ବାହାଘର ସାରି ଫେରୁଥିବା ବେଳେ ଗଛରେ ପିଟି ହେଲା ମିନିବସ୍‌, ୫ ଗୁରୁତର

ଟାଙ୍ଗୀ(ଖୋର୍ଧା) : ଟାଙ୍ଗୀ ଥାନା ଅଧୀନ ଉଗ୍ରତାରା ରେଳଫାଟକ ପୂର୍ବ ମୋଡ଼ଣି ରାସ୍ତାରେ ଆଜି ରାତି ପ୍ରାୟ ୯ଟା୧୫ରେ ଏକ ମିନିବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ମିନିବସ୍‌ଟି ଭାରସାମ୍ୟ ହରାଇ ଏକ ଗଛରେ ଧକ୍କା ହେବାରୁ ସେଥିରେ ଥିବା ୫ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ, ସୁରେଶ ଚନ୍ଦ୍ର ନାୟକ (୫୬), ଲିନା ନାୟକ (୫୨), ମିରା ନାୟମ (୫୬), ଶୁଭମ୍‌ କୁମାର ନାୟକ (୪୫) ଓ ଶୀତଲ ପ୍ରିୟଦର୍ଶିନୀ। ସେମାନଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ସେହିପରି ଏହି ଅଘଟଣରେ ମିନିବସ୍‌ ଚାଳକଙ୍କ ସମେତ ଅନ୍ୟ ୫ଜଣ ଆହତ ହୋଇଥିବା ଜଣାଯାଇଛି। ରିପୋର୍ଟ ଲେଖା ହେବା ବେଳକୁ ଟାଙ୍ଗୀ ଡାକ୍ତରଖାନାରେ ସେମାନଙ୍କ ଚିକିତ୍ସା ଚାଲିଥିଲା। ଏମାନେ ସମସ୍ତେ ମା’ ଉଗ୍ରତାରା ମନ୍ଦିରରେ ଏକ ବାହାଘରରେ ଯୋଗ ଦେବାକୁ ଆସିଥିଲେ। ବାହାଘର ପରେ ବରଘର ଦେଖିବାକୁ ଯାଉଥିବା ବେଳେ ଏହି ଅଘଟଣ ଘଟିଲା।

ସମ୍ବନ୍ଧିତ ଖବର