ଜୟନାରାୟଣ ମିଶ୍ରଙ୍କ ଚିକିତ୍ସା ପାଇଁ ୫ଜଣିଆ ଡାକ୍ତରୀ ଟିମ୍‌

କଟକ : ବିଜେପି ନେତା ତଥା ପୂର୍ବତନ ବିଧାୟକ ଜୟନାରାୟଣ ମିଶ୍ରଙ୍କ ଚିକିତ୍ସା ପାଇଁ ଏସ୍‌ସିବି ମେଡିକାଲ୍‌ରେ ୫ଜଣିଆ ଡାକ୍ତରୀ ଦଳ ଗଠନ କରାଯାଇଛି। ନେଫ୍ରୋଲୋଜି ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ଏସ୍‌ବି ରାଉତଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଥିବା ଏହି ଟିମ୍‌ରେ ପ୍ରଫେସର ଡାକ୍ତର ଚିତ୍ତରଂଜନ କର ଆବାହକ ରହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ କାର୍ଡିଓଲୋଜି, ଏଣ୍ଡୋକ୍ରାଇନୋଲୋଜି, ଆଚାର୍ଯ୍ୟ ହରିହର କର୍କଟ ରୋଗ ଚିକିତ୍ସା କେନ୍ଦ୍ରର ସର୍ଜିକାଲ ଅଙ୍କୋଲୋଜି ବିଭାଗର ବିଭାଗୀୟ ମୁଖ୍ୟମାନେ ଏହି ବିଭାଗରେ ସଦସ୍ୟ ରହିଛନ୍ତି। ପ୍ରତ୍ୟେକ ଦିନ ୧୧ଟାରେ ଦଳର ସମସ୍ତ ଡାକ୍ତର ଜୟନାରାୟଣଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିବା ପରେ ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଛି। ଇଏନ୍‌ଟି ବିଭାଗ ୨୬ ନମ୍ବର କ୍ୟାବିନ୍‌ରେ ରହୁଥିବା ଜୟନାରାୟଣଙ୍କର ଆଜି ଇସିଜି ଓ ଏଣ୍ଡୋକ୍ରାଇନ୍‌ ପରୀକ୍ଷା ହୋଇଛି। ତେବେ ତାଙ୍କର ରକ୍ତଚାପ ଓ ଡାଇବେଟିସ୍‌ ଅଧିକ ରହୁଥିବା ସୂଚନା ମିଳିଛି। ଏଥିସହିତ କିଡ୍‌ନିରେ ମଧ୍ୟ ସଂକ୍ରମଣ ରହିଥିବା ପ୍ରାଥମିକ ସ୍ଥିତିରୁ ଜଣାପଡ଼ିଛି। ଯଦି ରକ୍ତଚାପ ଓ ଡାଇବେଟିସ୍‌ ନିୟନ୍ତ୍ରଣକୁ ଆସିଯାଏ, ତାହେଲେ ଅଧିକ ଚିକିତ୍ସାର ଆବଶ୍ୟକ ପଡ଼ିନପାରେ। କିନ୍ତୁ ବର୍ତ୍ତମାନ ସ୍ଥିତିରେ ଡାଏଲାସିସ୍‌ର ଆବଶ୍ୟକତା ନଥିବା ମେଡିକାଲ୍‌ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର