ପାଣିରେ ପଡ଼ିଲା ୫ କୋଟି: ଦୁଇ ବର୍ଷରେ ୯୮ ଟ୍ରାନ୍‌ସଫର୍ମର ଚୋରି

ଚଣ୍ଡିଖୋଲ: ବଡ଼ଚଣା ବ୍ଲକ୍‌ ଅଞ୍ଚଳରେ ବିଦ୍ୟୁତ୍‌ ଟ୍ରାନ୍‌ସଫର୍ମର ଚୋରି ର‍୍ୟାକେଟ୍‌ ସକ୍ରିୟ ହୋଇ ଉଠିଛନ୍ତି। ଗତ ଦୁଇବର୍ଷରେ ବଡ଼ଚଣା, ବାଲିଚନ୍ଦ୍ରପୁର ଓ ଛତିଆ ବିଦ୍ୟୁତ୍‌ ସେକ୍‌ସନ ଆଦି କାର୍ଯ୍ୟାଳୟ ଅଞ୍ଚଳରୁ ୯୮ଟି ଟ୍ରାନ୍‌ସଫର୍ମର ଚୋରି ହୋଇଛି। ଏଥିମଧ୍ୟରୁ ବଡ଼ଚଣା ସେକ୍‌ସନ ଅଞ୍ଚଳରୁ ୩୯ଟି, ବାଲିଚନ୍ଦ୍ରପୁର ସେକ୍‌ସନ ଅଞ୍ଚଳରୁ ୨୪ ଓ ଛତିଆ ସେକ୍‌ସନ୍‌ ଅଞ୍ଚଳରୁ ୩୫ଟି ଏମିତି ୯୮ଟି ଟ୍ରାନ୍‌ସଫର୍ମରକୁ ଦୁର୍ବୃତ୍ତମାନେ ଲୁଟ୍‌ କରି ନେଇଛନ୍ତି। ଏନେଇ ବିଭାଗ କେବଳ ଏତଲା ଦେଇ ଚୁପ୍‌ ହୋଇ ବସିଯାଇଛି। ଏଭଳି ସ୍ଥିତିରେ ଦିନକୁ ଦିନ ଏହି ଅଞ୍ଚଳରେ ଟ୍ରାନସଫର୍ମର ଚୋରି ର‍୍ୟାକେଟ୍‌ ନିଜର ପ୍ରାର୍ଦୁଭାବ ଜାହିର କରିଚାଲିଛନ୍ତି।

ବିଭାଗୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ୧୫ ଦିନ ମଧ୍ୟରେ କେବଳ ଛତିଆ ଅଞ୍ଚଳରୁ ୩ ଟି ଟ୍ରାନ୍‌ସଫର୍ମର ଚୋରି ହୋଇଛି। ଏହି ବିଦ୍ୟୁତ୍‌ ଟ୍ରାନ୍‌ସଫର୍ମର ଚୋରି ଯାଇଥିବା ସଂକ୍ରାନ୍ତୀୟ ଖବର ପାଇ ସେସ୍‌କୋ ବିଭାଗର ଉପରୋକ୍ତ ୩ ଟି ସେକ୍‌ସନ କାର୍ଯ୍ୟାଳୟ ପକ୍ଷରୁ ନିଜ ନିଜ ଅଞ୍ଚଳର ଥାନାମାନଙ୍କରେ ଅଭିଯୋଗ କରାଯାଇଛି। ପୁଲିସ୍‌ ଟ୍ରାନ୍‌ସଫର୍ମର ଚୋରି ର‍୍ୟାକେଟ୍‌କୁ ଧରିବା ପାଇଁ କୌଣସି ଆଖି ଦୃଶିଆ ପଦକ୍ଷେପ ନେଇ ନାହିଁ। ଚୋରି ଯାଇଥିବା ୯୮ଟି ଟ୍ରାନ୍‌ସଫର୍ମର ମଧ୍ୟରୁ ଆଜିସୁଦ୍ଧା ଗୋଟିଏ ବି ପୁଲିସ୍‌ ଜବତ କରି ନାହିଁ କି ଏହି ର‍୍ୟାକେଟ୍‌ର ଟେର୍‌ ପାଇନାହିଁ। ତଦନ୍ତ, ତଦାରଖ ଓ କାର୍ଯ୍ୟାନୁଷ୍ଠାନ ଅଭାବରୁ ଟ୍ରାନ୍‌ସଫର୍ମର ଚୋରି ର‍୍ୟାକେଟ୍‌ ବଡ଼ଚଣା ଅଞ୍ଚଳରେ ସକ୍ରିୟ ରହିବା ସହ ଗୋଟିଏ ପରେ ଗୋଟିଏ ଟ୍ରାନ୍‌ସଫର୍ମର ଚୋରି କରି ନେଉଛନ୍ତି।

ରାଜ୍ୟ ସରକାରଙ୍କ ବିଜୁ ଗ୍ରାମ୍ୟ ଜ୍ୟୋତି ଯୋଜନା ଓ କେନ୍ଦ୍ର ସରକାରଙ୍କ ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ ଗ୍ରାମୀଣ ଜ୍ୟୋତି ଯୋଜନା ମାଧ୍ୟମରେ ପ୍ରତ୍ୟେକ ବିପିଏଲ୍‌ ପରିବାରକୁ ମାଗଣାରେ ବିଦ୍ୟୁତ୍‌ ସେବା ଯୋଗାଇ ଦିଆଯାଉଛି। ଗୋଟିଏ ଗୋଟିଏ ଟ୍ରାନ୍‌ସଫର୍ମର ଉପରେ ୩୦ଟି ବିପିଏଲ୍‌ ପରିବାର ନିର୍ଭର କରିଥାନ୍ତି। ଏହି ହିସାବକୁ ନିଆଗଲେ ବଡ଼ଚଣାରେ ପାଖାପାଖି ୩ ହଜାର ବିପିଏଲ୍‌ ପରିବାର ଟ୍ରାନ୍‌ସଫର୍ମର ଚୋରି ଯାଇଥିବା ଯୋଗୁ ଏବେ ଅନ୍ଧାରରେ ରହିଛନ୍ତି। ଅନ୍ୟପଟେ ୧୬ କେଭି ଓ ୨୫ କେଭି ବିଦ୍ୟୁତ୍‌ ଟ୍ରାନ୍‌ସଫର୍ମର ଚୋରି ଯାଇଛି। ଗୋଟିଏ ୧୬ କେଭି ଟ୍ରାନ୍‌ସଫର୍ମରର ମୂଲ୍ୟ ୪୫ ହଜାର ଟଙ୍କା ଓ ୨୫ କେଭି ଟ୍ରାନ୍‌ସଫର୍ମରର ମୂଲ୍ୟ ୫୫ ହଜାର ଟଙ୍କା। ବଡ଼ଚଣା ଅଞ୍ଚଳରୁ ଚୋରି ଯାଇଥିବା ଟ୍ରାନ୍‌ସଫର୍ମରର ମୂଲ୍ୟ ଆନୁମାନିକ ୫ କୋଟି ଟଙ୍କାରୁ ଅଧିକ ହେବ ବୋଲି କୁହାଯାଉଛି। ଦୁଇ ବର୍ଷ ହେଲା ଚୋରମାନେ ବିଦ୍ୟୁତ୍‌ ଟ୍ରାନ୍‌ସଫର୍ମର ଲୁଟି ନେଉଥିବା ବେଳେ ସେସ୍‌କୋ ବିଭାଗ କେବଳ ଥାନାରେ ଅଭିଯୋଗ କରି ଚୁପ୍‌ ହୋଇ ବସିବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।

ସମ୍ବନ୍ଧିତ ଖବର