ପହିଲି ରଜରେ ଦୁଇଟି ମର୍ମନ୍ତୁଦ ଦୁର୍ଘଟଣା : ଅକାଳରେ ଚାଲିଗଲା ୫ ଜୀବନ

ଚାନ୍ଦିପୁର ରାସ୍ତାରେ ବାଇକ୍‌-ସ୍କୁଟି ଧକ୍କା, ୩ ମୃତ, ଲଙ୍ଗଳେଶ୍ବର ନିକଟରେ ଡମ୍ପର ତଳେ ମା’ ଝିଅ

ବାଲେଶ୍ବର/ବାଲିଆପାଳ : ପହିଲି ରଜରେ ଆଜି ଚାରିଆଡ଼େ ଆନନ୍ଦଉଲ୍ଲାସ ଲାଗିରହିଥିବା ବେଳେ ବାଲେଶ୍ବର ସହର ଉପକଣ୍ଠ‌ ଓ ଲଙ୍ଗଳେଶ୍ୱର-ପଞ୍ଚୁପାଲି ରାସ୍ତାରେ ଦୁଇଟି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାଲେଶ୍ବର ସହରରୁ ଚାନ୍ଦିପୁର ଯିବା ରାସ୍ତାର ଗଛମାଳିଆ ଠାରେ ଏକ ବାଇକ୍‌ ଓ ହୋଣ୍ଡା ଆକ୍ଟିଭା ସ୍କୁଟର ମୁହାଁମୁହିଁ ଧକ୍କା ହେବାରୁ ୩ ଜଣ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଜ‌ଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଅନ୍ୟପକ୍ଷରେ ଆଜି ରାତି ପ୍ରାୟ ୯ଟାରେ ବାଲିଆପାଳ ଥାନା ଅନ୍ତର୍ଗତ ପଞ୍ଚୁପାଲି-ମାନଧାତା ରାସ୍ତାର ଦକ୍ଷିଣ ମହାବଳା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମା’ଝିଅଙ୍କ ଜୀବନ ଯାଇଥିବାବେଳେ ବାପା ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁସାରେ, ଆଜି ଦ୍ବି-ପ୍ରହର ପ୍ରାୟ ୨ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ବାଲେଶ୍ବର ସହରରୁ ଏକ ପଲ୍‌ସର ବାଇକ୍‌ରେ ନୀଳଗିରି ବରହମ୍‌ପୁର ଥାନା ଅଞ୍ଚଳର ପପୁ ସିଂ(୨୫) ଓ ବୃନ୍ଦାବନ ସିଂ(୪୫) ଚାନ୍ଦିପୁର ଅଭିମୁଖେ ଯାଉଥିଲେ। ଏହି ସମୟରେ ଚାନ୍ଦିପୁର ଅଞ୍ଚଳରୁ ଏକ ହୋଣ୍ଡା ଆକ୍ଟିଭା ସ୍କୁଟରରେ ରୁପ୍‌ସା ଅଞ୍ଚଳର ଭକ୍ତବନ୍ଧୁ ସିଂ(୨୦) ଓ ସଦାନନ୍ଦ ସିଂ(୧୯) ବାଲେଶ୍ବର ସହର ଅଭିମୁଖେ ଆସୁଥିଲେ। ଗଛମାଳିଆ ଛକଠାରେ ଉଭୟ ଗାଡ଼ି କୌଣସି କାରଣରୁ ଭାରସାମ୍ୟ ହରାଇ ପରସ୍ପର ସହ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ଭକ୍ତବନ୍ଧୁଙ୍କର ମୃତ୍ୟୁ ହୋଇଯାଇଥିଲା। ସ୍ଥାନୀୟ ଲୋକେ ଅନ୍ୟ ତିନିଜଣଙ୍କୁ ଉଦ୍ଧାର କରି ବାଲେଶ୍ବର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ପପୁ ସିଂ ଓ ବୃନ୍ଦାବନ ସିଂଙ୍କର ବି ମୃତ୍ୟୁ ଘଟିଥିଲା। ଏ ନେଇ ଚାନ୍ଦିପୁର ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

ଅନ୍ୟପକ୍ଷରେ ଆଜି ରାତିରେ ଦକ୍ଷିଣ ମହାବଳା ନିକଟରେ ଘଟିଥିବା ଦୁର୍ଘଟଣାରେ ବସ୍ତା ବ୍ଲକ୍ କୁଡ଼ିଆ ପଞ୍ଚାୟତ କଦଳୀହଣ୍ଡା ଗ୍ରାମର ଜଗନ୍ନାଥ ଗିରିଙ୍କ ପତ୍ନୀ ବାସନ୍ତୀ(୨୮) ଓ ତାଙ୍କ ଝିଅ ମାମା(୪) ପ୍ରାଣ ହରାଇଛନ୍ତି। ଗୁରୁତର ଅବସ୍ଥାରେ ଜଗନ୍ନାଥଙ୍କୁ ବସ୍ତା ଡାକ୍ତରଖାନାକୁ ପଠାଯାଇଛି।

ଜଗନ୍ନାଥ ସପରିବାର ଏକ ବାହାଘର କାର୍ଯ୍ୟରେ ଯୋଗ ଦେଇ ରାତି ପ୍ରାୟ ୯ଟା ବେଳେ ଏକ ବାଇକ୍‌ରେ ଘରକୁ ଫେରୁଥିଲେ। ପଞ୍ଚୁପାଲି-ମାନଧାତା ରାସ୍ତାର ଦକ୍ଷିଣ ମହାବଳା ନିକଟରେ ରାସ୍ତାରେ ଥିବା ଏକ ଖାଲରେ ବାଇକ୍‌ଟି ପଡ଼ି ଯାଇଥିଲା। ବାଇକ୍‌ରେ ଥିବା ତାଙ୍କର ପତ୍ନୀ ବାସନ୍ତୀ ଓ ଶିଶୁକନ୍ୟା ରାସ୍ତାରେ ଛିଟିକି ପଡ଼ିଥିଲେ। ଏହି ସମୟରେ ପଛପଟୁ ଦ୍ରୁତଗତିରେ ଆସୁଥିବା ଡମ୍ପର ସେମାନଙ୍କ ଉପରେ ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ବାସନ୍ତୀ ଓ ଶିଶୁକନ୍ୟାର ମୃତ୍ୟୁ ହୋଇଯାଇଥିଲା। ବାଇକ୍‌ ଚଲାଉଥିବା ଜଗନ୍ନାଥ ଗୁରୁତର ହୋଇଥିଲେ।

ସମ୍ବନ୍ଧିତ ଖବର