ପାଣିରେ ବୁଡ଼ି ବର୍ଷକୁ ୪୩୧ ମରୁଛନ୍ତି; ଆଗରେ ବାଲେଶ୍ୱର, ଭଦ୍ରକ ଓ ଯାଜପୁର

ଭୁବନେଶ୍ୱର : ରାଜ୍ୟରେ ବର୍ଷକୁ ହାରାହାରି ୪୩୧ଜଣ ପାଣିରେ ବୁଡି ମରୁଛନ୍ତି । ଗତ ତିନିବର୍ଷ ମଧ୍ୟରେ ୧୨୯୨ ଜଣ ପ୍ରାଣ ହରାଇଥିବାବେଳେ ଅଧିକ ସଂଖ୍ୟକ ଯୁବକଙ୍କ ମୃତ୍ୟୁ ଘଟିବା ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଏଭଳି ମୃତ୍ୟୁ ରାଜ୍ୟସ୍ତରୀୟ ବିପର୍ଯ୍ୟୟ ତାଲିକାରେ ଅନ୍ତର୍ଭୁକ୍ତ ହେବା ସହିତ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି ସହାୟତା ରାଶି ବ୍ୟବସ୍ଥା ହୋଇଥିବା ସ୍ୱତନ୍ତ୍ର ରିଲିଫ୍‌ କମିସନର ବିଷ୍ଣୁପଦ ସେଠୀ ପ୍ରକାଶ କରିଛନ୍ତି।

ଶ୍ରୀ ସେଠୀ କହିଛନ୍ତି ଯେ ରାଜ୍ୟ ସରକାର ୮ଟି ପ୍ରାକୃତିକ ବିପର୍ଯ୍ୟୟକୁ ରାଜ୍ୟସ୍ତରୀୟ ବିପର୍ଯ୍ୟୟ ତାଲିକାରେ ଅନ୍ତର୍ଭୁକ୍ତ କରିଛନ୍ତି। ଏଥି ମଧ୍ୟରେ ପାଣିରେ ବୁଡ଼ି ମରିବା, ବଜ୍ରପାତ, ଘୂର୍ଣ୍ଣିଝଡ଼, ପ୍ରବଳ ବୃଷ୍ଟିପାତ, ଅଂଶୁଘାତ, ନୌକା ଦୁର୍ଘଟଣା, ଘୂର୍ଣ୍ଣିବାତ୍ୟା ଓ ସାପ କାମୁଡ଼ା ଆଦି ରହିଛି। ଏହିସବୁ ଦୁର୍ବିପାକରେ ମୃତ୍ୟୁ ବରଣ କରୁଥିବା ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କୁ ସରକାର ୪ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରୁଥିବା ଶ୍ରୀ ସେଠୀ କହିଛନ୍ତି।

ବିଗତ ୩ ବର୍ଷ ମଧ୍ୟରେ ୧୨୯୨ ଜଣ ବ୍ୟକ୍ତି ପାଣିରେ ବୁଡ଼ି ମରିଥିବା ଜଣାଯାଇଛି। ଏହି ମୃତ୍ୟୁ ବନ୍ୟାଜନିତ ନୁହେଁ, କାରଣ ବନ୍ୟା ସମୟରେ ବୁଡ଼ି ମୃତ୍ୟୁକୁ ବନ୍ୟାଜନିତ ମୃତ୍ୟୁ ଭାବେ ଗଣାଯାଇଥାଏ। ପ୍ରତିବର୍ଷ ପାଣିରେ ବୁଡ଼ି ମରୁଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।

୨୦୧୫-୧୬ ବର୍ଷରେ ୨୪୬ଜଣ ବୁଡ଼ି ମରିଥିବା ବେଳେ ୨୦୧୬-୧୭ରେ ଏହି ସଂଖ୍ୟା ୪୨୮ ଓ ୨୦୧୭-୧୮ରେ ୬୧୮ ରେକର୍ଡ କରାଯାଇଛି। ହାରାହାରି ଭାବେ ପ୍ରତିବର୍ଷ ୪୩୧ ଜଣ ପାଣିରେ ବୁଡ଼ି ମରୁଛନ୍ତି।

ବିଗତ ତିନିବର୍ଷରେ ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ ୧୨୯ ଜଣ ପାଣିରେ ବୁଡ଼ି ମରିଥିବା ରେକର୍ଡ କରାଯାଇଛି। ଭଦ୍ରକରେ ଏହି ସଂଖ୍ୟା ୧୧୮ ଓ ଯାଜପୁର ୧୦୩ ରହିଛି। ଏହି ତିନିଟିି ଜିଲ୍ଲାରେ ପ୍ରତିବର୍ଷ ଏହି ଧରଣର ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ରାଜ୍ୟର ୨୯ଟି ଜିଲ୍ଲାର ୨୩୮ଟି ବ୍ଲକ୍‌ରେ ୧୨୯୨ ଜଣ ପାଣିରେ ବୁଡ଼ି ମରିଥିବା ବେଳେ ବୌଦ୍ଧ ଜିଲ୍ଲାରେ ଜଣେ ହେଲେ କେହି ଏଥିରେମରିନାହାନ୍ତି। ସେହିଭଳି ବିଗତ ୩ ବର୍ଷ ମଧ୍ୟରେ ୭୬ଟି ବ୍ଲକ୍‌ରେ ମଧ୍ୟ ଏହିଭଳି ମୃତ୍ୟୁ ରେକର୍ଡ ହୋଇନାହିଁ। ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକ୍‌ରେ ସର୍ବାଧିକ ୪୦ ଜଣ ପାଣିରେ ବୁଡ଼ି ମୃତ୍ୟୁବରଣ କରିଥିବା ରେକର୍ଡ ହୋଇଛି। ସେହିପରି ସମ୍ବଲପୁର ବ୍ଲକ୍‌ରେ ୩୪ ଜଣ, ବସ୍ତା ଓ ମହାକାଳପଡ଼ା ବ୍ଲକ୍‌ରେ ୩୧ ଜଣ କରି ମରିଛନ୍ତି। ସର୍ବାଧିକ ଜଳ ବୁଡ଼ି ମୃତ୍ୟୁ ଜୁଲାଇରୁ ନଭେମ୍ବର ମାସ ମଧ୍ୟରେ ଘଟୁଛି।

ଏଭଳି ଦୁର୍ଘଟଣାରେ ମରୁଥିବା ୧୨୯୨ ଜଣଙ୍କ ମଧ୍ୟରୁ ୭୮୩ ଅର୍ଥାତ୍‌ ୬୧ ପ୍ରତିଶତ ମୃତ୍ୟୁ ଏହି ୫ ମାସ ମଧ୍ୟରେ ଘଟିଛି।

ସେପ୍ଟେମ୍ବର ମାସରେ ସର୍ବାଧିକ ୧୯୭ ଜଣ ମୃତ୍ୟୁବରଣ କରିଥିବା ବେଳେ ଅଗଷ୍ଟରେ ୧୯୨ ଓ ଅକ୍ଟୋବର ମାସରେ ୧୫୦ ଜଣ ପାଣିରେ ବୁଡ଼ି ମରିଛନ୍ତି।

ବର୍ଷା ଋତୁରେ ସର୍ବାଧିକ ମୃତ୍ୟୁ ଘଟୁଥିବା ଜଣାଯାଇଛି। ଏହାଛଡ଼ା ପୁରୀ, କୋଣାର୍କ ଓ ଗୋପାଳପୁର ବେଳାଭୂମିରେ ସମୁଦ୍ରରେ ବୁଡ଼ି ବି ଅନେକ ମରୁଛନ୍ତି। ୨୦୦୪ ମସିହାରେ ଦକ୍ଷିଣ- ପୂର୍ବ ସମୁଦ୍ରରେ ଆସିଥିବା ସୁନାମି ପରଠାରୁ କୋଣାର୍କ, ପୁରୀ ଓ ଗୋପାଳପୁର ବେଳାଭୂମିରେ ଉଚ୍ଚ ଜୁଆର ଲକ୍ଷ୍ୟ କରାଯାଉଛି।ଏସବୁ ଦିନରେ ଅଧିକ ଦୁର୍ଘଟଣା ଘଟୁଥିବା ଦେଖାଯାଇଛି।

ସମ୍ବନ୍ଧିତ ଖବର