣି କିଛି ପରିବାର ରହୁଛନ୍ତି। ପୁଣି ବାରଣ୍ଡା ଓ ଅଗଣା କିଛି ଲୋକଙ୍କ ଘର ପାଲଟିଛି।

ଏମିତିରେ ୪୦ ପରିବାର ରହୁଥିଲେ ମଧ୍ୟ ସେମାନଙ୍କୁ ମୌଳିକ ସୁବିଧା ଟିକିଏ ମିଳି ପାରିନି। ପିଏଚଡି ପାଇପ ଗୋଟିଏ ରହିଥିବାରୁ ଏହା ଉପରେ ସମସ୍ତେ ନିର୍ଭର କରି ଚଳୁଛନ୍ତି। ତେବେ ଶୌଚ ପାଇଁ କିଛି ସୁବିଧା ନ ଥିବାରୁ ସେମାନଙ୍କୁ ପାଖ ପାହାଡ଼ କିମ୍ବା ପଡ଼ିଆକୁ ଯିବାକୁ ପଡ଼ୁଛି। ସହର ଭିତରେ ରହୁଥିଲେ ମଧ୍ୟ ସେମାନଙ୍କ ପୂର୍ବ ଠିକଣା ଗାଁରେ ଥିବାରୁ ସେଠାରେ ରାସନ ସାମଗ୍ରୀ ମିଳୁଛି। ତେଣୁ ସମସ୍ତେ ମାସକୁ ଥରେ ଗାଡ଼ି କରି ଗାଁ ଯାଇ ଚାଉଳ ଆଣୁଛନ୍ତି। ପ୍ରଦୀପ ଖରାଙ୍କ କହିବାନୁଯାୟୀ, ଚାଉଳ ଯେତିକି ମିଳୁଛି ତା’ ଅଧା ଆଣିବାରେ ଖର୍ଚ୍ଚ ହୋଇ ଯାଉଛି। ଏଥିନେଇ ଜିଲ୍ଲାପାଳଙ୍କୁ ବାରମ୍ବାର ଜଣାଇଲେ ମଧ୍ୟ ସେମାନେ କୋରାପୁଟରେ ଚାଉଳ ଦେବାର ବ୍ୟବସ୍ଥା କରୁ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି। ଏଠାରେ ରହୁଥିବା କଲେଜ ପଢୁଆ ଝିଅ ରୀନା ତୁରୁକ କହଛନ୍ତି ଯେ, ପାଠ ପଢ଼ି ଚାକିରୀ କରିବାକୁ ତାଙ୍କର ଭାରି ଇଛା। କିନ୍ତୁ ଗୋଟେ ଘରେ ଏତେ ଲୋକ ରହୁଥିବାରୁ ଠିକରେ ପାଠ ପଢ଼ି ହେଉ ନାହିଁ। ପୁଣି ଏଠାରେ ରହୁଥିବା ଲୋକମାନେ ସାଧାରଣତଃ ଦିନ ମଜୁରିଆ। ସେମାନେ ସହରରେ ବିଭିନ୍ନ ସ୍ଥାନରେ କାମ କରି ପେଟ ପୋଷୁଛନ୍ତି। ଏହି ଲୋକମାନଙ୍କୁ କୌଣସି ସ୍ଥାନରେ ଥଇଥାନ କରିବା ପାଇଁ ସେମାନେ ଜିଲ୍ଲା ପ୍ରଶାସନକୁ ବାରମ୍ବାର ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳୁନି ବୋଲି ଗୋଲକ ବିହାରୀ ବାଘ ଓ ମାନସ କୁମାର ମହାନନ୍ଦିଆ କହିଛନ୍ତି। ଅନେକ ସମସ୍ୟାରେ ସନ୍ତୁଳି ହେଉଥିବା ଏହି ଲୋକମାନଙ୍କର ଗାଁ ଭୋଟର ତାଲିକାରେ ନାଁ ଥିବାରୁ ଆସିଲା ଦିନଠାରୁ ଭୋଟ ଦେବାକୁ ଯାଇ ପାରି ନାହାନ୍ତି। ସେମାନଙ୍କୁ ଗାଁକୁ ଫେରାଇ ନେବାକୁ ବ୍ୟବସ୍ଥା କରିବା ନ ହେଲେ କୋରାପୁଟକୁ ସେମାନଙ୍କ ଠିକଣା ବଦଳାଇବାକୁ ଲୋକମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର