ନିଆଁରେ ଜଳିଗଲେ ୫

କଳାହାଣ୍ଡିରେ ଗୋଟିଏ ପରିବାରର ୩ ଜଣ ଜୀବନ୍ତ ଦଗ୍ଧ, ସମ୍ବଲପୁରରେ ୨ ଜଣ ମହିଳାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ଧର୍ମଗଡ଼/ସମ୍ବଲପୁର : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଅନ୍ତର୍ଗତ ଥନଟ ଗାଁରେ ବୁଧବାର ଗୋଟିଏ ପରିବାରର ୩ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ସେହିଭଳି, ସମ୍ବଲପୁରଠାରେ ରୋଷେଇ କରୁଥିବା ସମୟରେ ଦେହରେ ନିଆଁ ଲାଗି ୨ ଜଣ ମହିଳାଙ୍କ ପ୍ରାଣହାନି ଘଟିଛି।

ଥନଟ ଗାଁର ମୃତକମାନେ ହେଲେ ଅଜିତ ମହରା (୪୫)ଙ୍କ ପତ୍ନୀ ଚମ୍ପା (୪୦), ଝିଅ ସୁନିତା (୧୨) ଓ ପୁଅ ଅମିତ (୪)। ପୁଲିସ ସୂତ୍ରୁରୁ ପ୍ରକାଶ ଯେ, ଥନଟ ଗାଁର ଅଜିତ ମହରା ଗାଁ ଗାଁ ବୁଲି ବହି ବିକ୍ରି କରି ପରିବାର ପ୍ରତିପୋଷଣ କରିଥା’ନ୍ତି। ପରିବାରରେ ସ୍ତ୍ରୀ ଚମ୍ପା, ଦୁଇ ଝିଅ କୁନିତା (୧୫) ଓ ସୁନିତା ଏବ˚ ପୁଅ ଅମିତ ଥିଲେ। ବୁଧବାର ମଧୢ ଅଜିତ ଗୋଲାମୁଣ୍ତା ବ୍ଲକ୍‌ ବୃନ୍ଦାବାହାଲ ସାପ୍ତାହିକ ହାଟକୁ ବହି ବିକିବାକୁ ଯାଇଥିଲେ। ସକାଳ ୧୦ଟା ବେଳକୁ ଅଜିତଙ୍କ ଘର ନିଆଁରେ ଜଳୁଥିବା ଦେଖି ଗ୍ରାମବାସୀ ନିକଟସ୍ଥ କୂଅରୁ ପମ୍ପ ଯୋଗେ ପାଣି କାଢ଼ି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ। ଏହାସହ ଦମକଳବାହିନୀକୁ ଖବର ଦେଇଥିଲେ। ଦମଳକ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ, ସେତେବେଳକୁ ତିନୋଟି ଜୀବନ ଦଗ୍ଧୀଭୂତ ହୋଇସାରିଥିଲା। ଏହି ସମୟରେ ବଡ଼ ଝିଅ କୁନିତା ଗାଧୋଇବାକୁ ଯାଇଥିବାରୁ ସେ ଅଘଟଣ ବର୍ତ୍ତି ଯାଇଛନ୍ତି। ତେବେ, ଏହି ଅଭବାନୀୟ ଘଟଣାକୁ ନେଇ ଥନଟ ଗାଁ ତଥା ସମଗ୍ର ଅଂଚଳ ସ୍ତବ୍ଧ ହୋଇଯାଇଛି। ପୁଲିସ ଘଟଣାର ଛାନ୍‌ଭିନ୍‌ କରୁଛି। ତେବେ, ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଘଟଣାର କାରଣ ସ୍ପଷ୍ଟ ହୋଇନାହିଁ। ଗ୍ୟାସ ସିଲିଣ୍ଡର ଫାଟି ହୁଏତ ନିଆଁ ଲାଗି ଏହି ଘଟଣା ଘଟିଥିବା ଚର୍ଚ୍ଚା ହେଉଥିବାବେଳେ ପାରିପାର୍ଶ୍ବିକ ସ୍ଥିତିରୁ ସେଭଳି କିଛି ପ୍ରମାଣ ମିଳିନାହିଁ।

ଅନ୍ୟପକ୍ଷରେ, ରୋଷେଇ କରୁଥିବାବେଳେ ଦୁଇଟି ଭିନ୍ନ ଭିନ୍ନ ଘଟଣାରେ ନିଆଁ ଲାଗି ୨ ଜଣ ମହିଳାଙ୍କ ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ସେମାନେ ହେଲେ ଝାରସୁଗୁଡ଼ା ଜିଲ୍ଲା ବଡ଼ମାଲ ଥାନା କୁକୁର୍ଜଙ୍ଘା ଗ୍ରାମର ସୁମତି ରେହିଦାସ(୫୦) ଓ ସମ୍ବଲପୁର ଜିଲ୍ଲା ମହୁଲପାଲି ଥାନା ଅଂଚଳର ଭଗବତୀ ପୃଷେଠ୍‌ (୬୦)। ପୁଲିସ ସୂତ୍ରରୁ କୁକୁର୍ଜଙ୍ଘା ଗ୍ରାମର ସୁମତି ମଙ୍ଗଳବାର ଅପରାହ୍ନରେ ରୋଷେଇ କରିବା ପାଇଁ ଷ୍ଟୋଭ୍ ଜାଳୁଥିବାବେଳେ ହଠାତ୍ ତାଙ୍କ ଶରୀରରେ ନିଆଁ ଲାଗି ଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଯାଇଛି। ସେହିପରି ଭଗବତୀ ଗତ ୧୨ ତାରିଖ ସୋମବାର ଦିନ ସନ୍ଧ୍ୟାରେ ରୋଷେଇ କରିବାକୁ କାଠରେ କିରାସିନି ଢାଳିଥିଲେ। କିରାସିନି ହଠାତ୍ ତାଙ୍କରେ ଢାଳି ହୋଇଯାଇଥିଲା। ଏହି ସମୟରେ ତାଙ୍କ ପଛପଟେ ଥିବା ଏକ ଡିବିରିରୁ ନିଆଁ ଲାଗି ତାଙ୍କ ଶରୀର ଜଳି ଯାଇଥିଲା। ପରିବାର ଲୋକ ତାଙ୍କୁ କୁଚିଣ୍ଡା ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଅବସ୍ଥାର ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଏଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର