ଶ୍ରୀମନ୍ଦିରରେ ଘଟିଥିବା ବିଭିନ୍ନ ବିଭ୍ରାଟର ତଦନ୍ତ ପାଇଁ ବସିଛି ୫ କମିସନ୍‌, ଫଳ ଶୂନ !

ଭୁବନେଶ୍ୱର : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଚାବି ହଜିବା ଘଟଣାର ବିଚାର ବିଭାଗୀୟ ତଦନ୍ତ ହେବ। କେଉଁ ପରିସ୍ଥିତିରେ ଚାବି ହଜିଲା, ଏଥିପାଇଁ କିଏ ଦାୟୀ? ସେ ସମ୍ପର୍କରେ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି ଅନୁଧ୍ୟାନ କରି ୩ ମାସ ମଧ୍ୟରେ ସରକାରଙ୍କୁ ରିପୋର୍ଟ ଦେବେ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିର୍ଦେଶ ଦେଇଛନ୍ତି। ତେବେ ଏହା ପୂର୍ବରୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଘଟିଥିବା ବିଭିନ୍ନ ବିଭ୍ରାଟ ସଂକ୍ରାନ୍ତରେ ଗତ କିଛି ବର୍ଷ ମଧ୍ୟରେ ଅନ୍ୟୁନ ୫ଟି ତଦନ୍ତ କମିସନ୍‌ ବସିଲାଣି। କାର୍ଯ୍ୟାନୁଷ୍ଠାନ ପରିବର୍ତ୍ତେ କମିସନ୍‌ଙ୍କ ରିପୋର୍ଟ ହଜିଯାଉଥିବା ଘଟଣାର ତଦନ୍ତ ଦାୟିତ୍ୱ ଅନ୍ୟ ଏକ କମିସନ୍‌ଙ୍କୁ ଦିଆଗଲେ ବି ହଜିଲା ରିପୋର୍ଟ ନ ମିଳିବା ଘଟଣା ରହସ୍ୟମୟ ହୋଇ ରହିଯାଉଛି।

ଶ୍ରୀମନ୍ଦିର ପରିସରରେ ନାଗାର୍ଜୁନ ବେଶ ଅବସରରେ ଘଟିଥିବା ଅଘଟଣ ସଂକ୍ରାନ୍ତରେ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତି ଜୀବନ ମୋହନ ମହାପାତ୍ରଙ୍କୁ ରାଜ୍ୟ ସରକାର ତଦନ୍ତ ଦାୟିତ୍ୱ ଦେଇଥିଲେ। ପ୍ରାୟ ୨ ବର୍ଷ ଧରି ତଦନ୍ତ କରିବା ପରେ ଜଷ୍ଟିସ୍‌ ମହାପାତ୍ର ତାଙ୍କ ତଦନ୍ତ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିବା ସମୟରେ ଫଟୋଚିତ୍ର ସମ୍ବାଦ ସହିତ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏହା ଉପରେ କାର୍ଯ୍ୟାନୁଷ୍ଠାନ ତ ଦୂରର କଥା। କମିସନ୍‌ଙ୍କ ରିପୋର୍ଟ ବି ଅମଲାତନ୍ତ୍ର ନଥି ତଳେ ଚାପି ହୋଇ କୁଆଡ଼େ ହଜିଗଲା। ପରବର୍ତ୍ତୀ ସମୟରେ ୨୦୦୬ ମସିହାରେ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ହୋଇଥିବା ଦଳାଚକଟା ସଂକ୍ରାନ୍ତରେ ତଦନ୍ତ ଲାଗି ରାଜ୍ୟ ସରକାର ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତି ପି କେ ମହାନ୍ତିଙ୍କୁ କମିସନ୍‌ ଭାବେ ନିଯୁକ୍ତି ଦେଇଥିଲେ। ଜଷ୍ଟିସ୍‌ ମହାପାତ୍ର କମିସନ୍‌ ରିପୋର୍ଟ ହଜିବା ସଂକ୍ରାନ୍ତରେ ବି ତଦନ୍ତ ଲାଗି ଜଷ୍ଟିସ୍‌ ମହାନ୍ତି କମିସନ୍‌ଙ୍କୁ କୁହାଯାଇଥିଲା। ଜଷ୍ଟିସ୍‌ ମହାନ୍ତି କମିସନ୍‌ ବାବଦରେ ପ୍ରାୟ ୪୬ ଲକ୍ଷ ଟଙ୍କା ଖର୍ଚ୍ଚ ହେଲା ଓ ରିପୋର୍ଟ ବି ୨୦୦୯ରେ ସରକାରଙ୍କ ହସ୍ତଗତ ହେଲା। କିନ୍ତୁ ଜଷ୍ଟିସ୍‌ ମହାପାତ୍ର ତଦନ୍ତ କମିସନ୍‌ ରିପୋର୍ଟ ଅନ୍ଧାରରେ ରହିଗଲା।

ଗତ ନବକଳେବର ସମୟରେ ଘଟ ପରିବର୍ତ୍ତନ ବିଭ୍ରାଟ ଅଭିଯୋଗର ତଦନ୍ତ ୨୦୧୫ ମସିହାରେ ଶ୍ରୀମନ୍ଦିରର ତତ୍‌କାଳୀନ ମୁଖ୍ୟ ପ୍ରଶାସକ ଆରମ୍ଭ କରିଥିଲେ। ତିନି ବର୍ଷ ପରେ ୨୦୧୮ରେ ରିପୋର୍ଟ ଶ୍ରୀମନ୍ଦିର ପରିଚାଳନା କମିଟିକୁ ମିଳିଛି। ଏହି ରିପୋର୍ଟ ଉପରେ ତର୍ଜମା ପାଇଁ ଏକ ତିନି ଜଣିଆ କମିଟି ବି ଗଢ଼ାଯାଇଛି। କିନ୍ତୁ ଏଯାବତ୍‌ ଏହି ରିପୋର୍ଟ ସାର୍ବଜନୀନ ହୋଇ ନାହିଁ।

ପୁରୀ ଶ୍ରୀମନ୍ଦିରରେ ଲାଗି ରହିଥିବା ଅବ୍ୟବସ୍ଥା ପ୍ରସଙ୍ଗରେ ସଂସ୍କାର ନିମନ୍ତେ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତି ବିମଳ ପ୍ରସାଦ ଦାସଙ୍କ ଅଧ୍ୟକ୍ଷତାରେ ୨୦୧୬ ମସିହାରେ ଅନ୍ୟ ଏକ କମିସନ୍‌ ଗଠନ କରାଯାଇଥିଲା। ଏହି କମିସନ୍‌ ଇତି ମଧ୍ୟରେ ୨ଟି ଅନ୍ତରୀଣ ରିପୋର୍ଟ ଦେଇଛନ୍ତି। ତେବେ ଜଷ୍ଟିସ୍‌ ଦାସ କମିସନ୍‌ଙ୍କ କାର୍ଯ୍ୟକାଳ ବୃଦ୍ଧି ସଂକ୍ରାନ୍ତୀୟ ପ୍ରସ୍ତାବ ସରକାରଙ୍କ ସକ୍ରିୟ ବିଚାରାଧୀନ ଥିବାରୁ ବସ୍ତୁତଃ ଏହି କମିସନ୍‌ ଅଚଳ ହୋଇପଡ଼ିଛି। ଏହି କମିସନ୍‌ ବାବଦରେ ରାଜକୋଷରୁ ୯୪ ଲକ୍ଷ ଟଙ୍କା ଖର୍ଚ୍ଚ ସରିଥିବା ସରକାର ସ୍ୱୀକାର କରିଛନ୍ତି।

ସମ୍ବନ୍ଧିତ ଖବର