ବର୍ଷା ପରେ ବନ୍ୟା ବିତ୍ପାତ : ପାଣି ଘେରରେ ୪୦୦ ପରିବାର

ବୈତରଣୀ, ଗୋବରୀ ନଦୀରେ ଘାଇ

କଟକ/ଯାଜପୁର : ଲଗାଣ ବର୍ଷା ପରେ ଏବେ ବନ୍ୟା ପରିସ୍ଥିତି କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲାରେ। କେନ୍ଦ୍ରାପକ୍ଷା ଜିଲ୍ଲା ରାଜକନିକା ଅଞ୍ଚଳରେ ବୈତରଣୀ ନଦୀରେ ୩ଟି ଘାଇ ୨ ଶହରୁ ଅଧିକ ପରିବାର ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ବାରହା-ଦୋମଣ୍ଡା ପଞ୍ଚାୟତର କନପୁର ରାସ୍ତାରେ ତିନୋଟି ଘାଇ ସୃଷ୍ଟି ହୋଇଛି। ବର୍ଷା ଓ ବନ୍ୟା ଜଳ ହଜାରହଜାର ହେକ୍ଟର ଚାଷ ଜମିରେ ମାଡ଼ି ଯାଇଛି। ଅନ୍ୟପଟେ କଟକ ଜିଲ୍ଲା ମାହାଙ୍ଗା ଅଞ୍ଚଳରେ ଗୋବରୀ ନଦୀରେ ୧୫ ଫୁଟର ଘାଇ ହୋଇ ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି। ଚାହାପଡ଼ା ଗ୍ରାମର ସେଠୀସାହି ପୋଲ ଲକ୍‌ର ଉଭୟ ପାର୍ଶ୍ୱରେ ୧୫ ଫୁଟ୍‌ରୁ ଅଧିକ ଲମ୍ବର ଘାଇ ହୋଇଛି। ଫଳରେ ଚାହାପଡ଼ା ସମେତ ଜଳେଶ୍ୱରପୁର, ଶ୍ରୀକୃଷ୍ଣପୁର, ମାହାଙ୍ଗା, ଉଷୁମା ଆଦି ପଞ୍ଚାୟତର ବହୁ ଗ୍ରାମ ଜଳମଗ୍ନ ହୋଇଛି।

ବୈତରଣୀରେ ବନ୍ୟା ଯୋଗୁଁ ବଡ଼ହଳୁପଡା ଗ୍ରାମ ଅଧିକ କ୍ଷତିଗ୍ରସ୍ତ ହୋଇଛି। ସେହିପରି ସାନହଳୁପଡ଼ା ଓ ବାଲିସାହିରେ ମଧ୍ୟ ବନ୍ୟା ପାଣି ପଶିଛି। ସେହିଭଳି କଟକର ମାହାଙ୍ଗା ଅଞ୍ଚଳରେ ଗୋବରୀ ନଦୀରେ ଜଳସ୍ତର ବୃଦ୍ଧି ପାଇବା ସହ ସେଠୀସାହି ପୋଲ ନିକଟ ବନ୍ଧ ଉପର ଦେଇ ବନ୍ୟାଜଳ ଚାହାପଡ଼ା ଗ୍ରାମକୁ ପ୍ରବେଶ କରିଥିଲା। ଲକ୍‌ର ଉଭୟ ପାର୍ଶ୍ୱ ବନ୍ଧ ଧୋଇଯାଇ ଘାଇ ସୃଷ୍ଟି ହେବା ସହ ବନ୍ୟାଜଳ ଚାଷଜମିରେ ପ୍ରବେଶ କରିଥିଲା। ବନ୍ୟାଜଳ ମଢ଼ଙ୍ଗା-ଛୋଟିପଡ଼ାକୁ ସଂଯୋଗ କରୁଥିବା ମୁଖ୍ୟମନ୍ତ୍ରୀ ସଡ଼କ ଉପରେ ପ୍ରବାହିତ ହେବାରୁ ୩ଟି ପଞ୍ଚାୟତରେ ଲୋକଙ୍କ ଦୁର୍ଦ୍ଦଶା ବଢ଼ି ଯାଇଛି।

ଯାଜପୁର ପ୍ରତିନିଧି ଜଣାଇଛନ୍ତି ଯେ ବର୍ଷା ଛାଡ଼ିଯାଇଥିବା ସତ୍ତ୍ୱେ ବୈତରଣୀରୁ ପାଣି ଖସୁନି। ୩ଦିନ ହେଲା ବୈତରଣୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଶାଖା ନଦୀ କାଣୀ ମଧ୍ୟ ବିପଦ ସଙ୍କେତ ଉପରେ। ଦଶରଥପୁର ବ୍ଲକର ୧୬ଟି ପଞ୍ଚାୟତ ପ୍ରଭାବିତ ହୋଇଥିବା ବେଳେ ବିଂଝାରପୁରର ୧୦ ଏବଂ କୋରେଇର ୧୧ଟି ପଞ୍ଚାୟତ ପ୍ରଭାବିତ ହୋଇଛି। ଏହିସବୁ ବ୍ଲକ୍‌ର ପ୍ରାୟ ୮୨ ହଜାର ଲୋକ ପାଣି ଘେରରେ ରହିଛନ୍ତି।

ଆଜି ରାତିରେ ରେଙ୍ଗାଲି ରୁ ପାଣି ଛାଡ଼ିବା ସଂଭାବନା ଥିବାରୁ ବ୍ରାହ୍ମଣୀ ଓ ଖରସ୍ରୋତରେ ବନ୍ୟା ଆଶଙ୍କା ଦେଖା ଦେଇଛି। ଆସନ୍ତାକାଲି ଅମାବାସ୍ୟା ଥିବାରୁ ଜଳ ପତନ ବୃଦ୍ଧିର ସଂଭାବନା ରହିଛି। ବିପନ୍ନମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି। ଆଜି ୨ଟି ଓଡ୍ରାଫ ଟିମ୍‌ ଓ ଗୋଟିଏ ଏନଡ଼ିଆରଫ୍‌ ଟିମ୍‌ ପହଞ୍ଚିଛନ୍ତି। ଫାୟାର ବିଗ୍ରେଡ୍‌ ର ୬ଟି ବୋଟ୍‌ ପ୍ରସ୍ତୁତି ରଖାଯାଇଛି। ଦଶରଥପୁର ଠାରେ ୩ଟି ଓ ବିଂଝାରପୁର ବ୍ଲକ୍‌୍ର ୨୬ଟି ରନ୍ଧା ଖାଦ୍ୟ କେନ୍ଦ୍ର ଖୋଲା ଯାଇଛି ବୋଲି ପ୍ରଶାସନ ପକ୍ଷରୁ ଦାବି କରାଯାଇଛି।

ଦଶରଥପୁରରେ ବୈତରଣୀରେ ବିପଦ ସଙ୍କେତ ୯.୫୨ ରହିଥିବାବେଳେ ସଂଧ୍ୟା ୭ଟା ସୁଦ୍ଧା ୧୧.୩୦ ମିଟର ରହିଛି । ସେହିପରି କାଣୀ ନଦୀରେ ବିପଦ ସଂକେତ ୭.୩୧ ରହିଥିବାବେଳେ ସଂଧ୍ୟା ୭ଟା ସୁଦ୍ଧା ୯.୯୦ ରହିଛି । ମାତ୍ର ସକାଳ ଠାରୁ ୮ ଇଞ୍ଚ କମିଛି । ବନ୍ୟା ଏବଂ ଲଗାଣ ବର୍ଷାରେ ବ୍ଲକର ୩୫ ପଞ୍ଚାୟତରୁ ୧୪ ପଞ୍ଚାୟତର ୭୬ ହଜାର ୨୦୭ ଜଣ ପ୍ରଭାବିତ ହୋଇଛନ୍ତି।

ସମ୍ବନ୍ଧିତ ଖବର