ସତ୍ୟାଗ୍ରହୀଙ୍କୁ ଭେଟିଲା ୫ଜଣିଆ ବିଜେଡି ବିଧାୟକଦଳ

ନବନିର୍ମାଣ କୃଷକ ସଂଗଠନର ଅନଶନ ନବମ ଦିନରେ

ଭୁବନେଶ୍ୱର: ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଲୋୟର ପିଏମ୍‌ଜିରେ ଚାଲିଥିବା ଅନଶନ ଓ ସତ୍ୟାଗ୍ରହ ଆଜି ୯ମ ଦିନରେ ପହଞ୍ଚିଛି। ଆଜି ବିଜେଡିର ୫ଜଣିଆ ବିଧାୟକମଣ୍ଡଳୀ ସତ୍ୟାଗ୍ରହୀଙ୍କୁ ଭେଟି ସେମାନଙ୍କ ସହ ଆଲୋଚନା କରିଛନ୍ତି। ଅପରପକ୍ଷରେ ଆସନ୍ତାକାଲି ସଂଗଠନ ପକ୍ଷରୁ ବିଧାନସଭା ଘେରାଉ ଡାକରା ଦେଇଛି। ତେବେ ଦିନ ୧୨ଟା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ନିକଟରୁ ଚାଷୀ ସୁରକ୍ଷା ଭତ୍ତା ନେଇ ଯଦି କୌଣସି ସୂଚନା ନ ମିଳେ ତେବେ ଚାଷୀମାନେ ବିଧାନସଭା ଘେରାଉ କରିବେ ବୋଲି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି।

ଆଜି ଦିନ ୧ଟା ସମୟରେ ବିଧାୟକ ଅରୁଣ ସାହୁ, ବ୍ୟୋମକେଶ ରାୟ, ସମୀର ଦାସ, ପ୍ରଶାନ୍ତ ଜଗଦ୍ଦେବ ଓ ରବିନାରାୟଣ ମହାପାତ୍ର ପ୍ରମୁଖ ଅନଶନସ୍ଥଳରେ ପହଞ୍ଚିଥିଲେ। ଅନଶନସ୍ଥଳରେ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର, ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ଉପଦେଷ୍ଟା ରବି ଦାସ ଓ ଅନ୍ୟମାନଙ୍କ ସହିତ ବିଧାୟକମାନେ ପ୍ରାୟ ଅଧଘଣ୍ଟା ଧରି ଆଲୋଚନା କରିଥିଲେ। ଆଲୋଚନା ପରେ ସାମ୍ବାଦିକମାନଙ୍କୁ ବିଧାୟକ ଶ୍ରୀ ସାହୁ କହିଲେ, ବିଧାୟକମଣ୍ଡଳୀ ସତ୍ୟାଗ୍ରହୀଙ୍କ ସହିତ ଆଲୋଚନା କରିବା ପରେ ସେମାନଙ୍କ ବାର୍ତାଙ୍କୁ ରାଜ୍ୟ ସରକାରଙ୍କ ନିକଟରେ ପହଞ୍ଚାଇବେ। ଆଲୋଚନା ମାଧ୍ୟମରେ କିଭଳି ଏହାର ସମାଧାନ କରାଯିବ ସେଥିପାଇଁ ଉଦ୍ୟମ କରାଯିବ ବୋଲି ଶ୍ରୀ ସାହୁ କହିଛନ୍ତି। ଅପରପକ୍ଷରେ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର କହିଲେ, ଗତ ୩ବର୍ଷ ବିଭିନ୍ନ ସମୟରେ ମୁଖ୍ୟ ଶାସନ ସଚିବ, ବରିଷ୍ଠ ପ୍ରଶାସକ ଓ ପୂର୍ବତନ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ସହିତ ସଂଗଠନର ଆଲୋଚନା ହୋଇଛି। ତେବେ ଏଥିରେ କୌଣସି ପ୍ରକାର ନିଷ୍କର୍ସ ବାହାରି ପାରିନାହିଁ। ଚଳିତ ବଜେଟ୍‌ରେ ଚାଷୀ ସୁରକ୍ଷା ଭତ୍ତା ବାବଦରେ କ’ଣ ବ୍ୟବସ୍ଥା ରହିବ ସେ ବିଷୟରେ ବିଧାୟକମାନଙ୍କ ସହିତ ଆଲୋଚନା ହୋଇଥିଲା। ମାତ୍ର ବଜେଟ୍‌ ପୂର୍ବରୁ ଏ ବିଷୟରେ କହିବା ସମ୍ଭବ ନୁହେଁ ବୋଲି ବିଧାୟକମାନେ କହିଥିଲେ। ତେଣୁ ଚଳିତ ବିଧାନସଭା ଅଧିବେଶନରେ ମୁଖ୍ୟମନ୍ତ୍ରୀ ଚାଷୀ ସୁରକ୍ଷା ଭତ୍ତା ନେଇ ପଦକ୍ଷେପ ନିଆଯିବ ବୋଲି ବିବୃତି ଦିଅନ୍ତୁ। ତାହେଲେ ସଂଗଠନ ଅନଶନରୁ ଓହରିଯିବ। ଯଦି ଆସନ୍ତାକାଲି ଦିନ ୧୨ଟା ପର୍ଯ୍ୟନ୍ତ ସରକାରଙ୍କ ନିକଟରୁ କୌଣସି ସୂଚନା ନ ମିଳେ ତାହାଲେ ଚାଷୀମାନେ ବିଧାନସଭା ଘେରାଉ କରିବେ ବୋଲି ଶ୍ରୀ କୁମାର କହିଛନ୍ତି। ଅନଶନ ସ୍ଥଳରେ ସଂଗଠନର ସହ ସଂଯୋଜକ ନିମାଇଁ ରାୟ, ଅଶୋକ ଜେନା, ସୁବାସ ଜେନା, ଉମାକାନ୍ତ ଭାରତ, ମହେଶ୍ୱର ଜେନା, କୁଳମଣି, ଅବିନାଶ ଦାସ, ଭାଗବତ ପରିଡ଼ା ଓ ମଧୁମିତା ସାମଲ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର