ଖୋଲିଲା ଇନ୍ଦ୍ରାବତୀ ଡ୍ୟାମ୍‌ର ୫ଟି ଗେଟ୍‌

ତେନ୍ତୁଳିଖୁଣ୍ଟି/ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାର ପ୍ରମୁଖ ଇନ୍ଦ୍ରାବତୀ ଡ୍ୟାମର ୫ଟି ଗେଟ୍‌ ଖୋଲାଯାଇଛି। ଇନ୍ଦ୍ରାବତୀ ଜଳଭଣ୍ଡାରର ଉପରମୁଣ୍ଡ ଥୁଆମୂଳରାମପୁର, କାଶୀପୁର ଓ କୋରାପୁଟ ଜିଲ୍ଲାର ଦଶମନ୍ତପୁର ଅଞ୍ଚଳରେ ବର୍ଷା ଏବଂ ଝର ପାଣି ଡ୍ୟାମକୁ ପ୍ରବେଶ କରୁଥିବା ଯୋଗୁଁ ଆଜି ଇନ୍ଦ୍ରାବତୀ ଜଳ ଭଣ୍ଡାରର ଜଳସ୍ତର ଦିନ ୧୧ଟା ସୁଦ୍ଧା ୬୪୦.୧ ମିଟର ରହିଥିଲା। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୧୮ଶହ ଘନମିଟର ଜଳ ପ୍ରବେଶ କରୁଛି। ପୂର୍ବରୁ ଇନ୍ଦ୍ରବତୀ ଡ୍ୟାମ ସାଇଟ ଦେଇ ୨, ୩ ଓ ୫ ନଂ ଗେଟ୍‌ ଖୋଲାଯାଇଥିବା ବେଳେ ଆଜି ୬ ଓ ୭ ନଂ ଗେଟ୍‌ ଖୋଲାଯାଇଥିଲା। ତେବେ ଇନ୍ଦ୍ରାବତୀର ୫ଟି ଓ ମୁରାନର ୨ଟି ଗେଟ୍‌ ଖୋଲାଯିବା ଫଳରେ ସଂଧ୍ୟାରେ ଇନ୍ଦ୍ରାବତୀ ଜଳ ଭଣ୍ଡାରର ଜଳସ୍ତର ୬୩୯.୯୪ ମିଟରରେ ପହଞ୍ଚିଛି। ଏଥିଯୋଗୁଁ ମୁଖିଗୁଡା ଠାରେ ବିଦ୍ୟୁତ ଉତ୍ପାଦନ ବନ୍ଦ ରହିଥିବା ଜଣାପଡିଛି।

ଏହି ଫାଟକ ଦ୍ଵାରା ଜଳଭଣ୍ଡାରରୁ ପ୍ରତି ସେକେଣ୍ଡରେ ୧୨ଶହ ଘନମିଟର ଜଳ ନିଷ୍କାସନ ହେଉଛି। ଫଳରେ ଇନ୍ଦ୍ରାବତୀ ନଦୀ ତଳମୁଣ୍ଡରେ ବନ୍ୟା ଆଶଙ୍କା ଦେଖାଦେଇଛି। ଆଜି ଅତିରିକ୍ତ ଜିଲ୍ଲାପାଳ ପରିକ୍ଷୀତ ସେଠୀ, ଉପଜିଲ୍ଲାପାଳ କରୁଣାକର ରାଇକା ଓ ତେନ୍ତୁଳିଖୁଣ୍ଟି ତହସିଲଦାର ଦେବେନ୍ଦ୍ର ସିଂ ଧାରୁଆ ଜଳଭଣ୍ଡାର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବା ପରେ ଜଳ ଛଡାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ପରିକ୍ଷୀତ ସେଠୀ ଓ ଉପଜିଲ୍ଲାଳପାଳ କରୁଣାକର ରାଇକା ଇନ୍ଦ୍ରାବତୀ ନଦୀର ତଳୁଆ ଅଞ୍ଚଳରେ ଉପସ୍ଥିତ ରହି ବନ୍ୟା ଜଳ ସମୀକ୍ଷା କରୁଛନ୍ତି। ନନ୍ଦାହାଣ୍ଡି, ନବରଙ୍ଗପୁର ଓ କୋଷାଗୁମୁଡା ବ୍ଲକର ଇନ୍ଦ୍ରାବତୀ ନଦୀ ତଳୁଆ ଅଞ୍ଚଳ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବା ପାଇଁ ବିଡିଓ ଓ ତହସିଲଦାରଙ୍କୁ ସତର୍କ କରାଯାଇଛି। ନନ୍ଦାହାଣ୍ଡି ବ୍ଲକର ଦାଇଭଟା ନିକଟରେ ଗ୍ରାମକୁ ପାଣି ଯିବା ଆଶଙ୍କା କରି ଗ୍ରାମବାସୀଙ୍କୁ ସ୍ଥାନାନ୍ତର କରିବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ଲୋକେ ରାଜି ହୋଇନଥିଲେ।

ସମ୍ବନ୍ଧିତ ଖବର