ଚତୁର୍ଥ ଓଡ଼ିଶା ଟୁରିଜିମ୍ କନକ୍ଲେଭ ଉଦ୍‌ଘାଟିତ : ପର୍ଯ୍ୟଟନ ସୁଖଦ ଅନୁଭୂତି, ଅଭୁଲା ସ୍ମୃତି ଓ ଅଶେଷ ଆନନ୍ଦର ସମାହାର-ରାଜ୍ୟପାଳ

ଭୁବନେଶ୍ୱର : ପର୍ଯ୍ୟଟନର ପରିଧି ବ୍ୟାପକ। ରାଜସ୍ୱ ଆଦାୟ ଯଦିଓ ଏକ ପ୍ରମୁଖ ଦିଗ ଓ ଆଭିମୁଖ୍ୟ ତଥାପି ପର୍ଯ୍ୟଟନ ମୁଖ୍ୟତଃ ହେଉଛି ସୁଖଦ ଅନୁଭୂତି, ଅଭୁଲା ସ୍ମୃତି ଓ ଅଶେଷ ଆନନ୍ଦର ଅପୂର୍ବ ସମାହାର। ବିଭିନ୍ନ ସ୍ଥାନ ପରିଭ୍ରମଣ ଦ୍ୱାରା ଜ୍ଞାନର ପରିସର ମଧ୍ୟ ବୃଦ୍ଧି ପାଇଥାଏ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମତବ୍ୟକ୍ତ କରିଛନ୍ତି।

ଆଜି ସ୍ଥାନୀୟ ସ୍ୱସ୍ତି ପ୍ରିମିୟମଠାରେ ଅନୁଷ୍ଠିତ ଚତୁର୍ଥ ଓଡ଼ିଶା ପର୍ଯ୍ୟଟନ କନକ୍ଲେଭ ୨୦୧୯କୁ ପ୍ରଦୀପ ପ୍ରଜ୍ୱଳନ ସହ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ମୁଖ୍ୟ ଅତିଥି ରାଜ୍ୟପାଳ କହିଲେ ଯେ ଓଡ଼ିଶାରେ ପର୍ଯ୍ୟଟନର ସାମର୍ଥ୍ୟ ଓ ସୁଯୋଗ ଯଥେଷ୍ଟ ରହିଛି। ଏହି ପରିପ୍ରେକ୍ଷୀରେ ସେ ସୁଦୀର୍ଘ ବେଳାଭୂମି, ପ୍ରାକୃତିକ ସୌନ୍ଦର୍ଯ୍ୟର ଅପୂର୍ବ ସମ୍ଭାର, ପ୍ରାଚୀନ ମନ୍ଦିର, ବୌଦ୍ଧ କୀର୍ତ୍ତିରାଜି, ସମୃଦ୍ଧ କଳା ଓ ସଂସ୍କୃତି ସଂପର୍କରେ ଉଲ୍ଲେଖ କରି ଓଡ଼ିଶା ସମଗ୍ର ଦେଶରେ ଅନନ୍ୟ ଯାହା ପର୍ଯ୍ୟଟକଙ୍କୁ ଏହାକୁ ଅନୁଭବ ଓ ଆବିଷ୍କାର କରିବାକୁ ପର୍ଯ୍ୟାପ୍ତ ସୁଯୋଗ ପ୍ରଦାନ କରିଥାଏ ବୋଲି କହିଥିଲ। ପ୍ରକୃତିର କୋଳରେ ଈଶ୍ୱରଙ୍କ ସୃଷ୍ଟିକୁ ଅନୁଧ୍ୟାନ କରିବା ଓ ଏହାର ଆନନ୍ଦ ଉପଭୋଗ କରିବାରେ ଓଡ଼ିଶା ପର୍ଯ୍ୟଟକମାନଙ୍କ ପାଇଁ ଏକ ଉତ୍କୃଷ୍ଟ ରାଜ୍ୟ। ସେହିପରି ଆଧ୍ୟାତ୍ମିକତା କ୍ଷେତ୍ରରେ ରାଜ୍ୟର ସ୍ୱତନ୍ତ୍ର ପରିଚୟ ରହିଛି ଯାହାର ଅଧ୍ୟୟନ ଓ ଉଚ୍ଚତର ଗବେଷଣା ପାଇଁ ଅନେକଙ୍କୁ ଆକୃଷ୍ଟ କରିପାରିଛି। ଏହି ସବୁର ସଦୁପଯୋଗ କରି ପର୍ଯ୍ୟଟନ କ୍ଷେତ୍ରକୁ ଅଧିକ କ୍ରିୟାଶୀଳ କରାଇ ରାଜ୍ୟରେ ପର୍ଯ୍ୟଟକମାନଙ୍କର ଆଗମନ ଓ ଉତ୍ତମ ରହଣି ପାଇଁ ସମସ୍ତ ଅଂଶୀଦାରମାନଙ୍କୁ ସହମତିରେ ଆବଶ୍ୟକୀୟ ପଦକ୍ଷେପ ଓ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ଉପରେ ରାଜ୍ୟପାଳ ଗୁରୁତ୍ୱାରୋପ କରିଥିଲେ ଓ କନକ୍ଲେଭର ସଫଳତା କାମନା କରିଥିଲ। ଏହି ଅବସରରେ ରାଜ୍ୟପାଳ “ଓ୍ୱଣ୍ଡର୍ସ ଅଫ୍ ୱେଓ୍ୱଷ୍ଟର୍ଣ ଓଡ଼ିଶା’ ପୁସ୍ତକ ଉନ୍ମୋଚନ କରିଥିଲେ।

ଏହି ଉଦ୍‌ଘାଟନୀ ଅଧିବେଶନରେ ଯୋଗଦେଇ ରାଜ୍ୟର ପର୍ଯ୍ୟଟନ ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଓଡ଼ିଶାକୁ ଦେଶର ପ୍ରମୁଖ ପର୍ଯ୍ୟଟନ ରାଜ୍ୟ ଭାବେ ଉପସ୍ଥାପନ କରିବା ପାଇଁ ସମସ୍ତ ପଦକ୍ଷେପ ଓ ଯୋଜନା ପ୍ରସ୍ତୁତ କରାଯାଉଛି ଓ ଏହାର ସଫଳତା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲ। ଶ୍ରୀକ୍ଷେତ୍ର ପୁରୀ ସଂପର୍କରେ ଉଲ୍ଲେଖ କରି ସଡ଼କ ଯୋଗାଯୋଗର ଓସାରୀକରଣ, ସ୍ୱଚ୍ଛତା ଆଦି ଦିଗ ପ୍ରତି ଦୃଷ୍ଟି ଦିଆଯାଇ ସରକାରଙ୍କ ପକ୍ଷରୁ ଏହାକୁ ବିଶ୍ୱସ୍ତରୀୟ ଐତିହ୍ୟ ସ୍ଥଳ ଭାବେ ପରିଣତ କରିବାକୁ କାର୍ଯ୍ୟ ଜାରି ରହିଛି ବୋଲି ସେ ପ୍ରକାଶ କରିଥିଲେ।

କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟରେ ଅବସ୍ଥାପିତ ଅତିରିକ୍ତ ଡାଇରେକ୍ଟର ଜେନେରାଲ ଶ୍ରୀମତୀ ରୁପିନ୍ଦର ବ୍ରାର୍ ଇକୋ-ଟୁରିଜିମ୍, ଦୁଃସାହସିକ ପର୍ଯ୍ୟଟନ ପରି ବିଭିନ୍ନ ଦିଗ ପ୍ରତି ଧ୍ୟାନ ଦିଆଯାଇ ଏଥିପ୍ରତି ଅଧିକ ଆଗ୍ରହ ସୃଷ୍ଟି କରାଯାଉଛି ବୋଲି କହିଥିଲ। ରାଜ୍ୟମାନଙ୍କ ସହିତ ପର୍ଯ୍ୟଟନ କ୍ଷେତ୍ରରେ
ସଂପୃକ୍ତ ସମସ୍ତ ଅଂଶୀଦାରମାନଙ୍କୁ ଏକା ସାଥିରେ ନେଇ ରାଜ୍ୟ ଓ ଦେଶରେ ପର୍ଯ୍ୟଟନର ବିକାଶ ପାଇଁ ପର୍ଯ୍ୟଟନ ମନ୍ତ୍ରାଳୟ ସର୍ବଦା ଚେଷ୍ଟିତ ବୋଲି କହିଥିଲେ। ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଥିବା ମନ୍ତ୍ରାଳୟର “ଗ୍ଲୋବାଲ ମେଡିଆ ଅଭିଯାନ’ରେ ଓଡ଼ିଶା ନିଜର ପର୍ଯ୍ୟଟନ ବିଭବକୁ ସ୍ଥାନିତ କରାଇ ଏହାର ସୁଯୋଗ ନେବାକୁ ପରାମର୍ଶ ଦେଇଥିଲ। ପର୍ଯ୍ୟଟନ ଏବଂ କ୍ରୀଡ଼ା ଓ ଯୁବସେବା ସଚିବ ଶ୍ରୀ ବିଶାଳ କୁମାର ଦେବ ରାଜ୍ୟକୁ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଭିତ୍ତିଭୂମିର ବିକାଶକୁ ଗୁରୁତ୍ୱ ଦିଆଯାଉଛି ଓ ହୋଟେଲ୍ ନିର୍ମାଣ ପାଇଁ ଜମି ଯୋଗାଇ ଦିଆଯିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି କହିଥିଲ। ଆସନ୍ତା ବର୍ଷ ରାଜ୍ୟ ପକ୍ଷରୁ କାମ୍ବୋଡ଼ିଆ, ମାଲୟେସିଆ, ସିଙ୍ଗାପୁର ଆଦି ଦେଶରେ ରୋଡ୍ ସୋ କରାଯିବାକୁ ଯୋଜନା ରହିଛି ବୋଲି ସେ ପ୍ରକାଶ କରିଥି‌ଲେ।

ପ୍ରାରମ୍ଭରେ ହୋଟେଲ୍ ଏଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନ୍ ଅଫ୍ ଓଡ଼ିଶା ଏବଂ ଆଇଏଟିଓ ପୂର୍ବାଞ୍ଚଳ ଶାଖାର ଅଧ୍ୟକ୍ଷ ଶ୍ରୀ ଜେ.କେ. ମହାନ୍ତି ସ୍ୱାଗତ ଅଭିଭାଷଣ ଓ ଗତ କନକ୍ଲେଭରେ ଗ୍ରହଣ କରାଯାଇଥିବା ପ୍ରସ୍ତାବ ସଂପର୍କରେ ସୂଚନା ଦେଇଥିଲ। ରାଜ୍ୟର ଜୟପୁର ବିମାନବନ୍ଦରକୁ କାର୍ଯ୍ୟକ୍ଷମ
କରିବାକୁ ସେ ଦୃଷ୍ଟି ଆକର୍ଷଣ କରିଥିଲ। ପର୍ଯ୍ୟଟନ ନିର୍ଦ୍ଦେଶକ ଶ୍ରୀ ନିର୍ମଳ ଚନ୍ଦ୍ର ମିଶ୍ର ମଧ୍ୟ ମଞ୍ଚାସୀନ ଥିଲେ।

ଏହି କନକ୍ଲେଭରେ ପର୍ଯ୍ୟଟନ ଶିଳ୍ପ ସହିତ ସଂଶ୍ଳିଷ୍ଟ ବିଭିନ୍ନ ବ୍ୟକ୍ତିବିଶେଷ ଯୋଗ ଦେଇଛନ୍ତି।

ସମ୍ବନ୍ଧିତ ଖବର