କାଲିମେଳାରେ ଏନ୍‌କାଉଣ୍ଟର : ୫ ନକ୍ସଲ ନିପାତ

ରଣଦେବ ନେତୃତ୍ବରେ ଚାଲିଥିଲା କ୍ୟାମ୍ପ, ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ, ଚିହ୍ନଟ ହୋଇନାହାନ୍ତି ୨ ନକ୍ସଲ

ମାଲକାନଗିରି/କାଲିମେଳା : ଶୀତ ପୂର୍ବରୁ ଓଡ଼ିଶା ପୁଲିସର ଅପରେସନ ‘ୱିଣ୍ଟର୍‌’ ମାଓ ଶିବିରକୁ ଧ୍ବଂସ କରିଦେଇଛି। ଏସ୍‌ଓଜି ଓ ଡିଭିିଏଫ୍‌ ଯବାନଙ୍କ ମିଳିତ ଅପରେସନ୍‌ରେ ୫ କ୍ୟାଡର ନକ୍ସଲ ନିପାତ ହୋଇଛନ୍ତି। ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ପାପୁଲୁର ନିକଟସ୍ଥ ସନ୍ନ୍ୟାସୀଗୁଡ଼ା ଜଙ୍ଗଲରେ ଥିବା ନକ୍ସଲ କ୍ୟାମ୍ପକୁ ବି ଧ୍ବଂସ କରାଯାଇଛି। ଗତକାଲି ସଂଧ୍ୟାରେ ଆରମ୍ଭ ହୋଇଥିବା ଏହି ଅପରେସନ୍‌ ଆଜି ସକାଳୁ ସରିଥିଲା। ତେବେ ଆଜି ସଂଧ୍ୟା ସୁଦ୍ଧା ଯବାନ ନିଜ ନିଜ କ୍ୟାମ୍ପକୁ ଫେରି ନଥିବାରୁ ସବିଶେଷ ତଥ୍ୟ ମିଳିପାରି ନାହିଁ। ତେବେ ଖବର ମିଳିଛି ଯେ ବହୁ ସଂଖ୍ୟାରେ ଯବାନ ଏହି ଅଞ୍ଚଳକୁ ଘେରି ରହିଛନ୍ତି। ସନ୍ଦିଗ୍ଧ ଅଞ୍ଚଳରେ ବି ଚଢ଼ାଉ ଜାରି ରଖିଛନ୍ତି।

ଗତକାଲି ଅପରାହ୍ନରେ ପୁଲିସକୁ ପକ୍କା ସୂଚନା ମିଳିଥିଲା ଯେ, ଟପ୍ କ୍ୟାଡର ମାଓନେତା ରଣଦେବ ନେତୃତ୍ବରେ ସନ୍ନ୍ୟାସୀଗୁଡା ଜଙ୍ଗଲରେ ନକ୍ସଲ କ୍ୟାମ୍ପ୍‌ କରିଛନ୍ତି। ଏହାପରେ ଅପରେସନ୍‌ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ନିଜେ ଏସ୍‌ପି ଜଗମୋହନ ମୀନା ଚଢ଼ାଉ ନିମନ୍ତେ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ଅପରେସନ୍‌ ପାଇଁ ଉଭୟ ଏସ୍‌ଓଜି ଏବଂ ଡିଭିଏଫ୍‌ ଯବାନଙ୍କୁ ପ୍ରସ୍ତୁତ କରି ଅନ୍ଧାର ହେବା ପର୍ଯ୍ୟନ୍ତ ଅପେକ୍ଷା କରାଯାଇଥିଲା। ରାତି ଅନ୍ଧାରରେ ଯବାନମାନେ କ୍ୟାମ୍ପ ଛାଡ଼ି ପାପୁଲୁର ପହଞ୍ଚିଥିଲେ। ଯାହାର ସାମାନ୍ୟ ସୁରାକ ନକ୍ସଲ କିମ୍ବା ମିଲିସିଆ ଇନ୍‌ଫର୍ମର୍‌ ପାଇ ନଥିଲେ। ପୂରା କ୍ୟାମ୍ପକୁ ଯବାନ ଚାରି ପଟୁ ଘେରି ଯାଇଥିଲେ। ପାହାନ୍ତିଆରେ ଅତର୍କିତ ଚଢ଼ାଉ କରି କ୍ୟାଡର ନକ୍ସଲଙ୍କୁ ଜୀବନ୍ତ ଧରିବାକୁ ଚେଷ୍ଟା କରାଯାଇଥିଲା। କିନ୍ତୁ କ୍ୟାମ୍ପରେ ପହରା ଦେଉଥିବା ନକ୍ସଲ ତାହା କରିବାକୁ ଦେଇ ନଥିଲେ। ଗୁଳି ଚଳାଇବା ଆରମ୍ଭ କରିଥିଲେ। ଯାହାର ପାଲଟା ଜବାବ ଯବାନମାନେ ଦେବାରୁ ଉଭୟ ପଟୁ ବହୁ ସମୟ ଧରି ଗୁଳି ବିନିମୟ ହୋଇଥିଲା।

ପୁଲିସ ଗୁଳିରେ ୫ନକ୍ସଲ ଘଟଣା ସ୍ଥଳରେ ଟଳି ପଡ଼ିବାରୁ ନକ୍ସଲ ଛତ୍ରଭଙ୍ଗ ଦେବା ଆରମ୍ଭ କରିଥିଲେ। କିଛି ଯବାନ ଘଟଣା ସ୍ଥଳରେ ଉପସ୍ଥିତ ରହି କ୍ୟାମ୍ପକୁ ସଂପୂର୍ଣ୍ଣ ଧ୍ବଂସ କରିଥିବା ବେଳେ ଅନ୍ୟ କିଛି ଯବାନ ନକ୍ସଲଙ୍କ ପିଛା କରିଥିଲେ। ତେବେ ଅନେକ ନକ୍ସଲ ଓଡ଼ିଶା ସୀମା ଡେଇଁ ରାଜ୍ୟ ବାହାରକୁ ଆନ୍ଧ୍ର ଚାଲି ଯାଇଥିବା ଅନୁମାନ କରାଯାଉଛି। ଦିନ ଆଲୁଅରେ ଅପରେସନ୍‌କୁ ଜାରି ରଖିବା ଆଦୌ ସୁରକ୍ଷିତ ହୋଇ ନଥିବାରୁ ପିଛା ବନ୍ଦ କରି ଯବାନ ପୁଣି ଘଟଣାସ୍ଥଳକୁ ଫେରି ଆସିଥିଲେ। ଅପରେସନ୍‌ ସଫଳ ହୋଇଥିବା ସୂଚନା ପାଇବା ପରେ ପୁଣି ଯବାନଙ୍କ ଦଳ ଘଟଣା ସ୍ଥଳକୁ ଯାଇଥିବା ସୂଚନା ମିଳିଛି। ମାଓନେତା ରଣଦେବ ଆହତ ହୋଇଥିବା ନେଇ କୁହାଯାଉଥିଲେ ବି କେହି ସ୍ପଷ୍ଟ କରୁନାହାନ୍ତି।

ଘଟଣାସ୍ଥଳରୁ ମିଳିଥିବା ଶବ ମଧ୍ୟରୁ ୩ ଜଣ ନକ୍ସଲଙ୍କ ଶବ ଚିହ୍ନଟ କରାଯାଇଛି। ଅନ୍ୟ ଦୁଇ ଜଣ ନକ୍ସଲଙ୍କୁ ଚିହ୍ନଟ କରାଯାଇ ନାହିଁ। ଘଟଣାସ୍ଥଳରୁ ୨ଟି ଏସ୍‌ଏଲ୍‌ଆର୍‌ ବନ୍ଧୁକ, ଗୋଟିଏ ଇନ୍‌ସାସ୍‌ ଓ ଗୋଟିଏ ୩୦୩ ବନ୍ଧୁକ ଓ ଗ୍ରେନେଡ଼ ସହ ଅନେକ ବିସ୍ଫୋରକ ଜବତ କରାଯାଇଛି। ଘଟଣା ସଂପର୍କରେ ଏସପି କୌଣସି ସୂଚନା ଦେଇ ନଥିବାବେଳେ ପୁଲିସ ଡିଜି ଆର.ପି ଶର୍ମା ଏବଂ ଏଡିଜି ଆରପି କୋଚେ ଘଟଣାର ସମସ୍ତ ବିବରଣୀ ଗଣମାଧ୍ୟମକୁ ଦେଇଛନ୍ତି।

୨୦୧୬ ମସିହା ଅକ୍ଟୋବବର ୨୪ପରେ ଏହାକୁ ମାଲକାନଗିରି ପୁଲିସର ସବୁଠାରୁ ବଡ଼ ଅପରେସନ୍‌ ବୋଲି କୁହାଯାଉଛି। ଦୁଇ ବର୍ଷ ତଳେ ରାମାଗୁଡା ଜଂଗଲରେ ହୋଇଥିବା ଏହି ଅପରେସନରେ ୩୦ ଜଣ ନକ୍ସଲ ନିହତ ହୋଇଥିଲେ। ଟପ୍ ମାଓନେତା ଆର.କେ ଅଳ୍ପକେ ଖସି ଯାଇଥିବା ବେଳେ ପୁଅ ମୁନା ନିହତ ହୋଇଥିଲା। ଏହାପରେ ନକ୍ସଲ ସଂଗଠନ ଜିଲ୍ଲାରେ ଏକ ପ୍ରକାର ଦୁର୍ବଳ ହୋଇଯାଇଥିଲା। ଜିଲ୍ଲାରେ ଗତିବିଧି ବି ପ୍ରାୟ କମି ଯାଇଥିଲା। ବିଚ୍ଛିନ୍ନାଞ୍ଚଳରେ କେବଳ ମାଓବାଦୀଙ୍କ ଉପସ୍ଥିତି ଜାରି ରହିଥିବାବେଳେ ଅନେକ ସମୟରେ ପ୍ରଜାମେଳି ଏବଂ ଇନ୍‌ଫର୍ମର୍‌ ସନ୍ଦେହରେ ଲୋକଙ୍କୁ ମାରପିଟ ସହ ହତ୍ୟା କରିବା ଭଳି ଘଟଣା ହିଁ ଘଟୁଥିଲା। କିନ୍ତୁ ଗୁରୁପ୍ରିୟା ସେତୁ ପରେ ତାହା ମଧ୍ୟ ପ୍ରାୟ କମି ଯାଇଥିଲା।

ସମ୍ବନ୍ଧିତ ଖବର