ଛତିଶଗଡ଼ ସୀମାନ୍ତରେ ଏନ୍‌କାଉଣ୍ଟର : ୫ ନକ୍ସଲ ନିହତ, ୨ ଯବାନ ଆହତ

ମାଲକାନଗିରି : ମାଲକାନଗିରିର ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ବଡ଼ ଧରଣର ଏନକାଉଣ୍ଟର ହୋଇଛି। ଦୀର୍ଘ ସମୟ ଧରି ପୁଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ୫ଜଣ ନକ୍ସଲ ନିହତ ‌ହୋଇଥିବା ବେଳେ ୨ଜଣ ଯବାନ ଆହତ ହୋଇଛନ୍ତି। ସୂଚନା ମିଳିବା ପରେ ବହୁ ସଂଖ୍ୟାରେ ଯବାନ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନକୁ ଜୋରଦାର କରିଛନ୍ତି।

ସୂଚନା ଅନୁଯାୟୀ, ନାରାୟଣପୁର ଜିଲ୍ଲା ଅନ୍ତର୍ଗତ ଆବୁଝମାଡା ଜଙ୍ଗଲରେ ବହୁ ସଂଖ୍ୟାରେ ନକ୍ସଲ ଠୁଳ ହୋଇଥିଲେ। ବଡ଼ ଧରଣର ହିଂସା ଘଟାଇବା ପାଇଁ ଏହି କ୍ୟାମ୍ପ ପ୍ରତିଷ୍ଠା କରାଯାଇଥିଲା। ଏହି କ୍ୟାମ୍ପ୍‌ରେ ଟପ୍ କ୍ୟାଡର ମାଓବାଦୀ ମଧ୍ୟ ପହଞ୍ଚିଥିବାରୁ ରଣନୀତି ପ୍ରସ୍ତୁତ କରାଯାଉଥିଲା। ଏ ସଂପର୍କରେ ଗୁଇନ୍ଦା ସୂତ୍ରରୁ ପୁଲିସକୁ ଖବର ମିଳିବା ପରେ ଅତର୍କିତ ଚଢ଼ାଉ ନମନ୍ତେ ଗତକାଲି ରାତିରେ ହିଁ ପୁଲିସ ଯୋଜନା ପ୍ରସ୍ତୁତ କରିଥିଲା। ଏହାପରେ ରାତିରେ ଜିଲ୍ଲା ପୁଲିସ ଏବଂ ଡିଆରଜି ଯବାନ ଅପରେସନରେ ବାହାରିଥିଲେ। ନଦୀ, ନାଳ ଡେଇଁ ଓରଚା ଥାନାଠାରୁ କୋଡିଏ କିଲୋମିଟର ଯିବା ପରେ ଆଜି ସକାଳେ ନକ୍ସଲଙ୍କ ଠିକଣାରେ ପହଞ୍ଚିଥିଲେ। ଯବାନମାନେ ଜଙ୍ଗଲକୁ ପ୍ରଥମେ ଘେରି ଯାଇଥିଲେ। ଯାହାର ଟେର୍ ଆଦୌ ପାଇ ନଥିଲେ ନକ୍ସଲ। ତେବେ ପୁଲିସର ଅତର୍କିତ ଚଢ଼ଉ ସଂପର୍କରେ ଜାଣିବା ପରେ ନକ୍ସଲ ଗୁଳି ଚଳାଇବା ଆରମ୍ଭ କରିଥିଲେ। ପୁଲିସ ପକ୍ଷରୁ ମଧ୍ୟ ପାଲଟା ଗୁଳିଚାଳନା କରାଯାଇଥିଲା। ସକାଳୁ ଆରମ୍ଭ ହୋଇ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଉଭୟ ପଟୁ ପ୍ରବଳ ଗୁଳି ବର୍ଷିଥିଲା।

ଯବାନଙ୍କ ଆକ୍ରମଣକୁ ସମ୍ଭାଳି ନପାରି ଶେଷରେ ନକ୍ସଲ ଛତ୍ରଭଙ୍ଗ ଦେଇଥିଲେ। କାଳେ ଯବାନମାନେ ପିଛା କରିବେ ସେଥିପାଇଁ ମଝିରେ ମଝିରେ ରହି ରହି ଗୁଳି ଚଳାଉଥିଲେ। ଶେଷରେ ଗୋଟିଏ ପଟୁ ଗୁଳି ଫୁଟିବା ବନ୍ଦ ହେବାରୁ ଯବାନଙ୍କ ସର୍ଚ୍ଚ ଅପେରସନ ଆରମ୍ଭ ହୋଇଥିଲା। ଗୁଳି ବାଜି ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ୫ଜଣ ନକ୍ସଲଙ୍କ ଶବ ଠାବ କରିଥିଲେ ଯବାନ। ସେହିପରି ଦୁଇ ଜଣ ଯବାନ ମଧ୍ୟ ଏହି ଅପରେସନରେ ଆହତ ହୋଇଛନ୍ତି। ମୃତ ନକ୍ସଲଙ୍କ ପରିଚୟ ଜଣାପଡ଼ି ନଥିବା ବେଳେ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଏବଂ ନକ୍ସଲଙ୍କ ଦୈନନ୍ଦିନ ସାମଗ୍ରୀ ଘଟଣା ସ୍ଥଳରୁ ଜବତ କରାଯାଇଛି। ଖବର ଲେଖାଯିବା ପର୍ଯ୍ୟନ୍ତ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ଯବାନମାନେ ଫେରିନଥିଲେ। ଜଂଗଲରେ ରାତି ପର୍ଯ୍ୟନ୍ତ ସର୍ଚ୍ଚ ଅପରେସନ ଚାଲିଥିବା ସୂଚନା ମିଳିଛି। ଅନ୍ୟପଟେ ଦୁଇ ଆହତ ଯବାନଙ୍କୁ ଉଦ୍ଧାର କରି ରାୟପୁର ସ୍ଥାନାନ୍ତର କରାଯାଇଥିବା କୁହାଯାଇଛି। ସହିଦ ସପ୍ତାହ ପରେ ପୁଲିସକୁ ବଡ଼ ସଫଳତା ମିଳିଥିବା ଡିଆଇଜି ସୁନ୍ଦରରାଜ ପି. ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର