ଜରୁରୀ ସେବାରେ ଯୋଡ଼ି ହେଲା ୪୨ଟି ୧୦୮ ଆମ୍ବୁଲାନ୍‌ସ : ରାଜ୍ୟରେ ଆମ୍ବୁଲାନ୍‌ସ ସଂଖ୍ୟା ୫୧୨କୁ ବୃଦ୍ଧି

ଭୁବନେଶ୍ବର : ଜରୁରୀକାଳୀନ ୧୦୮ ଆମ୍ବୁଲାନ୍‌ସ ସେବା ସହିତ ଯୋଡ଼ି ହୋଇଛି ଆହୁରି ୪୨ଟି ଆମ୍ବୁଲାନ୍‌ସ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା ଏହି ୪୨ଟି ୧୦୮ ଆମ୍ବୁଲାନ୍‌ସକୁ ଲୋକାର୍ପିତ କରିଛନ୍ତି। ଫଳରେ ରା‌ଜ୍ୟରେ ଜରୁରୀକାଳୀନ ୧୦୮ ଆମ୍ବୁଲାନ୍‌ସ ସଂଖ୍ୟା ୫୧୨କୁ ବୃଦ୍ଧି ପାଇଛି। ସେହିପରି ଗର୍ଭବତୀ ମା’ ଓ ଅସୁସ୍ଥ ଶିଶୁଙ୍କୁ ଡାକ୍ତରଖାନା ନେବା ପାଇଁ ରାଜ୍ୟରେ ୫ଶହଟି ୧୦୨ ଆମ୍ବୁଲାନ୍‌ସ କାର୍ଯ୍ୟ କରୁଛି।

ଏହି ଅବସରରେ ଶ୍ରୀ ଜେନା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟରେ ବିଶେଷକରି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାଗୁଡ଼ିକରେ ଜରୁରୀକାଳୀନ ସେବାକୁ ଅଧିକ ଗୁରୁତ୍ବ ଦିଆଯାଇଛି। ଏହାସହ କ୍ରମବର୍ଦ୍ଧିଷ୍ଣୁ ଚାହିଦାକୁ ନଜରରେ ରଖି ରାଜ୍ୟ ସରକାର ନିଜସ୍ବ ପାଣ୍ଠିରୁ ଅତିରିକ୍ତ ୯୨ଟି ୧୦୮ ଆମ୍ବୁଲାନ୍‌ସର ବ୍ୟବସ୍ଥା କରିଛନ୍ତି। ଏଥିରୁ ୨୮ଟି ବିଏଲ୍‌ଏସ୍‌ ଆମ୍ବୁଲାନ୍‌ସକୁ ଏଏଲ୍ଏସ୍‌ ଆମ୍ବୁଲାନ୍‌ସରେ ରୂପାନ୍ତରିତ କରିବା ପାଇଁ ସରକାର ନିଜସ୍ବ ପାଣ୍ଠିରୁ ଆବଶ୍ୟକ ଅର୍ଥ ପ୍ରଦାନ କରିଛନ୍ତି। ଏହି ଅତିରିକ୍ତ ଆମ୍ବୁଲାନ୍‌ସଗୁଡ଼ିକ ପାଇଁ ଆସନ୍ତା ୫ବର୍ଷ ପାଇଁ ରାଜ୍ୟ ସରକାର ୯୦କୋଟି ଟଙ୍କାର ବ୍ୟବସ୍ଥା କରିଥିବା ଶ୍ରୀ ଜେନା କହିଥିଲେ।

ଏହି ଅତିରିକ୍ତ ୯୨ଟି ଆମ୍ବୁଲାନ୍‌ସକୁ ମୁଖ୍ୟମନ୍ତ୍ରୀ ଗତ ଡିସେମ୍ବର ମାସରେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ସହିତ ୨୪ଟି ଆମ୍ବୁଲାନ୍‌ସକୁ ଲୋକାର୍ପିତ କରିଥିଲେ। ଗତ ଜୁଲାଇ ମାସରେ ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ଜେନା ୨୬ଟି ଆମ୍ବୁଲାନ୍‌ସ ସେବାର ଶୁଭାରମ୍ଭ କରିଥିବା ବେଳେ ଆଜି ବାକି ୪୨ଟି ଆମ୍ବୁଲାନ୍‌ସକୁ ଲୋକାର୍ପିତ କରିଛନ୍ତି।

ରାଜ୍ୟରେ ୨୦୧୩ ମସିହା ମାର୍ଚ ମାସରୁ ଜରୁରୀକାଳୀନ ଆମ୍ବୁଲାନ୍‌ସ ସେବା ଆରମ୍ଭ ହୋଇଛି। ଏ ପର୍ଯ୍ୟନ୍ତ ୩୮ଲକ୍ଷରୁ ଅଧିକ ଲୋକ ଏହି ସେବା ଦ୍ବାରା ଉପକୃତ ହୋଇଛନ୍ତି। ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ କ୍ଷେତ୍ରରେ ଏହି ସେବା ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଆଜିର ଲୋକାର୍ପଣ କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ସଚିବ ଡା.ପ୍ରମୋଦ କୁମାର ମେହେର୍ଦା, ଜାତୀୟ ସ୍ବାସ୍ଥ୍ୟ ମିସନ୍‌ର ନିର୍ଦେଶିକା ଶାଳିନୀ ପଣ୍ଡିତ, ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦେଶିକା ଅର୍ଚ୍ଚନା ପଟ୍ଟନାୟକ, ରାଜ୍ୟରେ ୧୦୮ ଆମ୍ବୁଲାନ୍‌ସର ପରିଚଳନା ସଂସ୍ଥା ଜିକିଜା ହେଲ୍‌ଥକେୟାରର କର୍ମକର୍ତାଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର