ଦୁର୍ବୃତ୍ତଙ୍କ ଆକ୍ରମଣରେ ୫ଗୋରୁ ମୃତ, ୧୨ଗୋରୁ ଗୁରୁତର

ଉମରକୋଟ : ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ତହରା ପଞ୍ଚାୟତ ଅନ୍ତର୍ଗତ ଥିପାପାଣି ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ଗତକାଲି ମଧ୍ୟ ରାତ୍ରରେ କିଛି ଦୁର୍ବୃତ୍ତ ଗାଁ ଭିତରେ ପଶି ୫ଟି ଗୋରୁଙ୍କୁ ଭୁଜାଲି ଓ ଛୁରୀରେ ଆକ୍ରମଣ କରି ହତ୍ୟା କରିଛନ୍ତି। ସେହିପରି ଦୁର୍ବୃତ୍ତଙ୍କ ଆକ୍ରମଣରେ ପ୍ରାୟ ୧୨ଟି ଗୋରୁ ଆହତ ହୋଇଛନ୍ତି। ଏହି ଘଟଣା ପରେ ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି। ଖବର ପାଇ ପଶୁ ସଂପଦ ବିଭାଗ ଅଧିକାରୀ ଗାଁରେ ପହଞ୍ଚି ଗୁରୁତର ଗୋରୁଙ୍କ ଚିକିତ୍ସା କରିଛନ୍ତି। ଦୁର୍ବୃତ୍ତ ମାନେ କେଉଁ ଉଦ୍ଦେଶ୍ୟରେ ଗୋ-ହତ୍ୟା କରିଛନ୍ତି ତାହା ଅସ୍ପଷ୍ଟ ରହିଥିବା ବେଳେ ଏଭଳି ଘଟଣାକୁ ସାଧାରଣରେ ନିନ୍ଦା କରାଯାଇଛି।

ସୂଚନା ଅନୁଯାୟୀ, ଗତକାଲି ମଧ୍ୟ ରାତ୍ରରେ କିଛି ଦୁର୍ବୃତ୍ତ ହାତରେ ଛୁରୀ ଓ ଭୁଜାଲି ଧରି ଥିପାପାଣି ଗ୍ରାମ ଭିତରେ ପଶିଥିଲେ। ପରେ ଗୁହାଳ ତଥା ବାହାରେ ବନ୍ଧା ହୋଇଥିବା ବଳଦ ଓ ଗାଈଙ୍କୁ ଛୁରୀ ଓ ଭୁଜାଲିରେ ଆକ୍ରମଣ କରିଥିଲେ। ଏହି ସମୟରେ ଗ୍ରାମର ଏକ ଦଂପତି ବାହାରକୁ ବାହାରିଥିବା ବେଳେ ୨ଜଣ ଦୁର୍ବୃତ୍ତ ହାତରେ ଭୁଜାଲି ଧରି ଗୋଟିଏ ଗାଈକୁ ଆକ୍ରମଣ କରିବାକୁ ଗଉଡାଉଥିବା ଦେଖିଥିଲେ। ଦୁର୍ବୃତ୍ତଙ୍କ ମଧ୍ୟରେ ଜଣେ ଉଲଗ୍ନ ଅବସ୍ଥାରେ ଥିବା ଦଂପତି ଦେଖିବାକୁ ପାଇଥିଲେ। ଏଭଳି ବୀଭତ୍ସ ଦୃଶ୍ୟ ଦେଖିବା ପରେ ଭୟରେ ସେମାନେ ଘର ଭିତରକୁ ଚାଲି ଯାଇଥିଲେ। ଆଜି ସକାଳୁ ଗ୍ରାମବାସୀ ଉଠି ଦେଖିବା ବେଳକୁ ଗ୍ରାମର କୁମୁଟି ପାଙ୍ଗିଙ୍କ ଗୋଟିଏ ବଳଦ ଓ ବାଛୁରୀ, କାଦ୍ରା ତାଡିଙ୍ଗିଙ୍କ ଗୋଟିଏ ବଳଦ, ସନୁ ମାଝୀଙ୍କ ଗୋଟିଏ ଗାଈ ଓ ପ୍ରଧାନ ମାଝୀଙ୍କ ଗୋଟିଏ ବଳଦ ଗୁହାଳ ଭିତରେ ଓ ଗୁହାଳ ନିକଟରେ ମରି ପଡିଥିବା ଦେଖିବାକୁ ପାଇଥିଲେ।

ସେହିପରି ୧୨ଟି ଗୋରୁଙ୍କ ପେଟରେ ଭୁଜାଲିରେ ଆକ୍ରମଣ ହୋଇଥିବା ବେଳେ ଭୟରେ ଅନ୍ୟ କିଛି ଗୋରୁ ଗୁହାଳ ଛାଡି ଚାଲି ଯାଇଥିବା ଦେଖିଥିଲେ। କିଛି ଦୁର୍ବୃତ୍ତ ଏଭଳି କାଣ୍ଡ ଘଟାଇଥିବା ଜାଣିବା ପରେ ଗ୍ରାମବାସୀ ଏସଂପର୍କରେ ଉମରକୋଟ ଥାନା ଓ ପଶୁ ସଂପଦ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ବିଭିଓ ଡା. ପ୍ରକାଶ ମହାନ୍ତି ଥିପାପାଣି ଗାଁରେ ପହଞ୍ଚି ଗୁରୁତର ଥିବା ୧୨ଟି ଗୋରୁଙ୍କ ଚିକିତ୍ସା କରାଇଥିଲେ। ଚିକିତ୍ସା ପରେ ଗୋରୁ ଗୁଡିକ ସୁସ୍ଥ ଥିବା ଡା. ମହାନ୍ତି ସୂଚନା ଦେଇଛନ୍ତି। ଆଜି ସ୍ଥାନୀୟ ସରପଞ୍ଚ ଜଳନ୍ଧର ଗଣ୍ଡ ଥିପାପାଣି ଗାଁକୁ ଯାଇ ଗୋପାଳକଙ୍କୁ ଆଶ୍ୱସନା ଦେଇଥିଲେ। ଅନ୍ୟପଟେ ଏଭଳି ଗୋ-ହତ୍ୟା ଘଟଣାକୁ ଅଞ୍ଚଳବାସୀ ନିନ୍ଦା କରିବା ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ସେହିପରି ଗରିବ ଗୋପାଳକଙ୍କୁ କ୍ଷତିପୂରଣ ଯୋଗାଇ ଦେବାକୁ ନିବେଦନ କରାଯାଇଛି।

ସମ୍ବନ୍ଧିତ ଖବର