୪୨ ବିଧାନସଭା ଆସନ ପାଇଁ ୧୦୪, ୬ ଲୋକସଭା ଆସନ ପାଇଁ ୧୯ ପ୍ରାର୍ଥିପତ୍ର ଦାଖଲ

ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ପାଇଁ ଆଜି ସୁଦ୍ଧା ୪୨ଟି ବିଧାନସଭା ଆସନ ପାଇଁ ୧୦୪ ଜଣ ଓ ୬ଟି ଲୋକସଭା ଆସନ ପାଇଁ ୧୯ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଆଜି ବିଭିନ୍ନ ବିଧାନସଭା ଆସନରେ ୭୧ ଜଣ ପ୍ରାର୍ଥୀ ନାମାଙ୍କନ କରିଥିବା ବେଳେ ଲୋକସଭା ଆସନ ପାଇଁ ୭ ଜଣ ନାମାଙ୍କନପତ୍ର ଦାଖଲ କରିଥିଲେ। ସେହିଭଳି ୪ର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି କୌଣସି ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରି ନାହାନ୍ତି। କେବଳ ଯାଜପୁର ଲୋକସଭା ଆସନ ପାଇଁ ଜଣେ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିବା ଜଣାପଡ଼ିଛି। ନିର୍ବାଚନକୁ ସ୍ବଚ୍ଛ ଓ ଅବାଧ କରିବା ପାଇଁ ପ୍ରଶାସନ ପକ୍ଷରୁ ଜାରି ରହିଥିବା ପ୍ରକ୍ରିୟାରେ ଆଜି ସୁଦ୍ଧା ବେଆଇନ ଭାବେ ରାଜ୍ୟର ବିଭିନ୍ନ ସ୍ଥାନରୁ ନଗଦ ୯୫ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି। ସେହିଭଳି ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ୮୫ ହଜାର ବଲ୍‌କ ଲିଟରରୁ ଅଧିକ ମଦ ଜବତ କରାଯାଇଛି ଯାହାର ମୂଲ୍ୟ ୨ କୋଟି ୬୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ୭୩୪୭ ଜାମିନ ବିହୀନ ପରୱାନା ଜାରି ହୋଇଥିବା ବେଳେ ଦଫା ୧୦୭/୧୧୬ ବଳରେ ୩୬୭୫୮ ଜଣଙ୍କୁ ଅଟକ ରଖାଯାଇଛି। ୪୫୬୧ଟି ଲାଇସେନ୍ସପ୍ରାପ୍ତ ବନ୍ଧୁକ ବିଭିନ୍ନ ଜିଲ୍ଲା ପ୍ରଶାସନ ନିକଟରେ ଜମା ଦିଆଯାଇଥିବା ବେଳେ ଲାଇସେନ୍ସ ନଥିବା ୧୭୯ଟି ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ୨୬୪.୦୩୨ କିଲୋଗ୍ରାମ୍‌ ବିସ୍ଫୋରକ ଜବତ କରାଯାଇଛି। ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରି ସରକାରୀ ଜାଗାରେ ଲାଗିଥିବା ୧୮ ଲକ୍ଷ ୬୮ ହଜାର ୫୮୭ଟି ଓ ଘରୋଇ ଜାଗାରେ ଲାଗିଥିବା ୧ ଲକ୍ଷ ୭୩ ହଜାର ୮୯୦ଟି ହୋର୍ଡିଂ ଜବତ କରାଯାଇଛି। ରାଜ୍ୟସ୍ତରରେ ଖୋଲା ଯାଇଥିବା ନିୟନ୍ତ୍ରଣ କକ୍ଷ(୦୬୭୪-୨୩୯୫୦୧୫)କୁ ୫୧୭ଟି କଲ୍‌ ଆସିଥିବା ‌ବେଳେ ଭୋଟର ହେଲ୍‌ପ ଲାଇନ୍‌(୧୯୫୦)କୁ ଆଜି ସୁଦ୍ଧା ୧୨ହଜାର ୭୦୪ଟି କଲ୍‌ର ସମାଧାନ କରାଯାଇଛି। ଓଡ଼ିଶା ସିଭିଲ ଆପ୍‌ ଜରିଆରେ ଆସିଥିବା ୬୧୫ଟି ଅଭିଯୋଗରୁ ୫୪୧ଟି ସମାଧାନ କରାଯାଇଛି।

ସମ୍ବନ୍ଧିତ ଖବର