ସାତକୋଶିଆ ଓ ଶିମିଳିପାଳ ଶିକାରୀଙ୍କ ଗଡ଼ : ଏବର୍ଷ ଗିରଫ ହେଲେଣି ୪୦୩ ଶିକାରୀ

ଭୁବନେଶ୍ବର : ଓଡ଼ିଶାରେ ବଢ଼ୁଛି ଶିକାରୀଙ୍କ ପ୍ରାଦୁର୍ଭାବ। ପ୍ରତିଦିନ ରାଜ୍ୟର କେଉଁଠି ନା କେଉଁଠି ଶିକାରୀଙ୍କ ଫାଶରେ ପଡ଼ୁଛନ୍ତି ଜଙ୍ଗଲୀ ଜନ୍ତୁ। ହରିଣ, ବଜ୍ରକାପ୍ତାଠାରୁ ଆରମ୍ଭ କରି ମୟୂରଙ୍କ ପର୍ଯ୍ୟନ୍ତ; କୌଣସି ବି ଜନ୍ତୁ ଶିକାରୀଙ୍କ ଜାଲ୍‌ରୁ ବଞ୍ଚି ପାରୁନାହାନ୍ତି। ଶିକାର ରୋକିବା ପାଇଁ ବନ ବିଭାଗ ଓ ପୁଲିସ ପକ୍ଷରୁ ଏକାଧିକ ପଦକ୍ଷେପ ନିଆଯାଉଥିଲେ ମଧ୍ୟ ଜଙ୍ଗଲରେ ଶିକାରୀଙ୍କ ରାଜ୍‌ ଚାଲିଛି।  ଯେଉଁଥିପାଇଁ ବିପଦମୁହଁକୁ ଠେଲି ହୋଇଯାଉଛନ୍ତି ବନ୍ୟଜନ୍ତୁ। ସାତକୋଶିଆ ଅଭୟାରଣ୍ୟ ଭିତରେ ଶିକାରୀଙ୍କ ଫାଶରେ ପଡ଼ି ମହାବଳ ବାଘ ମହାବୀରର ମୃତ୍ୟୁ ଘଟଣା ପରେ ଶିକାରୀଙ୍କ ପଞ୍ଝା କେତେ ବଡ଼ ତାହା ସ୍ପଷ୍ଟ ଜଣାପଡ଼ୁଛି।

ବନ ବିଭାଗର ତଥ୍ୟକୁ ଅନୁଧ୍ୟାନ କରାଗଲେ ସେଥିରୁ ସ୍ପଷ୍ଟ ଭାବେ ଜଣାପଡ଼ୁଛି ଯେ ଗତ ୮ ବର୍ଷ ମଧ୍ୟରେ ଓଡ଼ିଶାରେ କିଭଳି କାୟା ବିସ୍ତାର କରିଛନ୍ତି ଶିକାରୀ। ୨୦୧୧-୧୨ ଆର୍ଥିକ ବର୍ଷରେ ବନ୍ୟଜନ୍ତୁ ହତ୍ୟା ଘଟଣାରେ ରାଜ୍ୟରେ ମୋଟ ୬୨ଟି ମାମଲା ହୋଇଥିଲା। ସେଥିମଧ୍ୟରୁ ହାତୀ ମାରିବା ଘଟଣାରେ ୮ଟି ମାମଲା ହୋଇଥିବା ବେଳେ ଅନ୍ୟ ବନ୍ୟଜନ୍ତୁ ମାରିବା ଲାଗି ୫୪ଟି ମାମଲା ରୁଜୁ କରାଯାଇଥିଲା। ହାତୀ ଶିକାର ଅଭିଯୋଗରେ ୩୨ ଓ ଅନ୍ୟ ଜୀବଜନ୍ତୁ ଶିକାର ଅଭିଯୋଗରେ ୧୫୯ଜଣ ଗିରଫ ହୋଇଥିଲେ। କିନ୍ତୁ ଚିନ୍ତାର ବିଷୟ ହେଲା, ପ୍ରତିବର୍ଷ ଏହି ସଂଖ୍ୟା ବୃଦ୍ଧି ପାଇ ଚାଲିଛି। ୨୦୧୭-୧୮ ଆର୍ଥିକ ବର୍ଷରେ ସାରା ରାଜ୍ୟରେ ୨୫୬ଟି ମାମଲା ହୋଇଥିବା ବେଳେ ୪୭୪ ଜଣ ଗିରଫ ହୋଇଥିଲେ।

ବି‌ଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଚଳିତ ଆର୍ଥିକ ବର୍ଷରେ ଏବେ ସୁଦ୍ଧା ଦେଢ଼ ହଜାରରୁ ଅଧିକ ଜୀବଜନ୍ତୁ ଶିକାରୀଙ୍କ ପଞ୍ଝାରେ ପଡ଼ିଛନ୍ତି। ସେଥିମଧ୍ୟରୁ ବାର୍‌ହା, ସମ୍ବର, ମୟୂର, ବଜ୍ରକାପ୍ତା, କୋକିଶିଆଳିଙ୍କ ସଂଖ୍ୟା ଅଧିକ। ଏମାନଙ୍କ ବ୍ୟତୀତ ହାତୀ ବି ଶିକାରୀଙ୍କଠାରୁ ବଞ୍ଚି ପାରି ନାହାନ୍ତି। ଗତ ୮ ମାସ ମଧ୍ୟରେ ୩ଟି ହାତୀ ଶିକାର ହୋଇଥିବା ସନ୍ଦେହ କରିଛି ବନ ବିଭାଗ। ଏବେ ସୁଦ୍ଧା ଜୀବଜନ୍ତୁଙ୍କ ହତ୍ୟା ଘଟଣାରେ ୨୦୪ଟି ମାମଲା ହୋଇଥିବା ବେଳେ ୪୦୩ ଜଣଙ୍କୁ ଗିରଫ କରାଯାଇଛି। ସୁନ୍ଦରଗଡ଼, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, କଟକ, ବୌଦ୍ଧ, ଖୋର୍ଧା, ବରଗଡ଼, ସମ୍ବଲପୁର, ଗଞ୍ଜାମ ପ୍ରଭୃତି ଜିଲ୍ଲାରେ ଅଧିକ ଶିକାରୀ ଗିରଫ ହୋଇଛନ୍ତି। ଶିମିଳିପାଳ ଓ ସାତକୋଶିଆ ଅଭୟାରଣ୍ୟ ଏବେ ଶିକାରୀଙ୍କ ଚରାଭୂଇଁ ପାଲଟିଥିଲେ ମଧ୍ୟ ସେମାନଙ୍କ ଉପରେ କୌଣସି ପ୍ରକାର ରୋକ୍‌ ଲଗା ଯାଇପାରୁ ନାହିଁ।

ଶୀତ ଋତୁ ଆରମ୍ଭ ହୋଇଥିବାରୁ ବିଦେଶୀ ପକ୍ଷୀଙ୍କ ସଂଖ୍ୟା ଓଡ଼ିଶାରେ ବଢ଼ୁଛି। ଚିଲିକା ଓ ଭିତରକନିକାକୁ ବହୁତ ବିଦେଶୀ ପକ୍ଷୀ ଆସିବାକୁ ଥିବାରୁ ସେମାନଙ୍କ ସୁରକ୍ଷା ନେଇ ଏବେ ଚିନ୍ତା ପ୍ରକଟ କରାଯାଇଛି। ବନ ବିଭାଗ ତଥ୍ୟ କହୁଛି ଯେ ଏବେ ସୁଦ୍ଧା ଚିଲିକାରେ ୫ ଲକ୍ଷରୁ ଅଧିକ ବିଦେଶୀ ପକ୍ଷୀ ଆସିଲେଣି। ନଳବଣରେ ଧୀରେ ଧୀରେ ପକ୍ଷୀଙ୍କ ସଂଖ୍ୟା ବଢ଼ୁଛି। ତେଣୁ ସେମାନଙ୍କ ସୁରକ୍ଷା ଦେବା ପାଇଁ ବନ ବିଭାଗ ଘନଘନ ବୈଠକ କରୁଥିଲେ ମଧ୍ୟ କିଛି ବି ସୁଫଳ ମିଳୁନି। ଗତ ୩ ମାସ ମଧ୍ୟରେ ଚିଲିକାର ବିଭିନ୍ନ ସ୍ଥାନରୁ ଶିକାର କରିବା ଅଭିଯୋଗରେ ୨୩ରୁ ଅଧିକ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଅବଶ୍ୟ ସ୍ଥାନୀୟ ଲୋକ ଓ ବନ ବିଭାଗର କେତେକ ସଚେତନତାଧର୍ମୀ କାର୍ଯ୍ୟକ୍ରମ ଯୋଗୁଁ ପକ୍ଷୀ ଶିକାର ଉପରେ କିଛିଟା ରୋକ ଲଗାଯାଇ ପାରିଛି। ଆଗାମୀ ଦିନରେ ଆସିବାକୁ ଥିବା ବିଦେଶାଗତ ପକ୍ଷୀଙ୍କୁ କିଭଳି ସୁରକ୍ଷା ଦିଆଯାଇପାରିବ, ସେଥିପ୍ରତି ଦୃଷ୍ଟି ଦିଆଯାଉଥିବା ବନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର