ଟ୍ରକ୍‌-କାର୍‌ ଧକ୍କାରେ ୫ ମୃତ

ଖୁଣ୍ଟୁଣୀ/ଚୌଦ୍ୱାର-ଗୁରୁଡ଼ିଝାଟିଆ : କଟକ ଜିଲ୍ଲା ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର ଓରନ୍ଦା ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ସଂପର୍କୀୟଙ୍କ ଘର ପ୍ରତିଷ୍ଠା ଭୋଜିରେ ଯୋଗ ଦେଇ ଫେରୁଥିବା ବେଳେ ଦୁର୍ଘଟଣାରେ ୫ ଜଣଙ୍କର ଜୀବନ ଯାଇଛି। ମୃତକଙ୍କ ମଧ୍ୟରେ ଭିଣୋଇ-ଶଳା ଏବଂ ଦୁଇ ଭାଇ ରହିଥିବା ଜଣା ପଡିଛି। ଏକ ୧୨ ଚକିଆ ଟ୍ରକ୍‌ ଓ ଏକ ହୁଣ୍ଡାଇ କାର୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଯୋଗୁଁ ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲକୁ ନିଆଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଛି। ୩ ଜଣଙ୍କ ମୃତଦେହକୁ କଟକ ବଡ ମେଡିକାଲରେ ରଖାଯାଇଥିବା ବେଳେ ୨ ଜଣଙ୍କ ମୃତଦେହ ଆଠଗଡ଼ ମେଡିକାଲରେ ରହିଛି।

କଟକ ବଡ ମେଡିକାଲରେ ଥିବା ୩ ଜଣଙ୍କ ମଧ୍ୟରେ ଅଛନ୍ତି ଢେଙ୍କାନାଳ ସଦର ଥାନା ମହୁଲପଡ଼ା ଗ୍ରାମର ବିଜୟ ଦାସଙ୍କ ପୁଅ ଅନିଲ ଓ ବିଶ୍ୱରଂଜନ ଦାସ। ଅନ୍ୟଜଣେ ଆଠଗଡ଼ ଥାନା କୁଲେଇଲୋ ଗ୍ରାମର କିରଣ ଦାସଙ୍କ ପୁଅ ପପୁ ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ ୫ ଜଣ ଯୁବକ ଏକ ହୁଣ୍ଡାଇ ଆଇଟେନ କାର୍‌ (ଓଆର୍‌୦୨-ବିସି-୯୪୩୨) ରେ ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ବାଳି ଗ୍ରାମରୁ ବିଜେଡିର ଯୁବ ନେତା ରାଜୀବ ଲୋଚନ ଦାସଙ୍କ ଘର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗଦେଇ ସଂଧ୍ୟା ପ୍ରାୟ ସାଢେ ଛଅଟା ବେଳେ ଫେରୁଥିଲେ। ଓରନ୍ଦା ଫରେଷ୍ଟ ବିଟ୍‌ ସମ୍ମୁଖ ୫୫ନଂ ଜାତୀୟ ରାଜପଥ ଉପରେ ଖୁଣ୍ଟୁଣୀ ପଟୁ ଚୌଦ୍ୱାର ଅଭିମୁଖେ ଯାଉଥିବା ଏକ ୧୨ ଚକିଆ ମାଲ ବୋଝେଇ ଟ୍ରକ୍‌ (ଓଡି ୩୫ ବି ୦୫୩୧) ସହ ସେମାନଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ କାର୍‌ଟି ସଂପୂର୍ଣ୍ଣ ଚୂର୍‌ମାର୍‌ ହୋଇଯାଇଥିଲା। ଦୁର୍ଘଟଣା ଘଟିବା ଖବର ପାଇ ସ୍ଥାନୀୟ ଲୋକେ ଓ ଗୁରୁଡ଼ିଝାଟିଆ ଥାନା ଅଧିକାରୀ ବିଜୟ କୁମାର ବିଶି ପୁଲିସ ଫୋର୍ସ ସହ ଦୁର୍ଘଟଣାସ୍ଥଳରେ ପହଞ୍ଚି ଥିଲେ। କାର୍‌ ମଧ୍ୟରେ ମୃତ ଅବସ୍ଥାରେ ଚାପି ହୋଇ ରହିଥିବା ୪ ଜଣଙ୍କୁ ବାହାର କରିଥିଲେ। ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଆମ୍ବୁଲାନ୍ସରେ କଟକ ବଡ ମେଡିକାଲକୁ ପଠାଇଥିଲେ। ଦୁର୍ଘଟଣାଗ୍ରସ୍ତ କାର୍‌ ଓ ୧୨ ଚକିଆ ଟ୍ରକକୁ ରାସ୍ତାରୁ ହଟାଇବା ପରେ ଦୀର୍ଘ ସମୟ ପର୍ଯ୍ୟନ୍ତ ରାଜପଥରେ ଅଟକି ରହିଥିବା ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଥିଲା।

ସମ୍ବନ୍ଧିତ ଖବର