ପୁଣି ବିମାନବନ୍ଦରରେ ଧରାପଡ଼ିଲା ସାଢ଼େ ୫ କେଜି ଓଜନର ସୁନା ବିସ୍କୁଟ, ୩ ଯାତ୍ରୀ ଅଟକ

ଭୁବନେଶ୍ୱର : ପୁଣି ଥରେ ଚୋରା ସୁନା ଜବତ ହୋଇଛି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରୁ। ଏଥର ଏକା ଥରରେ ଜବତ ହୋଇଛି ୫ କେଜି ସୁନା। ଏହି ଚୋରା ସୁନା ବିସ୍କୁଟକୁ ରାଜସ୍ୱ ଗୁଇନ୍ଦା ବିଭାଗ ଜବତ କରିଛି। ଜବତ ସୁନା ବିସ୍କୁଟର ଆନୁମାନିକ ମୂଲ୍ୟ ପ୍ରାୟ ୨ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଉଛି।
ମିଳିଥିବା ସୂଚୁନା ଅନୁଯାୟୀ, ଆଜି ବ୍ୟାଙ୍କକ୍‌ରୁ ଭୁବନେଶ୍ୱର ଆସିଥିବା ବିମାନରେ ୩ ଜଣ ଯାତ୍ରୀ ଚୋରା ସୁନା ବିସ୍କୁଟ ନେଇ ଆସିଥିବା ରାଜସ୍ୱ ଗୁଇନ୍ଦା ବିଭାଗକୁ ସୂଚନା ମିଳିଥିଲା। ଏହି ସୂଚନା ଆଧାରରେ ଭୁବନେଶ୍ୱର ବିମାନବନ୍ଦରରେ ରାଜସ୍ୱ ଗୁଇନ୍ଦା ବିଭାଗର ଅଧିକାରୀମାନେ ଜଗି ରହିଥିଲେ। ତେବେ ଯାଞ୍ଚ ବେଳେ ପଶ୍ଚିମବଙ୍ଗର ୩ ଜଣ ଯାତ୍ରୀ ଅତି ଚତୁରତାର ସହିତ ସୁନା ଚୋରା ଚାଲାଣ କରିଥିବା ଜଣାପଡ଼ିଥିଲା। ଅଭିଯୁକ୍ତମାନେ ସେମାନଙ୍କ ଯୋତାରେ ଏହି ସୁନା ବିସ୍କୁଟକୁ ଲୁଚାଇ ବ୍ୟାଙ୍କକରୁ ଆସିଥିଲେ। ତେବେ ବ୍ୟାଙ୍କକରୁ ଭୁବନେଶ୍ୱର ଚୋରାଚାଲାଣ କରାଯାଉଥିବା ବେଳେ ଏସବୁ ସୁନାକୁ ଜବତ କରାଯାଇଛି।ଏହି ଘଟଣାରେ ୩ ଜଣ ଯାତ୍ରୀଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।
ସୂଚନାଯୋଗ୍ୟ ଯେ ଗତ ୨ ମାସ ମଧ୍ୟରେ ନିୟମିତ ବ୍ୟବଧାନରେ ଭୁବନେଶ୍ୱର ବିମାନବନ୍ଦରରେ ଚୋରା ସୁନା ଜବତ କରାଯାଇଛିି। ଇତି ପୂର୍ବରୁ ଏଠାରେ ସୀମା ଶୁଳ୍କ ବିଭାଗ ୪ଟି ଘଟଣାରେ ସାଢ଼େ୫ କେଜି ସୁନା ଜବତ କରିଛି। ସେଥିମଧ୍ୟରୁ କେତେକ ସୁନା ବିସ୍କୁଟ ଆକାରରେ ବିଦେଶରୁ ଭାରତକୁ ଆସିଥିବା ବେଳେ ଆଉ କେତେକ ଗହଣା ଆକାରରେ ଚୋରା ଚାଲାଣ ହେଉଥିବା ବେଳେ ବିମାନବନ୍ଦରରେ ଧରାପଡ଼ିଛି।

ସମ୍ବନ୍ଧିତ ଖବର