ଜାନକୀବଲ୍ଲଭ ଥିଲେ ବିକଳ୍ପ ବିହୀନ କର୍ମଯୋଗୀ

ଜାନକୀବଲ୍ଲଭ ପଟ୍ଟନାୟକଙ୍କ ୪ର୍ଥ ଶ୍ରାଦ୍ଧ ବାର୍ଷିକ

ଭୁବନେଶ୍ବର : ସାମ୍ବାଦିକତା, ସାହିତ୍ୟ, ରାଜନୀତି ଓ ସମାଜସେବାରେ ଜାନକୀବଲ୍ଲଭ ପଟ୍ଟନାୟକ ଥିଲେ ବିକଳ୍ପ ବିହୀନ କର୍ମଯୋଗୀ। ଉଚ୍ଚାରଣ ଓ ଆଚରଣରେ ସେ ଜଣେ ଉତ୍ତମ ରାଷ୍ଟ୍ରନୀତିଜ୍ଞ ଥିଲେ। ସବୁ ଭିତରେ ସେ ସମନ୍ବୟ ସ୍ଥାପନ କରିପାରିଥିଲେ। ଅପ୍ରତିଦ୍ବନ୍ଦ୍ବୀ, ବିଚକ୍ଷଣ, ବିଜ୍ଞ, ପାରଦର୍ଶୀ ବ୍ୟକ୍ତିତ୍ବ ଭାବେ ତାଙ୍କ ସ୍ମୃତି ଚିର ଅମଳିନ ରହିବ। ରାଜ୍ୟସ୍ତରୀୟ ଜାନକୀବଲ୍ଲଭ ପଟ୍ଟନାୟକ ସ୍ମୃତି କମିଟି ପକ୍ଷରୁ ଆଜି ହୋଟେଲ୍‌ ରୟାଲ ସୁଟ୍‌ରେ ଯଶସ୍ବୀ ଜନନେତା ପୂର୍ବତନ ରାଜ୍ୟପାଳ ତଥା ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ୪ର୍ଥ ଶ୍ରାଦ୍ଧୋତ୍ସବରେ ଅତିଥିମାନେ ଏପରି ଆଲୋକପାତ କରିଛନ୍ତି।

ସ୍ମୃତି କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ତଥା ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ଡ. ବିମଳେନ୍ଦୁ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ବାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାନକୀ ବାବୁ ଚିର କାଳ ଅମର ରହିବେ ବୋଲି କହିଥିଲେ। କିସ୍‌ର କୁଳପତି ଡ. ହରେକୃଷ୍ଣ ଶତପଥୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ଶେଷ ସମୟରେ ଜାନକୀ ବଲ୍ଲଭଙ୍କ ସହ ବିତାଇଥିବା ପବିତ୍ର ମୁହୂର୍ତର ସ୍ମୃତିଚାରଣ କରିଥିଲେ। ଏହି ଅବସରରେ ଭାଷା‌ ପାଇଁ ଭାଷାବିତ୍‌ ଦେବୀପ୍ରସନ୍ନ ପଟ୍ଟନାୟକ, ସାମ୍ବାଦିକତା ପାଇଁ ପ୍ରଦୋଷ ପଟ୍ଟନାୟକ ଏବଂ ନିଶା ନିବାରଣ ପାଇଁ ପଦ୍ମଚରଣ ନାୟକଙ୍କୁ ଜାନକୀବଲ୍ଲଭ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା। ସମ୍ମାନ ପାଇଁ ପ୍ରତିଭା ଚୟନ କମିଟିର ସଦସ୍ୟ ଥିବା ପୂର୍ବତନ ନଗରପାଳ ଡାକ୍ତର ଜଗନ୍ନାଥ ମହାପାତ୍ରଙ୍କୁ ମଧ୍ୟ ଏହି ଅବସରରେ ସମ୍ବର୍ଧିତ କରାଯାଇଥିଲା।

ସ୍ମୃତି କମିଟିର ସାଧାରଣ ସମ୍ପାଦକ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଜାନକୀବଲ୍ଲଭଙ୍କ ଆଦର୍ଶ ଜୀବନ ସମ୍ବନ୍ଧରେ ଆଲୋକପାତ କରିଥିଲେ। କ‌ୋଷାଧ୍ୟକ୍ଷ ଡ.ବଦ୍ରିନାଥ ପଟ୍ଟନାୟକ କହିଥିଲେ, ଜାନକୀବଲ୍ଲଭଙ୍କ ପ୍ରତିମୂର୍ତି ପାଇଁ ବର୍ଷେ ହେଲା ସରକାରଙ୍କୁ ଲିଖିତ ଭାବେ ଜଣା‌ଇଛୁ। ଜାଗା ଦେବା ପାଇଁ ଲେଖିଛୁ। କିନ୍ତୁ ଏପର୍ଯ୍ୟନ୍ତ ଆମକୁ ଜାଗା ଯୋଗାଇ ଦିଆଯାଇନାହିଁ। ତେଣୁ ଯଦି ସରକାର କୌଣସି ପଦକ୍ଷେପ ନ ନିଅନ୍ତି ତେବେ ଆସନ୍ତାବର୍ଷ ଏପ୍ରିଲ୍‌ ୨୧ ସୁଦ୍ଧା କଂଗ୍ରେସ ଭବନ ନିକଟରେ ତାଙ୍କର ପ୍ରତିମୂର୍ତି ସ୍ଥାପନ ସହ ସେଇଠାରେ ସ୍ମୃତିସଭା ଆୟୋଜନ କରିବୁ ବୋଲି ସେ କହିଥିଲେ। ପ୍ରାରମ୍ଭରେ ଓ ସଭା ପରେ ଭଜନ ପରିବେଷଣ କରାଯାଇଥିଲା।

ସମ୍ବନ୍ଧିତ ଖବର