ଖୋଲିବ ୫ଟି ନୂଆ କୃଷି ପଲିଟେକ୍‌ନିକ୍‌

କୃଷିର ବିକାଶ ପାଇଁ ୩୪୪ କୋଟିର ପ୍ରସ୍ତାବ, ସ୍ଥାପନ ହେବ ୬ଟି କୃଷି କୌଶଳ ତାଲିମ କେନ୍ଦ୍ର

ଭୁବନେଶ୍ୱର : ରାଜ୍ୟରେ କୃଷି ଶିକ୍ଷା ସହ ଗବେଷଣା, ସମ୍ପ୍ରସାରଣର ବିକାଶ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ। ଏନେଇ ରାଜ୍ୟ ସରକାରଙ୍କୁ ୩୪୪ କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଛି। ଏଥିସହ ରାଜ୍ୟର ବିଭିନ୍ନ ସ୍ଥାନରେ ୫ଟି ନୂତନ କୃଷି ପଲିଟେକ୍‌ନିକ୍‌ ପ୍ରତିଷ୍ଠା ପାଇଁ ଯୋଜନା ପ୍ରସ୍ତୁତ ହୋଇଥିବା ଓୟୁଏଟି କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ସୂଚନା ଦେଇଛନ୍ତି।

କୃଷି ଶିକ୍ଷାକୁ ଅଧିକ ବ୍ୟାପକ କରିବା ପାଇଁ ୫ଟି ନୂତନ କୃଷି ପଲିଟେକ୍‌ନିକ୍‌ କେନ୍ଦ୍ର ସହ ବିଭିନ୍ନ ଜିଲ୍ଲାରେ ୬ଟି କୃଷି କୌଶଳ ତାଲିମ କେନ୍ଦ୍ର ସ୍ଥାପନ କରାଯାଇ ଗ୍ର୍ରାମାଞ୍ଚଳର ଯୁବକଯୁବତୀଙ୍କୁ ତାଲିମ ପ୍ରଦାନ କରାଯିବାର ଯୋଜନା ରହିଛି। ଏହା ମାଧ୍ୟମରେ ଯୁବକଯୁବତୀଙ୍କ ଦକ୍ଷତା ବୃଦ୍ଧି ସହ ଆତ୍ମନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ଜଳବାୟୁ ପରିବର୍ତନ ଓ ପରିବେଶ ବିଜ୍ଞାନ, ଭୂଭାଗଦୃଶ୍ୟ ସ୍ଥାପତ୍ୟବିଦ୍ୟା(ଲ୍ୟାଣ୍ଡସ୍କେପ୍‌ ଆର୍କିଟେକଚର), ସଂରକ୍ଷଣ ଜୀବବିଜ୍ଞାନ, ବାନ୍ୟଜୀବ ବିଜ୍ଞାନ ଓ ପରିଚାଳନା ପରି ବିଷୟରେ ନୂତନ ପାଠ୍ୟକ୍ରମ ଖୋଲାଯିବ। ଚିପିଲିମାସ୍ଥିତ କୃଷି କଲେଜ ଓ ଉଦ୍ୟାମ ମହାବିଦ୍ୟାଳୟ, ଭବାନୀପାଟଣାସ୍ଥିତ କୃଷି କଲେଜଠାରେ ନୂତନ ସ୍ନାତକୋତ୍ତର ବିଭାଗ ମଧ୍ୟ ଖୋଲିବ।

କୁଳପତି ପ୍ରଫେସର ପଶୁପାଳକଙ୍କ ସୂଚନା ଅନୁଯାୟୀ ରାଜ୍ୟରେ କୃଷିର ବିକାଶ ପାଇଁ ବିଶ୍ୱବିଦ୍ୟାଳୟ ଭିତ୍ତିଭୂମି ସୁଦୃଢ଼ କରିବା ଲାଗି ୨୧୧.୩୪ କୋଟି ଟଙ୍କାର ଏକ ପ୍ରସ୍ତାବ ରାଜ୍ୟ ସରକାରଙ୍କ ବିଚାରାଧିନ ରହିଛି। ଏଥିସହ ବିଶ୍ୱବିଦ୍ୟାଳୟରେ ଶିକ୍ଷା ଓ ଗବେଷଣା ଭିତ୍ତିଭୂମି ସୁଦୃଢ଼ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ନିକଟରେ ୧୨୨.୮୭ କୋଟି ଟଙ୍କାର ଏକ ପ୍ରକଳ୍ପ ଉପସ୍ଥାପନ କରାଯାଇଛି। ଶିକ୍ଷାଦାନ ଓ ଗବେଷଣା କାର୍ଯ୍ୟକୁ ଅଧିକ ସୁଦୃଢ଼ କରିବା ପାଇଁ କେନ୍ଦ୍ର ସରକାରଙ୍କ ଜାତୀୟ କୃଷି ଉଚ୍ଚଶିକ୍ଷା କାର୍ଯ୍ୟକ୍ରମ ମାଧ୍ୟମରେ ଓୟୁଏଟି ପାଇଁ ୨୫ କୋଟି ଟଙ୍କା ଅନୁମୋଦନ କରାଯାଇଥିବା ସେ କହିଛନ୍ତି।

ଡିଜିଟାଲ ହେବ ଓୟୁଏଟି

ବିଶ୍ୱବିଦ୍ୟାଳୟର ପ୍ରତିଟି କାର୍ଯ୍ୟକୁ ଅଧିକ ସ୍ୱଚ୍ଛ ଓ ପ୍ରଭାବଶାଳୀ କରିବା ପାଇଁ ଡିଜିଟାଲ ବ୍ୟବସ୍ଥା ଆପଣାଯିବ। ଆଉ କାଗଜପତ୍ରରେ କୌଣସି କାର୍ଯ୍ୟ ହେବ ନାହିଁ। ଇ-ଅଫିସ୍‌ ସାଙ୍ଗକୁ ଇ-ନାମଲେଖା, ଇ-ଏକାଡେମି, ଇ-ଫାଇନାନ୍ସ ଆଦି ବ୍ୟବସ୍ଥା ହେବ। ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ସମଗ୍ର କ୍ୟାମ୍ପସକୁ ଓ୍ଵାଇ ଫାଇ କରିବାକୁ ସ୍ଥିର ହୋଇଛି। ସ୍ମାର୍ଟ ଶ୍ରେଣୀଗୃହ ସାଙ୍ଗକୁ ଅତ୍ୟାଧୁନିକ ଗବେଷଣାଗାର, ଉନ୍ନତ ଶିକ୍ଷାଦାନ ଫାର୍ମ, ଆଦର୍ଶ ଶିକ୍ଷାଦାନ କମ୍ପଲେକ୍ସ, ବିଶ୍ୱବିଦ୍ୟାଳୟ ସୁବିଧା କେନ୍ଦ୍ର ଆଦି ବ୍ୟବସ୍ଥା କରିବାକୁ ଯୋଜନା ହୋଇଛି।

ସମ୍ବନ୍ଧିତ ଖବର