ପୁଲିସ ଉପସ୍ଥିତିରେ ମହାଭାରତ : ଖଣ୍ଡା ଧରି ଦୁଇ ସାହି ମୁହାଁମୁହିଁ, ୫ ଆହତ, ପୁଲିସର ଫ୍ଲାଗ୍‌ମାର୍ଚ୍ଚ, ୧୪୪ ଧାରା ଜାରି

ପୁରୀ : ପୁରୀ ସମୁଦ୍ରକୂଳ ଥାନା ରେଣୁକା ଗଳିରେ ଆଜି ଭୟଙ୍କର ଗୋଷ୍ଠୀ ସଂଘର୍ଷ ଦେଖିବାକୁ ମିଳିଛି। ଯାତ୍ରୀ ବ୍ୟବସାୟକୁ କେନ୍ଦ୍ର କରି ବାଲିନୋଳିଆ ସାହି ଏବଂ ବାଲିସାହି ଦଳିତ ବସ୍ତିର ଲୋକେ ହାତରେ ଖଣ୍ଡା, ତଲଓ୍ଵାର ଧରି ପରସ୍ପରକୁ ଆକ୍ରମଣ କରିବା ସହିତ ଗାଡ଼ି ଭାଙ୍ଗି ଚୂର୍‌ମାର କରିଛନ୍ତି। ପୁଲିସ ଉପସ୍ଥିତିରେ ଗୋଟିଏ ପକ୍ଷ ଅନ୍ୟପକ୍ଷର ଦୋକାନ, ହୋଟେଲ ମଧ୍ୟ ଭଙ୍ଗାରୁଜା କରିଛନ୍ତି। ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିବା ପରେ ଏହାକୁ ସମ୍ଭାଳିବାକୁ ଯାଇ ପୁଲିସ ନାକେଦମ୍‌ ହୋଇଥିଲା। ଏହି ଘଟଣାରେ ଉଭୟ ସାହିର ୫ଟି ଗାଡି ଭାଙ୍ଗି ଚୂର୍‌ମାର ହୋଇ ଯାଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ପୁଲିସ ଦୁଇ ଗୋଷ୍ଠୀର ୧୫ରୁ ଅଧିକ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଘଟଣାସ୍ଥଳରୁ ଖଣ୍ଡା, କଟୁରୀ ଆଦି ମାରଣାସ୍ତ୍ର ଜବତ କରିଛି। ଉତ୍ତେଜନା ନିୟନ୍ତ୍ରଣ ପାଇଁ ପୁଲିସ ପକ୍ଷରୁ ଘଟଣାସ୍ଥଳରେ ଫ୍ଲାଗ୍‌ମାର୍ଚ୍ଚ କରାଯିବା ସହିତ ୧୪୪ ଧାରା ଜାରି କରାଯାଇଛି। ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ପରାମର୍ଶ କ୍ରମେ ଉଭୟ ସାହିର ପ୍ରତିନିଧିଙ୍କୁ ନେଇ ଏକ ଶାନ୍ତି କମିଟି ଗଠନ କରାଯାଇଛି।

ସମୁଦ୍ରକୂଳ ଥାନା ରେଣୁକା ଗଳିରେ ଯାତ୍ରୀ ବ୍ୟବସାୟକୁ କେନ୍ଦ୍ର କରି ଉଭୟ ବାଲିନୋଳିଆ ସାହି ଏବଂ ବାଲିସାହି ଦଳିତ ବସ୍ତି ମଧ୍ୟରେ ବିବାଦ ରହିଥିଲା। ଯାତ୍ରୀ ଭଡ଼ା, ଯାତ୍ରୀଙ୍କ ପାଇଁ ହୋଟେଲ ବୁକିଂ ଏବଂ ଟୁରିଷ୍ଟ ଗାଡ଼ି ବ୍ୟବସାୟକୁ କେନ୍ଦ୍ର କରି ଏହି ବିବାଦ ଦୀର୍ଘ ଦିନ ହେଲା ଲାଗି ରହିଥିଲା। ବାଲିନୋଳିଆ ସାହିର ଲୋକମାନେ ଏହି ଇଲାକାରେ ବ୍ୟବସାୟ କରୁଥିବା ବେଳେ ସେଠାରେ ଦଳିତ ସାହିର ଲୋକମାନେ ବ୍ୟବସାୟ କରିବା ଆରମ୍ଭ କରିଥିଲେ। ଏହି ଘଟଣାକୁ ନେଇ ଉଭୟ ସାହିରେ ବିବାଦ ଦେଖା ଦେଇଥିଲା। ଯାହାକୁ ନେଇ ଏହି ଘଟଣା ଘଟିଥିବା ଜଣାପଡ଼ିଛି।

ଫୁଟବଲ୍‌ ପଡ଼ିଆରେ ପୁଲିସ-ପୁଲିସ ଖଣ୍ଡଯୁଦ୍ଧ

କୋରାପୁଟ : କୋରାପୁଟ ପୁଲିସ୍‌ ପଡ଼ିଆଠାରେ ୨ ପୁଲିସ୍‌ ଟିମ୍‌ ମଧ୍ୟରେ ଚାଲିଥିବା ଫୁଟବଲ୍‌ ମ୍ୟାଚ୍‌ ରଣକ୍ଷେତ୍ରରେ ପରିଣତ ହୋଇଛି। ପୁଲିସ୍‌ର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ମଧ୍ୟ ଅସହାୟ ହୋଇପଡ଼ିଥିଲେ। ଅବଶ୍ୟ ପରେ ହସ୍ତକ୍ଷେପ କରିବା ଫଳରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ଉପଖଣ୍ଡ ଫୁଟବଲ କ୍ରୀଡା ଆସୋସିଏସନ ପକ୍ଷରୁ ଆୟୋଜିିତ ଉପଖଣ୍ଡସ୍ତରୀୟ ଫୁଟବଲ୍‌ ପ୍ରତିଯୋଗିତାର ଆଜି ଥିଲା ସେମି ଫାଇନାଲ୍‌ ମ୍ୟାଚ୍‌। ଫାଇନାଲ୍‌ ଜାଗା ନେବା ପାଇଁ ଓଡ଼ିଶା ପୁଲିସ ଏବଂ ଓଏସଏପି ତୃତୀୟ ବାଟାଲିୟନ ମଧ୍ୟରେ ଖେଳ ଚାଲିଥିଲା। ଖେଳର ଶେଷ ପର୍ଯ୍ୟାୟ ବେଳକୁ ଓଏସଏପି ୨-୦ ଗୋଲରେ ଆଗୁଆ ରହି ମ୍ୟାଚକୁ ନିଜ ନିୟନ୍ତ୍ରଣରେ ରଖିଥିଲା। ଏହି ସମୟରେ ଦଳର ଜଣେ ଖେଳାଳି ତଳେ ପଡିବାକୁ ଆରମ୍ଭ ହୋଇଥିଲା ବିବାଦ। ଓଏସଏପିର ଖେଳାଳି ଜଣଙ୍କ ତଳେ ପଡିଯିବାରୁ ଓଡ଼ିଶା ପୁଲିସର ଜଣେ ସଦସ୍ୟ ତାଙ୍କୁ ଘୋଷାଡି ଆଣିଥିଲେ। ଜାଣିଶୁଣି ପଡି ଅଯଥା ସମୟ ନଷ୍ଟ କରାଯାଉଛି ବୋଲି ସେମାନେ ଅଭିଯୋଗ କରିଥିଲେ। ଏହାକୁ ନେଇ ଆରମ୍ଭ ହୋଇଯାଇଥିଲା ଯୁକ୍ତିତର୍କ। ପରେ କଥା କଟାକଟି ହୋଇ ହାତାହାତି ପର୍ଯ୍ୟନ୍ତ ମାମଲା ଯାଇଥିଲା। ହଜାର ହଜାର ଲୋକଙ୍କ ଆଗରେ ଦୁଇ ପୁଲିସ ଦଳର ଖେଳାଳି ପରସ୍ପରକୁ ମାରପିଟ କରିଥିଲେ।

ପୁଲିସର ବଳ କଷାକଷି ଉଗ୍ର ରୂପ ଧାରଣ କଲା ବେଳକୁ କିଛି ବରିଷ୍ଠ ଅଧିକାରୀ ଏଥିରେ ମୁଣ୍ଡ ପୁରାଇଥିଲେ। ଫଳରେ ମାମଲା ଥଣ୍ଡା ପଡିଥିଲା। କିନ୍ତୁ ଏହାକୁ ନେଇ ଉଭୟ ଗୋଷ୍ଠୀ ଭିତରେ ଚାପା ଉତ୍ତେଜନା ଲାଗି ରହିଛି।

ସମ୍ବନ୍ଧିତ ଖବର