କୁଲଡ଼ିହା ଅଭୟାରଣ୍ୟରେ ହରିଣ ଶିକାର, ୫ ଗିରଫ

୧୦ କେଜି ମାଂସ, ୧ହରିଣ ମୁଣ୍ଡ, ଗୁଳି ଜବତ

ନୀଳଗିରି : ବାଲେଶ୍ବର ଜିଲ୍ଲା ନୀଳଗିରି ଉପଖଣ୍ଡସ୍ଥ କୁଲଡିହା ଅଭୟାରଣ୍ୟରେ ପୁଣି ପଶୁ ଶିକାର କରାଯାଇଛି। ଗତକାଲି ଶିକାର କରି ଫେରୁଥିବା ବେଳେ ବନ ବିଭାଗ ୫ ଜଣ ଶିକାରୀଙ୍କୁ ଗିରଫ କରିଛି। ଏମାନଙ୍କଠାରୁ ୧୦ କେଜି ମାଂସ, ଗୋଟିଏ ହରିଣ ମୁଣ୍ଡ, ଦୁଇଟି ଦେଶୀ ବନ୍ଧୁକ, ୪ଟି ଅଫୁଟା ଗୁଳି, ୨ଟି ଧନୁ ତୀର ସହ ମାରଣାସ୍ତ୍ର ଜବତ କରାଯାଇଛି। ତେବେ ଅନ୍ୟ ୩ ଜଣ ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୩ଟା ୨୦ ମିନିଟ୍‌ ସମୟରେ ଅଭୟାରଣ୍ୟର କୁଲଡିହା ବିଟ୍‌ ହାଉସ୍‌ ନିକଟ ସିନ୍ଦୁର ଗୌରାଠାରେ ୮ ଜଣ ଶିକାରୀ ୨୦ କେଜିରୁ ଊର୍ଦ୍ଧ୍ବ ଓଜନର ହରିଣ ଶିକାର କରିଥିଲେ। ଖବରପାଇ ବନକର୍ମଚାରୀଙ୍କ ସହ ସବୁଜ ବାହିନୀ ସିନ୍ଦୁର ଗୌରାଠାରେ ଚଢ଼ଉ କରିଥିଲେ। ଶିକାରୀ ତେଣ୍ଡା ଗ୍ରାମର ସାଇବ ସିଂ(୪୫), ବୁଦ୍ଧିରାମ ସିଂ(୨୮)ଙ୍କୁ ଘଟଣାସ୍ଥଳରୁ ଗିରଫ କରିବା ସହ ମାଂସ ଓ ମାରଣାସ୍ତ୍ର ଜବତ କରିଥିଲେ। ଅନ୍ୟ ଶିକାରୀମାନେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ।  ବିଭାଗକୁ ଏନେଇ ଅବଗତ କଲାପରେ ବିଭାଗୀୟ କର୍ମଚାରୀମାନେ ସିଆଡ଼ିମାଳ ପଞ୍ଚାୟତର ଭୁଟା ସିମୁଳି ଗ୍ରାମର ହାଡ଼ୁ ସିଂ(୪୫)ଙ୍କଠାରୁ ୧ ଦେଶୀ ବନ୍ଧୁକ ଓ ବଡ଼ନାଳ ଗ୍ରାମର ଟେମ୍ପ ସିଂ(୩୩)ଙ୍କଠାରୁ ଧନୁତୀର ଜବତ କରି ସେମାନଙ୍କୁ ଗିରଫ କରିଥିଲେ।

ଅପରପକ୍ଷରେ ବାଲିଆନାଳ ବିଟ୍‌ ହାଉସ ନିକଟସ୍ଥ ଶୀତଳବାଙ୍କ ପୋଖରୀ ନିକଟରୁ କେସିପୁର ପଞ୍ଚାୟତ ବୁଦ୍ଧୁସାହି ଗ୍ରାମର ସତ୍ୟବାନ ସିଂଙ୍କ ପୁଅ ରୂଗା(୫୩)ଙ୍କଠାରୁ ଧନୁତୀର, ୨ ଗୁଳି ଜବତ କରି ଗିରଫ କରିଥିଲେ।  ଏନେଇ ବିଭାଗ ପକ୍ଷରୁ  ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର