ଭୁବନେଶ୍ୱର: ଓଡ଼ିଶାରେ ଚତୁର୍ଥ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦୁବାଇରୁ ଫେରିଥିବା ଜଣେ ଯୁବକଙ୍କ ସ୍ୱାବ ନମୁନା ପରୀକ୍ଷା ପଜିଟିଭ ହୋଇଥିବା ଜଣାପଡ଼ିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆଜି ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
Fourth COVID-19 confirmed case; 29 years old male of Bhadrak district with travel history to Dubai.
— H & FW Dept Odisha (@HFWOdisha) March 31, 2020
ସୂଚନା ଅନୁସାରେ ଭଦ୍ରକ ଜିଲ୍ଲାର ଏହି ୨୯ ବର୍ଷିଅ ଯୁବକ ନିକଟରେ ଦୁବାଇରୁ ଆସିଥିଲେ । ସନ୍ଦେହ ହେବା ପରେ ସେ ଡାକ୍ତରଙ୍କ ପରାମର୍ଶ ପାଇଁ ଡାକ୍ତରଖାନା ଯାଇଥିଲେ । ତାଙ୍କର ସ୍ୱାବ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା । ପରୀକ୍ଷା ପରେ ସଂପୃକ୍ତ ଯୁବକ କରୋନା ଆକ୍ରାନ୍ତ ବୋଲି ସ୍ପଷ୍ଟ ହୋଇଛି।
ଓଡ଼ିଶାରେ ଏପର୍ଯ୍ୟନ୍ତ ୬୧୦ଟି ନମୁନା ପରୀକ୍ଷା କରାଯାଇଛି । କେବଳ ଆଜି ୧୩୭ଟି ନମୁନା ପରୀକ୍ଷା କରାଯାଇଥିଲା । ଏଥିରୁ ଗୋଟିଏ ରିପୋର୍ଟ ପଜିଟିଭ ଆସିଛି । ଭୁବନେଶ୍ବର ଆରଏମଆରସିରେ ୧୧୯ଟି ନମୁନା ପରୀକ୍ଷା କରାଯାଇଥିଲା ଓ ଏସବୁ ରିପୋର୍ଟ ନେଗେଟିଭ ଆସିଥିଲା । ସେହିପରି କଟକ ଏସସିବିରେ ୩ଟି ନମୁନା ପରୀକ୍ଷା ହୋଇଥିଲା । ଏଗୁଡ଼ିକ ମଧ୍ୟ ନେଗେଟିଭ ଆସିଥିଲା। ଅନ୍ୟ ପକ୍ଷରେ ଭୁବନେଶ୍ବର ଏମ୍ସରେ ୧୫ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ଗୋଟିଏ ପଜିଟିଭ ଆସିଥିଲା ।
ସୂଚନାଯୋଗ୍ୟ, ଓଡ଼ିଶାରେ ପ୍ରଥମ କରୋନା ପଜିଟିଭ ଗତ ୧୫ରେ ଚିହ୍ନଟ ହୋଇଥିଲା । ସେହିପରି ୧୯ ତାରିଖରେ ଦ୍ୱିତୀୟ ଓ ୨୬ ତାରିଖରେ ତୃତୀୟ ବ୍ୟକ୍ତି କରୋନା ସଂକ୍ରମଣ ପଜିଟିଭ ଚିହ୍ନଟ ହୋଇଥିଲେ ।