ଆଜି ସାଧାରଣ ପରିଷଦ ବୈଠକ, ଅଭିଯୁକ୍ତ ଗିରଫ ନ ହେବା ଯାଏ ଆନ୍ଦୋଳନ

୪୨ ଦିନରେ ଆଇନଜୀବୀ ଆନ୍ଦୋଳନ

କଟକ: ୨୦୧୮, ଅଗଷ୍ଟ ୨୯ରୁ ଆରମ୍ଭ ହୋଇଥିବା ଆଇନଜୀବୀ ଆନ୍ଦୋଳନ ଆଜି ୪୨ ଦିନରେ ପହଞ୍ଚିଛି। ଆଇନଜୀବୀମାନେ ନିଜ ଜିଦ୍‌ରେ ଅଟଳ ରହିଛନ୍ତି। ଅଭିଯୁକ୍ତ ଗିରଫ ନ ହେବା ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଜାରି ରଖିବାକୁ ଆଇନଜୀବୀମାନେ ନିଷ୍ପତ୍ତି ନେଇଛନ୍ତି। ଅକ୍ଟୋବର ୩ରେ ଅନୁଷ୍ଠିତ ହାଇକୋର୍ଟ ବାର‌୍‌ ଆସୋସିଏସନ୍‌ ସାଧାରଣ ପରିଷଦ ଓ ଆକ୍ସନ କମିଟି ବୈଠକରେ ଆଲୋଚନା କରାଯାଇ ଆନ୍ଦୋଳନ ଜାରି ରଖିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଥିଲା। ଅନ୍ୟପକ୍ଷରେ ଅକ୍ଟୋବର ୧୦ରେ ଅନୁଷ୍ଠିତ ହେବାକୁ ଥିବା ପରବର୍ତ୍ତୀ ବୈଠକରେ ଆଲୋଚନା କରାଯାଇ ଭବିଷ୍ୟତ କାର୍ଯ୍ୟପନ୍ଥା ସ˚ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ଧାର୍ଯ୍ୟ କରାଯାଇଥିଲା। ପୂର୍ବ ନିଷ୍ପତ୍ତି ଅନୁସାରେ ବୁଧବାର ଦିନ ୨ଟାରେ ହାଇକୋର୍ଟ ବାର‌୍‌ ଆସୋସିଏସନ୍‌ ହଲ୍‌ରେ ଆଇନଜୀବୀଙ୍କ ସାଧାରଣ ପରିଷଦ ବୈଠକ ବସିବ। ଏହା ପୂର୍ବରୁ କଟକର ବିଭିନ୍ନ ଆଇନଜୀବୀ ସ˚ଘର କର୍ମକର୍ତ୍ତା ଓ ସଦସ୍ୟ ଆଜି ପରିସ୍ଥିତିର ସମୀକ୍ଷା କରିଛନ୍ତି। ଅଭିଯୁକ୍ତଙ୍କ ଗିରଫଦାରୀ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଜାରି ରଖିବାକୁ ସମସ୍ତ ସଦସ୍ୟ ମତ ପ୍ରକାଶ କରିଛନ୍ତି ବୋଲି କ୍ରିମିନାଲ କୋର୍ଟସ୍‌ ବାର‌୍‌ ଆସୋସିଏସନ୍‌ ସଭାପତି ଅକ୍ଷୟ କୁମାର ପତି କହିଛନ୍ତି। ଆସନ୍ତାକାଲି ସାଧାରଣ ପରିଷଦ ବୈଠକରେ ଭବିଷ୍ୟତ କାର୍ଯ୍ୟପନ୍ଥା ସ˚ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ସଭାପତି ଶ୍ରୀ ପତି କହିଛନ୍ତି। ଆଜି ଆଲୋଚନା ସମୟରେ କ୍ରିମିନାଲ କୋର୍ଟସ୍‌ ବାର‌୍‌ ଉପସଭାପତି ଟଙ୍କଧର ମିଶ୍ର, ସ˚ପାଦକ ପ୍ରଦୀପ କୁମାର ପରିଡା, ଯୁଗ୍ମସ˚ପାଦକ ବିଷ୍ଣୁପ୍ରିୟା ବେହେରା, କୋଷାଧୢକ୍ଷ ଲକ୍ଷ୍ମୀନାରାୟଣ ଦାସ, ଜଗନ୍ନାଥ ମହାନ୍ତି, ଦେବାଶିଷ ପାଣିଗ୍ରାହୀ, ସୁଶାନ୍ତ ବରାଳ, ସ˚ଗ୍ରାମ ଦାସ, ଦିଲ୍ଲୀପ ପାଲିତ ପ୍ରମୁଖ ଉପସ୍ଥିତ ଥିଲେ।

ଆଇନଜୀବୀଙ୍କ କୋର୍ଟ ବର୍ଜନ ଆନ୍ଦାଳନ ଯୋଗୁ ୪୨ଦିନ ହେବ ହାଇକୋର୍ଟ ସମେତ ସମସ୍ତ ଅଦାଲତରେ ଅଚଳାବସ୍ଥା ଲାଗି ରହିଥିବା ବେଳେ ଏହାର ପ୍ରଭାବ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଉପରେ ପଡିଛି। ବିଚାରାଧୀନ ମାମଲା ସ˚ଖ୍ୟା ବଢି ବଢି ଚାଲିଥିବା ବେଳେ ନୂଆ ମାମଲା ଦାୟର ଉପରେ ଆନ୍ଦୋଳନ ସମୟରେ ଅଙ୍କୁଶ ଯୋଗୁ ପରିସ୍ଥିତି ଅଧିକ ଜଟିଳ ହୋଇଛି। ଜେଲରେ ବିଚାରାଧୀନ ବନ୍ଦୀଙ୍କ ସ˚ଖ୍ୟା ବୃଦ୍ଧି ପାଇଥିବା ବେଳେ ଛୋଟମୋଟ ଅପରାଧିକ ମାମଲାରେ ଗିରଫ ହୋଇଥିବା ବ୍ୟକ୍ତି ଜାମିନ ପାଇ ପାରୁନାହାନ୍ତି। ଅନ୍ୟପକ୍ଷରେ ଦୁର୍ଗାପୂଜା ଅବକାଶ ପାଇଁ ଅଦାଲତ ଅକ୍ଟୋବର ୧୩ରୁ ଛୁଟି ରହିବ। ଅକ୍ଟୋବର ୨୫ରେ ଖୋଲିବ। ଏପରି ପରିସ୍ଥିତିରେ ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ମହକିଲଙ୍କ ଚିନ୍ତା ବଢାଇ ଦେଇଛି। ସାରା ରାଜ୍ୟରେ ନ୍ୟାୟିକ ପ୍ରକ୍ରିୟାରେ ଅଚଳାବସ୍ଥା ଦେଖା ଦେଇଛି। ଯଦି ସମସ୍ୟାର ସମାଧାନ ଶୀଘ୍ର ନ ହୁଏ ତେବେ ପରିସ୍ଥିତି ଅଧିକ ଜଟିଳ ହେବ।

ସମ୍ବନ୍ଧିତ ଖବର